ସୁସ୍ଥ ହେଲେ କିନ୍ତୁ ଘରକୁ ଗଲେନି ପାରଳା ରାଜା : ଜାଗା ବଦଳିଲା ହେଲେ ଠିକଣା ରହିଲା ଡାକ୍ତରଖାନା

23

କନକ ବ୍ୟୁରୋ : ୪ ମାସର ଚିକିତ୍ସା ପରେ ଫେରିଛନ୍ତି ପାରଳା ରାଜା । ହେଲେ ଉଆସକୁ ଯାଇ ନାହାଁନ୍ତି ଗୋପିନାଥ ଗଜପତି ଦେବ । ଚେନ୍ନାଇ ଆପୋଲୋରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି । ସ୍ୱତନ୍ତ୍ର ଏୟାର ବସରେ ଚେନ୍ନାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା । ରାଜା ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଆପୋଲୋ କର୍ତୃପକ୍ଷ ।

ସୁସ୍ଥ ହୋଇ ପୁଣି ହସ୍ପିଟାଲକୁ ଆସିବାକୁ ପଡିଲା । କୁହାଯାଉଛି ରାଜା କେଉଁଠି ରହିବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିବାରୁ ଶେଷରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଗଲା । ପାଖାପାଖି ୧ ହଜାର କୋଟି ସଂପତିର ମାଲିକ ରାଜା ଗୋପିନାଥ ଗଜପତିଙ୍କ ପରିସ୍ଥିତି ଏବେ ଏମିତି ଯେ, ତାଙ୍କୁ ଶେଷ ସମୟରେ ରହିବା ପାଇଁ ଘର ମିଳୁନାହିଁ । ପୂର୍ବରୁ ରାଜାଙ୍କ କଥା ବୁଝୁଥିବା ମ୍ୟାନେଜର ଅନଙ୍ଗ ମଞ୍ଜରୀ ଓ ତାଙ୍କ ପରିବାର ଲୋକେ ଅପମାନ ସହି ନପାରି ଆତ୍ମହତ୍ୟା କରିସାରିଛନ୍ତି । ଏବେ ତାର ପରିଣାମ ଆଉ କେହି ନୁହେଁ ନିଜେ ରାଜାଙ୍କୁ ହିଁ ଭୋଗିବାକୁ ପଡୁଛି । ଏବେ ରାଜା ସୁସ୍ଥ ହୋଇଥିବାବେଳେ ସାଙ୍ଗରେ କେବଳ ଝିଅ କଲ୍ୟାଣି ଦେବୀଙ୍କ ଛଡା ଆଉ କାହାରିକୁ ଦେଖିବାକୁ ମିଳିନଥିଲା ।

ଶେଷରେ ଓଡିଶା ଫେରିବା ପରେ ରାଜା ଉଆସକୁ ନଯାଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏଠାରେ ତାଙ୍କୁ କେତେଦିନ ରଖାଯିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ହସ୍ପିଟାଲରୁ ବାହାରିବା ପରେ ରାଜା କୁଆଡେ ଯିବେ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ।