କୋଟିଆ ପାଇଁ ହେଲେ ଏକାଠି ! ପରବ ମହୋତ୍ସବ ପାଳି ଆନ୍ଧ୍ରକୁ ଦେଲେ ଜବାବ୍

‘ପରବ’ ବଢ଼ାଇଲା ଆନ୍ଧ୍ରର ଚିନ୍ତା !

108

କନକବ୍ୟୁରୋ : ପରବ ଦେଲା ଆନ୍ଧ୍ରକୁ ଜବାବ । କୋଟିଆ ବାସୀଙ୍କୁ କଲା ଏକାଠି । ବହୁ ବର୍ଷ ପରେ ରାଜ୍ୟର ଏଭଳି ମହୋତ୍ସବକୁ ଦେଖି ଆନନ୍ଦିତ ହେବା ସହ ରାଜ୍ୟରେ ରହିବୁ ବୋଲି ଅଟାଂ ଭିଡ଼ିଲେ କୋଟିଆ ବାସୀ । ନିର୍ବାଚନୀର ଉଷ୍ମତା ଭିତରେ ଦଳବଳ ନିର୍ବିଶେଷରେ ସବୁ ନେତା ହେଲେ ଏକାଠି । ଦମ୍ ଦେଖାଇବା ପାଇଁ ନାଚ ଗୀତରେ କୋଟିଆ ମଂଚକୁ ଆପଣାର କଲେ ନେତା ।

ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବହୁ ବର୍ଷ ଧରି କୋଟିଆକୁ ନେଇ ଲାଗି ରହିଥିବା ବିବାଦରେ ଆଉ ଏକ ଫରଦ୍ ଯୋଡ଼ି ହୋଇଛି । କୋଟିଆବାସୀଙ୍କୁ ଆପଣାର କରିବା ପାଇଁ କୋରାପୁଟ କୋଟିଆରେ ୨୩ତମ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ‘ପରବ ୨୦୧୮’ର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା । ‘ପରବ’କୁ ପାଳିବା ପାଇଁ କୋଟିଆବାସୀ କାମ ଧାମ ଛାଡ଼ି ଏକତ୍ର ନାଚ ଗୀତରେ ମସଗୁଲ ହୋଇଛନ୍ତି । ମନ୍ତ୍ରୀ ରମେଶ ମାଝୀ, ଚନ୍ଦ୍ର ସାରଥୀ ବେହେରା, ଜିଲ୍ଳାର ସବୁ ବିଧାୟକ, ସାସଂଦ ଝିହ୍ନା ହିକକା ଏବଂ ଜିଲ୍ଳାର ସବୁ ଦଳର ନେତା ଓ କର୍ମୀ ଏକାଠି ହୋଇ କୋଟିଆରେ ‘ପରବ ମସାଲ’କୁ ସ୍ୱାଗତ କରିଛନ୍ତି । ଏଠାରୁ ମସାଲ ବାହାରି ଜିଲ୍ଳାର ସବୁ ସ୍ଥାନ ପରିକ୍ରମା କରିବା ପରେ ମୁଖ୍ୟ ସମାରୋହରେ ହେବ ସାମିଲ ।

କୋରାପୁଟର ନିଶାଣି ମୁଣ୍ଡାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କୋଟିଆରେ ଶୁଭାରମ୍ଭ କରିଛି । ଏହାସହ ‘ପରବ’ କ୍ୟାଲେଣ୍ଡର ଉନ୍ମୋଚନ ହେବା ସହ ନାଚ ଗୀତରେ ମଜି ଯାଇଛନ୍ତି କୋଟିଆବାସୀ । ନୁତନ କ୍ୟାଲେଣ୍ଡରକୁ ଧରି ବିଜେଡ଼ିର ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଓ କଂଗ୍ରେସର ବିଧାୟକ ତାରା ବାହିନି ପତି, ଆଦିବାସୀ ବିକାଶ ପରିଷଦର ସଭାପତି କମୁଳୁଜାନୀ ମଧ୍ୟ ନାଚଗୀତରେ ନିଜକୁ ହଜାଇ ଦେଇଥିଲେ । ମାଓପ୍ରବଣ ଅଚଂଳରେ ଏହି କାର୍ଯ୍ୟକ୍ରମରେ ପୋଲିସ ଓ ବିଏସଏଫ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

କୋରାପୁଟ ପଟାଙ୍ଗୀ ବ୍ଳକ କୋଟିଆ ପଂଚାତୟରେ ୨୮ଟି ରେଭେନ୍ୟୁ ଓ ୧୨ଟି ପଡ଼ା ଗାଁ ରହିଛି । ସେଥିରୁ ୨୧ଟି ଗାଁକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି । କୋରାପସ୍ୱଙ୍କ ସୀମାରେ ଥିବାରୁ ଏସବୁ ଗାଁକୁ ରାଜ୍ୟ ସରକାର ନିଜର ବୋଲି ଦାବି କରିବା ସହ କୋଟିଆବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ ସେପଟେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓ ନେତା କୋଟିଆରେ ପଶି କୋଟିଆବାସୀଙ୍କୁ ଆପଣାର କରିବା ପାଇଁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ରାସ୍ତାଘାଟ ନିର୍ମାଣ କରୁଛନ୍ତି । ଆଉ ଏହାରି ଭିତରେ କୋଟିଆରେ ‘ପରବ’ର ଉଦଘାଟନ ଆନ୍ଧ୍ର ପାଇଁ ଚିନ୍ତା ବଢାଇବା ସହ କୋଟିଆ ବାସୀଙ୍କ ନାମରେ ରାଜ୍ୟ ପ୍ରତି ମୋହ ବଢାଇ ଦେଇଛି ।

ବ୍ଳକ୍ ସ୍ତରରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ମୁଖ୍ୟ ସମାରୋହ ନଭେମ୍ବର ୧୬, ୧୭, ୧୮ ତିନି ଦିନ ଧରି କୋରାପୁଟର କଲେଜ ପଡ଼ିଆରେ ପାଳନ ହେବ । ବର୍ଷକୁ ଥରେ ପାଳନ ହେଉଥିବା ‘ପରବ’ର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଳା କଳା ସଂସ୍କୃତି ଓ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ।