ବଦଳିଲା କମେଡି କିଙ୍ଗଙ୍କ ଠିକଣା : ଚିଟଫଣ୍ଡ ଠକ , ଡକାୟତ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଝାରପଡା ଜେଲର ୧୮ ନମ୍ବର ୱାର୍ଡରେ ରହିବେ ପପୁ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲା କମେଡି କିଙ୍ଗଙ୍କ ଠିକଣା । ଝାରପଡା ଜେଲର ୧୧ ନମ୍ବର ସେଲରୁ ତାଙ୍କୁ ୩ ନମ୍ବର ବ୍ଲକର ୧୮ ନମ୍ବର ୱାର୍ଡକୁ ସ୍ଥାନାନ୍ତାର କରାଯାଇଛି । ସେହି ୱାର୍ଡରେ ଚିଟଫଣ୍ଡ ଠକ , ଡକାୟତ, ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ୨୦ ଜଣ ଅପରାଧୀ ରହୁଛନ୍ତି । ସେହିପରି ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ ୪ ନମ୍ବର ବ୍ଲକର ୨୫ ନମ୍ବର ୱାର୍ଡକୁ ପଠାଇ ଦିଆଯାଇଛି । ଆସନ୍ତା ୪ ତାରିଖରେ ଜାମିନ ଶୁଣାଣି ଯାଏଁ ଜେଲରେ ରହିବେ ପପୁ ।

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କମିଶନରେଟ ପୋଲିସ ପପୁଙ୍କୁ ପୁରୀ ନନ୍ଦିଘୋଷ ଆପାର୍ଟମେଂଟରୁ ଗିରଫ କରିଥିଲା । ପପୁଙ୍କ ସହ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ଓରଫ ଗିଟୁକୁ ମଧ୍ୟ ପୋଲିସ ଗିରଫ କରିଛି । ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କ ଜାମିନ ଆବେଦନ ନେଇ ଶୁଣାଣି ସ୍ଥଗିତ ରହିବା ସହ ଆସନ୍ତା ଜୁଲାଇ ୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେଣୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରାତି ପ୍ରାୟ ୧୧ଟା ସମୟରେ କଡା ସୁରକ୍ଷା ମଧ୍ୟରେ ଏମାନଙ୍କୁ ଝାରପଡା ଜେଲରେ ଛାଡି ଦିଆଯାଇଥିଲା । ରାତିରେ ପପୁଙ୍କୁ ଖାଇବାକୁ ଦିଆଯାଇଥିଲେ ମଧ୍ୟ ସେ ଖାଇନଥିବା ସୂଚନା ମିଳିଛି । ଗତକାଲି ସଂଧ୍ୟାରେ ପପୁଙ୍କ ଗିରଫଦାରୀ ନେଇ ଏକ ପ୍ରେସମିଟରେ ସୂଚନା ଦେଇଥିଲେ ପୋଲିସ କମିଶନର ୱାଇ.ବି. ଖୁରାନିଆ । ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ପୋଲିସ ତାଂକୁ ଗିରଫ କରିଥିବା କହିଥିଲେ ।

ଏହା ସହ କେମିତି ଫସିଥିଲେ ପପୁ ! ପୁରା ଘଟଣାକ୍ରମ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ