ଆହତ ଯବାନଙ୍କ ଦେଶସେବା ବିଷୟରେ ଭାରତବାସୀଙ୍କୁ ଜଣ।।ଇବ ଗୁଜରାଟ ଝିଅ । ବାଇକରେ ବୁଲୁଛି ସାରାଦେଶ  

34

କନକ ବ୍ୟୁରୋ : ଦେଶ ବୁଲୁଛି ଗୁଜରାଟ ଝିଅ । ଆହତ ଜବାନଙ୍କ ବିଷୟରେ ଦେଶବାସୀଙ୍କୁ କରିବ ଅବଗତ । ଜଣାଇବ ସେମାନଙ୍କ ଦୁଃଖ । କିଭଳି ନିଜ ଅଂଗ ହରାଇ ବି ଆମକୁ ସେମାନେ ରକ୍ଷା କରିଥାନ୍ତି । ଭାରତରେ ଯେତେବେଳେ ନିର୍ଭୟା ପରି କାଣ୍ଡ ଘଟିଚାଲିଛି, ସେତେବେଳେ ସେ ଘରୁ ଗୋଡ଼ କାଢି ‘ରାଇଡ ଫର ସୋଲଜର’ ଯାତ୍ରାରେ ବାହାରିଛନ୍ତି। ନିଜ ରାଜ୍ୟ, ଜିଲ୍ଲା ସହର ଛାଡ଼ି ଏକୁଟିଆ ଘୂରି ବୁଲୁଛନ୍ତି ସାରା ଦେଶ ଗୁଜୁରାଟର ଝିଅ ମିତ ସୁ ଚାଭଡ଼ା। ଏକମାତ୍ର ଉଦ୍ଦେଶ୍ୟ ଯୁଦ୍ଧରେ ଆହତ ଯବାନ (ପାରାପ୍ଲେଜିକ ସୋଲଜର)ଙ୍କ ବିଷୟରେ ସାଧାରଣ ଜନତା, ଛାତ୍ରଛାତ୍ରୀଙ୍କ ନିକଟରେ ବାର୍ତା ପହଞ୍ଚାଇବା। ଆଜି ସେ ରାଜଧାନୀ ଭୁବନେଶ୍ୱରର ପଳାସପଲ୍ଲୀସ୍ଥିତ ଏୟାରସ୍କ୍ଵାଡେନ ଏନସିସିରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଏନସିସି ଓଡ଼ିଶାର ନିର୍ଦେଶକ କ୍ରିପାଳ ସିଂହ, କର୍ଣ୍ଣେଲ ଅସିତ ରଞ୍ଜନ, କର୍ଣ୍ଣେଲ ଏମ.କେ ସିଂହ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।

ଦେଶର ସୀମାନ୍ତରେ ଯୁଦ୍ଧ ହେଉ କିମ୍ବା ଦେଶ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ଯବାନମାନେ ଆମକୁ ସବୁବେଳେ ରକ୍ଷା କରିଥାନ୍ତି। ଏପରି ବିପଦ ସମୟରେ ଏମାନେ ଅନ୍ୟକୁ ବଞ୍ଚାଇବାକୁ ଯାଇ କେହି କେହି ନିଜର ଅଙ୍ଗ ହରାଇ ଅକ୍ଷମ ହୋଇଯାନ୍ତି। କିନ୍ତୁ ସେମାନେ ଭାଙ୍ଗି ପଡ଼ନ୍ତି ନାହିଁ। ଦେଶର ସେବା କରିଚାଲନ୍ତି ଭିନ୍ନ ଢଙ୍ଗରେ। ସେପରି ପାରାପ୍ଲେଜିକ ସୋଲଜରଙ୍କ କଷ୍ଟ ଆଉ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ।

ଗୁଜୁରାଟର ସୁରଟ ସହରରୁ ମୋର ଏଇ ଯାତ୍ରା ଗତ ନଭେମ୍ବର ମାସ ୨୬ ତାରିଖରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମୁଁ ମହାରାଷ୍ଟ୍ର, ଅନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ବୁଲି ପାରାପ୍ଲେଜିକ ସୋଲଜରଙ୍କ ବିଷୟରେ ବିଭିନ୍ନ ସ୍କୁଲ, କଲେଜ, ଏନସିସି କ୍ୟାଡରଙ୍କ ମଧ୍ୟରେ ବାର୍ତା ପ୍ରଚାର କରି ସାରିଲେଣି।

ପାରାପ୍ଲେଜିକ ସୋଲଜର ଏସ.ସି ରାଜଦା, ହରୋଜିତ ରାଜକୁମାର ଆଦିଙ୍କ ବିଷୟରେ ଜାଣିବା ପରେ ଏପରି ଯବାନଙ୍କ କଥା ପ୍ରଚାର ପାଇଁ ଆଗ୍ରହ ବଢ଼ିଲା। ଗତ ଥର ପାରା ଅଲମ୍ପିକରେ ଏପରି ଯବାନମାନେ ଆମ ପାଇଁ ମେଡାଲ ଜିତିଲେ। ଆମ ଦେଶ ପାଇଁ ଗର୍ବ ଆଣିଲେ। ଯୁଦ୍ଧରେ ଗୋଡ଼ ହରାଇବା କିମ୍ବା ପକ୍ଷାଘାତର ଶିକାର ହେବା ପରେ ମଧ୍ୟ ପାରା ଅଲମ୍ପିକ ତଥା ଉଚ୍ଚଶିକ୍ଷା ଲାଭ କରି ଗରିବ ଛାତଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ଏହି କଥା ସମସ୍ତେ ଜାଣିବା ଦରକାର ।
ଏଥିପାଇଁ ତ ମୋର ସଂପୂର୍ଣ୍ଣ ଜୀବନ ପରିବର୍ତନ କରିବାକୁ ପଡ଼ିଛି କହିଲେ ଚଳେ। ୨୦୦୯ରେ ବିଟେକ୍ ଶେଷ କରିଥିଲେ ମଧ୍ୟ କେବଳ ଏନ୍ସିସିରେ ଯୋଗ ଦେବା ପାଇଁ ମୁଁ ପୁଣି ଯୁକ୍ତ ତିନିରେ ଆଡମିସନ୍ ନେଇଛି। ଯାହାଦ୍ୱାରା ମୁଁ ଏନ୍ସିସି କ୍ୟାଡର୍ ଭାବେ ସାରା ଦେଶର ବିଭିନ୍ନ ଏନ୍ସିସି କ୍ୟାମ୍ପକୁ ଯାଇ କ୍ୟାଡର୍ମାନଙ୍କ ମଧ୍ୟରେ ଏପରି ଯବାନଙ୍କ ବିଷୟରେ କହିପାରୁଛି। ବିଟେକ୍ ପରେ ମୁଁ ବାର୍ଷିକ ୬ ଲକ୍ଷ ଟଙ୍କା ଦରମାରେ ଚାକିରି ପାଇଥିଲେ ମଧ୍ୟ ଏହାକୁ ହାତ ଛଡ଼ା କରିଛି।
ଭୁବନେଶର ପରେ ମୁଁ କଲିକତା ଯିବି। ଦୁଇମାସ ମଧ୍ୟରେ ସତର ହଜାର କିମି ବାଟ ଅତିକ୍ରମ କରି ସଚେତନତା ସୃଷ୍ଟି କରିବା ମୋର ଲକ୍ଷ୍ୟ ରହିଛି । ଜାନୁଆରି ୨୬ରେ ସୁରତରେ ଏହି ଯାତ୍ରା ଶେଷ ହେବ।

କୌଣସି ବି ରାଜ୍ୟରେ ପବ୍ଲିକ ଟଏଲେଟ ସୁବିଧା ନାହିଁ । ସେଥିନେଇ ସମସ୍ୟାର ସମ୍ମୁଖୀନ ହୋଇଛି। ଆଉ ବିଶେଷ କିଛି ସମସ୍ୟା ନାହିଁ । ବରଂ ଝିଅଟିଏ ହୋଇ ପୁଅଙ୍କ ପରି ବାଇକ୍ ଚଳାଉଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।