ଚାପ ପରେ ନବୀନ ନେଲେ କାର୍ଯ୍ୟାନୁଷ୍ଠାନ : ବିଜେଡିରୁ ପପୁ ପମପମ୍ ବହିଷ୍କୃତ

93

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶେଷରେ ଓଲିଉଡକୁ କଳଙ୍କିତ କରିଥିବା ଅଭିନେତା ପପୁ ପମପମଙ୍କ ଦୋଷକୁ ସ୍ୱୀକାର କରିଛି ବିଜେଡି । ନେତାରୁୁ ଅଭିନେତା ବନିଥିବା ପପୁ ଓରଫ୍ ତତ୍ୱପ୍ରକାଶ ଶତପଥୀଙ୍କୁ ଆଜି ବିଜେଡି ନିଜ ଦଳରୁ ବହିଷ୍କାର କରିଛି । ୨୦୧୪ ନିର୍ବାଚନରେ ପ୍ରଥମେ ଷ୍ଟାର କ୍ୟାମ୍ପେନର ଓ ପରେ ଚମ୍ପୁଆ ଆସନରୁ ପପୁଙ୍କୁ ପ୍ରାର୍ଥୀ କରିଥିଲା ଦଳ । ହେଲେ ଚମ୍ପୁଆରେ କାମ କରି ନଥିଲା ପପୁଙ୍କ ମ୍ୟାଜିକ୍ । ତେବେ ସାରା ରାଜ୍ୟ ବୁଲି ଦଳ ପାଇଁ ପ୍ରଚାର କରିଥିଲେ ପପୁ ।

ତେବେ ଓସ୍କାର ଚିଟଫଣ୍ଡ କଂପାନୀର ମାଲିକ ପ୍ରଭାସ ରାଉତ ଗିରଫ ହେବା ପରେ ପପୁଙ୍କ ଭୂମିକାକୁ ନେଇ ଉଠିଥିଲା ପ୍ରଶ୍ନ । ଚିଟଫଣ୍ଡ ଟଙ୍କାରେ ଫିଲ୍ମ ନିର୍ମାଣ କରୁଥିବା ପ୍ରଭାସଙ୍କ ଘନିଷ୍ଠ ଥିଲେ ପପୁ । ଏପରିକି କଂପାନୀର ପ୍ରମୋସନ ସହ କଳାଟଙ୍କାରେ ନିଜେ ମାଲମାଲ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ପପୁ ନିଜ ନିର୍ବାଚନ ସତ୍ୟପାଠରେ ମଧ୍ୟ ପ୍ରଭାସଙ୍କ ଠାରୁ ଟଙ୍କା ନିର୍ବାଚନ ଖର୍ଚ୍ଚ ବାବଦ ଅର୍ଥ ନେଇଥିବା ଜଣା ପଡିଥିଲା । ଏତେସବୁ ଅଭିଯୋଗ ପରେ ବି ନୀରବ ଥିଲା ବିଜୁ ଜନତା ଦଳ । ଏହି ଷ୍ଟାର ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଦଳର ସୁପ୍ରିମୋ ନବୀନ ପଟନାୟକ । ତେବେ କାଷ୍ଟିଂ କାଉଚ୍ ଅଭିଯୋଗ ଆସିବା ଓ ଜଣେ ନାବାଳିକା ଥାନାରେ ଅଭିଯୋଗ କରିବା ପରେ ପପୁଙ୍କ ସହ ଦଳ ପାଇଁ ମଧ୍ୟ ଅଡୁଆ ବଢି ଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି, ପପୁଙ୍କ ପାପ ନେଇ କଣ ଦଳକୁ ଶକ୍ତ ପ୍ରମାଣ ମିଳି ଯାଇଛି କି । ଏହି ବଦନାମ ନେତାଙ୍କୁ ନେଇ ଦଳ ବଦନାମ ହେବାର ଆଶଙ୍କାକୁ ଏଡାଇବାକୁ ନବୀନ ଏଭଳି ପଦକ୍ଷେପ ନେଇଛନ୍ତି କି । ନିଲମ୍ବନ ନୁହେଁ ସିଧାସଳଖ ବହିଷ୍କାର । ଦଳର ଏହି ନିଷ୍ପତିକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି । କାରଣ ପୂର୍ବରୁ ଚିଟଫଣ୍ଡ କଳଙ୍କ ଲାଗିବା ପରେ ପ୍ରଭାତ ତ୍ରିପାଠୀଙ୍କ ଭଳି ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ହେଲେ ପପୁଙ୍କ କ୍ଷେତ୍ରରେ ଦଳ ଦୃଢ ପଦକ୍ଷେପ ନେଇଛି ।

ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ