ପାରାଡାଇଜ ପେପର୍ସ ଲିକରୁ ବଡ ଖୁଲାସା ! ଅମିତାଭ ଓ ଜୟନ୍ତ ସିହ୍ନାଙ୍କ ସମେତ ୭୧୪ଭାରତୀୟ ନକଲି କମ୍ପାନୀରେ କରିଛନ୍ତି ଗୁପ୍ତ ନିବେଶ

43

କନକ ବ୍ୟୁରୋ : ପାନାମା ପେପର୍ସ ପରେ ଏବେ ପାରାଡାଇଜ ପେପର୍ସରେ ଏକ ବଡ ଖୁଲାସା ହୋଇଛି । ପାରାଡାଇଜ ପେପର୍ସରେ ୧ କୋଟି ୩୪ ଲକ୍ଷ ଦସ୍ତାବିଜ ଲିକ ହୋଇଛି । ଏଥିରେ ବିଶ୍ୱର ଅନେକ ଶକ୍ତିଶାଳୀ ଓ ଧନୀ ଲୋକଙ୍କ ଗୁପ୍ତ ନିବେଶର ତଥ୍ୟ ଦିଆଯାଇଛି । ଏହି ପେପର୍ସରେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟ, ଆମେରିକାର ଅନେକ ମନ୍ତ୍ରୀଙ୍କ ସମେତ କିଛି ଭାରତୀୟଙ୍କ ନାଁ ସାମିଲ ରହିଛି । ରିପୋର୍ଟ ଅନୁସାରେ, ଏହି ଲୋକମାନେ ବିଦେଶୀ ଫାର୍ମ ଓ ନକଲି କମ୍ପାନୀ ସହାୟତାରେ ଗୁପ୍ତ ନିବେଶ କରିଛନ୍ତି ।

ପାରାଡାଇଜ ପେପର୍ସରେ ବିଦେଶୀ ଫାର୍ମ ଓ ନକଲି କମ୍ପାନୀଗୁଡିକ ବିଷୟରେ କୁହାଯାଇଛି । ଏକ ଦୈନିକ ଖବରକାଗଜ ଅନୁସାରେ, ପାରାଡାଇଜ ପେପର୍ସରେ ୧୮୦ ଦେଶର ତଥ୍ୟ ଦିଆଯାଇଛି । ଏଥିରେ ୭୧୪ ଭାରତୀୟଙ୍କ ନାଁ ବି ରହିଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା, ଅଭିନେତା ଅମିତାଭ ବଚ୍ଚନ, କଂଗ୍ରେସ ନେତା ସଚିନ ପାଇଲଟ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଜୟ ମାଲ୍ୟା ଓ ନୀରା ରାଡିଆଙ୍କ ନାଁ ରହିଛି । ୮ ତାରିଖରେ ବିମୁଦ୍ରାକରଣକୁ ଏକବର୍ଷ ପୁରୁଥିବାବେଳେ ସରକାର ଓ କର୍ପୋରେଟର୍ସଙ୍କୁ ଏହା ବଡ ଝଟକା ହୋଇଛି ।