ମହଙ୍ଗା ପଡ଼ିଲା ‘ସମ୍ବାଦ’ ଶିରୋନାମା ବିକୃତ କରି ଭାଇରାଲ୍‌ କରିବା ! ପାରଳା ନଗର କଂଗ୍ରେସ ସଭାପତି ଗିରଫ

52

କନକ ବ୍ୟୁରୋ : ‘ସମ୍ବାଦ’ରେ ପ୍ରକାଶିତ ଏକ ଖବରର ଶିରୋନାମାକୁ ଅଶ୍ଳୀଳ ଭାବେ ବିକୃତ କରି ଏହାର କ୍ଲିପିଂ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରିବା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଭାଇରାଲ୍‌ କରିଥିବା ଅଭିଯୋଗରେ ପାରାଳାଖେମୁଣ୍ଡି ପୁଲିସ ଅଭିଯୁକ୍ତ ପାରଳା ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି । ପରେ ପୁଲିସ ଅଭିଯୁକ୍ତ ପଣ୍ଡାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍‌ରେ ଛାଡ଼ି ଦେଇଥିବା ଜଣାପଡିଛି । ଏ ଘଟଣାରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ପଣ୍ଡାଙ୍କୁ ଗିରଫ କରିଛି । ତେବେ ଏହି ଅଶ୍ଳୀଳ ଭାଇରାଲ୍‌ ଘଟଣାର ମୂଳ ପୋଷ୍ଟିଂ କରୁଥିବା ଅଭିଯୁକ୍ତକୁ ଧରିବାକୁ ପୁଲିସ ତଦନ୍ତ ଜୋର୍‌ଦାର୍‌ କରିଛି । ସାଇବର ଅପରାଧ ସେଲ୍‌ ମାମଲାର ତଦନ୍ତ ଭାର ଗ୍ରହଣ କରି ପ୍ରଚ୍ଛଦରେ ଥିବା ଖଳନାୟକଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ଚଳିତ ମାସ ୧ ତାରିଖ ଦିନ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ‘ଗାଁ ଦାଣ୍ଡରେ ନବୀନଙ୍କ ଅଭିଯୋଗ ଶୁଣାଣି’ ଶିରୋନାମାକୁ କଦର୍ଥ କରି ଏକ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରାଯାଇ ଖବରର କ୍ଲିପିଂକୁ ସୋସାଇଲ୍‌ ମିଡ଼ିଆରେ ଭାଇରାଲ୍‌ କରା ଯାଇଥିଲା। ଏହି ନ୍ୟୁଜ୍‌ କ୍ଲିପିଂଟିକୁ ପାରଳା ନଗର କଂଗ୍ରେସ ସଭାପତି ନିର୍ଦ୍ଦିଷ୍ଟ ଏକ ହ୍ଵାଟସ୍‌ ଆପ୍‌ ଗ୍ରୁପରେ ପୋଷ୍ଟିଂ କରିଥିଲେ। କ୍ରମେ ଏହା ସାରା ରାଜ୍ୟରେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲିଥିଲା । ଏହାକୁ ନେଇ ଗଜପତି ଜିଲ୍ଲା ବିଜେଡି ସଭାପତି ଶ୍ରୀନାୟକ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାରଳା ନଗର କଂଗ୍ରେସ ସଭାପତି ପଣ୍ଡାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ମାମଲାର ତଦନ୍ତ କରି ପଣ୍ଡାଙ୍କୁ ଗତକାଲି ରାତି ୨ଟାରେ ଗିରଫ କରିଥିଲା। ପାରଳା ଥାନା କେସ୍‌ ନଂ ୧୪୫/୧୭ରେ ଦଫା ୨୯୪, ୫୦୪, ୫୦୪ସି, ୧୫୩ଏ, ଆର/ଡବ୍ଲୁ ୬୬(ଏ), (ବି), (ସି) ଅନୁସାରେ ତାଙ୍କୁ ଗିରଫ କରିଥିଲା । ପ୍ରକାଶ ଯେ, ଗତ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଗସ୍ତରେ ଆସିଥିଲେ। ସହର ଉପକଣ୍ଠ ଗୋଲାଜଗନ୍ନାଥୁର ଗାଁରେ ଓ୍ଵାର୍ଡ଼ କମିଟି ଗଠନ କରିବା ସହ ଏଠାରେ ମୁଖ୍ୟମନ୍ତ୍ରୀ ଜନତାଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଏହି ଖବର ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ଏ ଖବର ଶିରୋନାମାକୁ ବିକୃତ କରି ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରା ଯାଇଥିଲା ।

ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସ୍ଥାନୀୟ ବିଜେଡି ନେତା, ବୁଦ୍ଧିଜୀବୀ ଏକ ସମ୍ବାଦପତ୍ରର ଶିରୋନାମାକୁ ଏଭଳି ବିକୃତ କରିବା ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ମାମଲାର ତଦନ୍ତ କରୁଥିବା ପାରଳା ଏସ୍‌ଡିପିଓ ଉତ୍କଳ ରଂଜନ ଦାସଙ୍କୁ ପଚାରିବାରେ, ବିଜେଡି ଜିଲ୍ଲା ସଭାପତିଙ୍କ ଏତଲା ଆଧାରରେ ପଣ୍ଡାଙ୍କୁ ଗିରଫ କରା ଯାଇଥିଲା ବୋଲି କହିଛନ୍ତି । ତେବେ ଏହି କଦର୍ଥ କ୍ଲିପିଂ ପୋଷ୍ଟିଂର ମୂଳ ଅଭିଯୁକ୍ତ ସେ ନୁହଁନ୍ତି, ପ୍ରକୃତ ମୂଳ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି କହିଥିଲେ । ଏହି ଆଧାରରେ ତାଙ୍କୁ ପିଆର୍‌ ବଣ୍ଡ୍‌ରେ ଜାମିନ୍‌ ମିଳିଛି। ତେବେ ଏହି ମାମଲାକୁ ପୁଲିସ ଗୁରୁତ୍ୱର ସହ ନେଇଛି ।

ମାମଲାର ତଦନ୍ତ କରାଯାଇ ମୂଳ ପୋଷ୍ଟିଂ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି । ଏ ସଂପର୍କରେ ଅଭିଯୋଗକାରୀ ତଥା ଜିଲ୍ଳା ବିଜେଡି ସଭାପତି ଶ୍ରୀ ନାୟକଙ୍କୁ ପଚାରିବାରେ ସେ କହିଥିଲେ, ଯେହେତୁ ଏହି ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଂପର୍କିତ ଥିଲା, ଏହାକୁ କଦର୍ଥ ଭାଇରାଲ୍‌ କରାଯିବା ନେଇ ଭୁବନେଶ୍ୱରରୁ ତାଙ୍କ ପାଖକୁ ଦଳୀୟ ସୂତ୍ରରୁ ଏକ ନିର୍ଦ୍ଦେଶ ଆସିଥିଲା । ପାରଳା ଅଞ୍ଚଳରେ କେହି ଜଣେ ଏମିତି ପୋଷ୍ଟିଂ କରୁଥିବା ତାଙ୍କୁ ସୂଚନା ଦିଆ ଯାଇଥିଲା।

ଏହା ପରେ ସେ ନିର୍ଦ୍ଦିଷ୍ଟ ଏହି ହ୍ଵାଟ୍‌ସ୍‌ ଆପ୍‌ ଗ୍ରୁପରୁ ପୋଷ୍ଟିଂ ଦେଖିବା ପରେ ପଣ୍ଡାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୁଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଉଚିତ୍‌ ପଦକ୍ଷେପ ନେଇଛି । ଭବିଷ୍ୟତରେ ଏଭଳି କେହି ନ କରନ୍ତୁ, ଏହି କାର୍ଯ୍ୟାନୁଷ୍ଠାନ ପରୋକ୍ଷରେ ଏକ ସତର୍କ ବୋଲି ଶ୍ରୀ ନାୟକ କହିଛନ୍ତି । ଅଭିଯୁକ୍ତ ପଣ୍ଡାଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ଫୋନ୍‌ ବନ୍ଦ ରହିଥିଲା ।