ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ଥାନାରେ ମାମଲା ରୁଜୁ ହେବା ପରେ ଫେରାର ସମ୍ଭୋଗ ସମ୍ରାଟ ପପୁ ପମପମ୍

103

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କୁଆଡେ ଗଲେ ପପୁ ପମପମ୍ । ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ଥାନାରେ ମାମଲା ରୁଜୁ ହେବା ପରେ ପପୁଙ୍କ ଉପରେ ଘନଉଛି ବିପଦ । ଲାଗିଛି ବହୁ ସଂଗୀନ ଦଫା । ଯେକୌଣସି ସମୟରେ ସେ ଗିରଫ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ ପୋଲିସ କମିଶନର କହିଛନ୍ତି, ପପୁଙ୍କୁ ପ୍ରଥମେ ହାଜର ହେବାକୁ ନୋଟିସ କରାଯିବ । ଆଉ ହାଜର ନହେଲେ ପପୁଙ୍କ ବିରୋଧରେ ଏନବିଡବ୍ଲୁ ଜାରି ହେବ । ସେପଟେ ଫେରାର ହୋଇଯାଇଛନ୍ତି ଓଲିଉଡର ଏହି ହାସ୍ୟଭିନେତା । ତାଙ୍କର କୌଣସି ଖୋଜଖବର ନାହିିଁ ।

ତେବେ ଚିଟଫଣ୍ଡ ଲିଙ୍କରେ ପପୁଙ୍କୁ ତଦନ୍ତ ପରିସରକୁ ଆଣି ପାରିଲା ନାହିଁ କ୍ରାଇମବ୍ରାଂଚ । ହେଲେ କାଷ୍ଟିଂ କାଉଚ ଓ ନାବାଳିକା ଅସଦାଚରଣ ମାମଲା ରୁଜୁ କରିଛି କମିସନରେଟ୍ ପୋଲିସ୍ । ତେବେ ଏଯାଏ ଉଭୟ ପୋଲିସ୍ ଓ କ୍ରାଇମବ୍ରାଂଚ ପପୁଙ୍କୁ ଗିରଫ ନ କରିଥିବାରୁ, ଜୋର ଧରିଛି ରାଜନୀତି । ଦୋଷୀ ନେତାଙ୍କୁ ଗିରଫ କରାଯିବା ପରେ ବିଜେଡି ସେମାନଙ୍କ ବିରୋଧରେ ଦଳଗତ କାର୍ଯ୍ୟାନୁଷ୍ଠାନ ନେଇଥାଏ । ଆଉ ବାରମ୍ବାର କାର୍ଯ୍ୟାନୁଷ୍ଠାନର ପୁରୁଣା ଡ୍ରାମା କରୁଥିବା ଅଭିଯୋଗ କରିଛି ବିଜେପି । କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ବିଜେଡିକୁ ଘେରିଛି କଂଗ୍ରେସ । ଦଳରେ ଏତେ ଦୋଷୀ ଅଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ନେଉ ନେଉ ଦଳ ଖାଲି ହୋଇଯିବ ବୋଲି ତାତ୍ସଲ୍ୟ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ଅନ୍ୟପଟେ ବିଜେଡି ନିଜ ପୁରୁଣା ଉକ୍ତି ଦୋହରାଇଛି । ଦଳୀୟ ମୁଖପାତ୍ର କହିଛନ୍ତି, ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ।