ପାରାଦ୍ୱୀପରେ ଜମୁଛି ନିର୍ବାଚନୀ ମାହୋଲ ! ସମ୍ବିତ ରାଉତରାୟ ଓ ବାପି ସର୍ଖେଲଙ୍କ ପ୍ରଚାର ଲଢ଼େଇ ଜୋରଦାର, ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ପ୍ରମୁଖ ତିନି ଦଳର ନେତା

187

କନକ ବ୍ୟୁରୋ : ପାରାଦ୍ୱୀପ ବିଧାନସଭା ଦେଖିବ ତ୍ରିମୁଖୀ ଲଢେଇ । ୨୦୧୯ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଦେଇଛନ୍ତି ନୂଆ ମୁହଁ । ବିଜେଡି ପାରାଦ୍ୱୀପରେ ସମ୍ୱିତ ରାଉତରାୟଙ୍କୁ ଟିକଟ ଦେଇଛି । ବିଜେପି ଏଠାରେ ଯୁବନେତା ସମ୍ପଦ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପୁଣି ଥରେ ବାପି ସର୍ଖେଲଙ୍କୁ ରିପିଟ୍ କରିଛି । ଏହାକୁ ନେଇ ପାରାଦ୍ୱୀପରେ ଏବେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଅନେକ ଅଙ୍କ କଷିବା ପରେ ବିଜେଡି ଏଠାରେ ଦାମବାବୁଙ୍କ ପୁଅ ସମ୍ୱିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ।

ଏବେ ପ୍ରଚାର ମୈଦାନରେ ପାଦ ରଖିଛନ୍ତି ସମ୍ୱିତ୍ । ନିଜ ବାପାଙ୍କ ସହିତ ଅନେକ ସ୍ଥାନ ବୁଲିଥିବା ସମ୍ୱିତ୍ ଏବେ ନବୀନ ସରକାରଙ୍କ ୧୯ ବର୍ଷର ସଫଳତାକୁ ନେଇ ଭୋଟରଙ୍କ ନିକଟକୁ ଯାଉଛନ୍ତି । ଏଠାରୁ ସେ ବିଜେଡିର ଗଡ ବଜାୟ ରଖି ବିଜୟୀ ହେବେ ବୋଲି ଦାବି କରିଛନ୍ତି ସମ୍ୱିତ୍ । ସେପଟେ କଂଗ୍ରେସ ପ୍ରାର୍ଥୀ ବାପୀ ସର୍ଖେଲ ମଧ୍ୟ ପ୍ରଚାର ମୈଦାନରେ ପାଦ ରଖିଛନ୍ତି । ୨୦୧୪ ନିର୍ବାଚନରେ ବାପି ସର୍ଖେଲ ୩୮ ହଜାର ଭୋଟରେ ପରାସ୍ତ ହୋଇଥିଲେ । ଜଣେ ଶ୍ରମିକ ନେତା ଭାବେ ନିଜ ଖ୍ୟାତି ରଖିଥିବା ବାପି ସର୍ଖେଲ ଏଥର ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ବିଜେପି ଏଠାରେ ଜଗତସିଂହପୁରର ବିଜେପି ଯୁବମୋର୍ଚା ନେତା ସମ୍ପଦ ସ୍ୱାଇଁଙ୍କୁ ପ୍ରାର୍ଥୀ କରିବା ପରେ ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସମାବେଶ କରି ସେ ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି ।