ରାଜା ଖୋଜୁଛନ୍ତି ଘର ! ସରିଲା ଚିକିତ୍ସା, କୁଆଡେ ଯିବେ ପାରଳା ରାଜା ଗୋପୀନାଥ ଗଜପତି

46

କନକ ବ୍ୟୁରୋ : ପୁଣି ମନେ ପଡିଛନ୍ତି ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି । କାରଣ ଚେନ୍ନାଇର ଆପୋଲୋ ହସପିଟାଲରୁ ଆଉ ଦିନକ ପରେ ସେ ଡିସଚାର୍ଜ ହେବେ । ରାଜାଙ୍କୁ ଚିକିତ୍ସା କରୁଥିବା ବିଶିଷ୍ଟ କାର୍ଡିଆକ ସର୍ଜନ ଡାକ୍ତର ଦିଲୀପ ମିଶ୍ର କହିଛନ୍ତି , ରାଜା ଏବେ ସୁସ୍ଥ । ହସପିଟାଲରେ ଆଉ ଚିକିତ୍ସା ଦରକାର ନାହିଁ । ଘରେ ରଖି ତାଙ୍କୁ ନିୟମିତ ଭାବେ ତାଙ୍କର ଫିଜିଓଥେରାପୀ କରା ଯାଇପାରିବ । ତେଣୁ ଗୁରୁବାର ଦିନ ତାଙ୍କୁ ଡିସଚାର୍ଜ କରିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ତାଙ୍କ ଝିଅଙ୍କୁ ଜଣାଇ ଦିଆଯାଇଛି ।

ପ୍ରଶ୍ନ ଉଠୁଛି ଏବେ କୁଆଡେ ଯିବେ ରାଜା? କାହା ପାଖରେ କଟେଇବେ ପରବର୍ତ୍ତୀ ଜୀବନ । କିଏ କରିବ ତାଙ୍କ ଦେଖାରଖା ? ଆପୋଲ ଠାରୁ ଚିଠି ପାଇ ବି ସ୍ୱାସ୍ଥ୍ୟ ବିଭାଗ ଉତ୍ତର ଦେଇନି । ଝିଅ ଆସି ବାପାଙ୍କୁ ନେବେ କି ନାହିଁ ସେନେଇ କିଛି ଜଣାଉ ନାହାଁନ୍ତି । ଭାଇ ସହ ଆଇନର ଯୁଦ୍ଧ ଚାଲିଛି । ସେପଟେ ମ୍ୟାନେଜରଙ୍କ ଆତ୍ମହତ୍ୟା ପରେ ରାଜପ୍ରାସାଦରେ କେହି ନାହାନ୍ତି । ଏଭଳି ସ୍ଥିତିରେ ବୃଦ୍ଧ ରାଜାଙ୍କ ଯତ୍ନ କିଏ ନେବ , ସେନେଇ ପ୍ରଶ୍ନ ଉଠିଛି ।
ସଂପତି ହଡପର ଚକ୍ରାନ୍ତ କରି ରାଜାଙ୍କୁ ନଜରବନ୍ଦୀ ରଖାଯାଇଛି । ଏହି ଗୁଜବ ପ୍ରଚାରିତ ହେବା ପରେ ସୃଷ୍ଟି ହୋଇଥିଲା ପାରଳା ମହାଭାରତ । ଅପମାନକୁ ସହି ନପାରି ମ୍ୟାନେଜର ଓ ତାଙ୍କ ପରିବାରର ତିନି ସଦସ୍ୟ ଆତ୍ମହତ୍ୟା କରିଥିଲେ । ଆଉ ଛାଡିିଗଲେ ଷଡଯନ୍ତ୍ରକାରୀଙ୍କ ବିରୋଧରେ ହାତଲେଖା ଚିଠି । ଯାହାକୁ ଆଧାରକରି କ୍ରାଇମବ୍ରାଞ୍ଚ ଚଳାଇଛି ତଦନ୍ତ ।

ଜେରା କରୁଛି ଷଡଯନ୍ତ୍ର ଅଭିଯୋଗରେ ସାମିଲ ନେତା,ବିଧାୟକ ଓ ସାମ୍ବାଦିକଙ୍କୁ । ଏପରିକି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଅପେକ୍ଷା କରିଛି ରାଜା ଗୋପୀନାଥ ଗଜପତିଙ୍କ ବୟାନକୁ । ତେବେ ରାଜା ମୁହଁ ଖୋଲିବେ କି ନାହିଁ ସେକଥା ତ ଦୂରର କଥା , ଏବେ ତାଙ୍କ ବାକି ଜୀବନକୁ ନେଇ ଛିଡା ହୋଇଛି ସବୁଡାରୁ ବଡ ପ୍ରଶ୍ନ ।