କାଳ କୋଠରୀରେ କମେଡି : ଜେଲ୍ ଭିତରେ ଅନୁତପ୍ତ ନୁହଁନ୍ତି ପପୁ

121

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଝାରପଡା ଜେଲରେ ପିଙ୍କ୍ ବୟ । ଅଭିନେତାରୁ ଅଭିଯୁକ୍ତ । ହେଲେ ମୁହଁରୁ ଲିଭିନି ହସହସ ଅନ୍ଦାଜ୍ । ଗିରଫ ଠାରୁ ଜେଲ୍ ଯିବା ପର୍ଯ୍ୟନ୍ତ ସେହି ଚକୋଲେଟ୍ ହସ ଲେସି ହୋଇ ରହିଥିଲା ପପୁଙ୍କ ଚେହେରାରେ । କମେଡି କିଙ୍ଗଙ୍କ ଟ୍ରାଜେଡି ରୋଲ୍ ଦେଖିବାକୁ ଜେଲ୍ ଆଗରେ ଫ୍ୟାନ୍ ଭିଡ ଜମାଇଥିଲେ । ହେଲେ ଅନୁତାପର ଅଶ୍ରୁ କିନ୍ତୁ ନଥିଲା ପପୁଙ୍କ ଆଖିରେ । ଜେଲ୍ ଗଲେ ପପୁ । ରାତି କଟିଲା ୧୧ ନମ୍ବର ୱାର୍ଡରେ । ୱାର୍ଡରେ ଥିଲେ ୨୦ ଜଣ କଏଦୀ । ସମସ୍ତେ ଭାବିଥିଲେ ପ୍ରଥମ ରାତିରେ କାନ୍ଦି ପକାଇବେ ହସର ରାଜା । ହେଲେ କାନ୍ଦିବେ କଣ ପପୁ ପମପମ ନିଜ ଅନ୍ଦାଜରେ ସାଥୀ କଏଦୀଙ୍କୁ ଶୁଣାଇଥିଲେ ନିଜ ପୁରୁଣା ଫିଲ୍ମର କମେଡି ସିକ୍ୟୁଏନ୍ସ । କୁହାଯାଉଛି ଜମାରୁ ପଶ୍ଚାତାପ କରିନଥିଲେ ପପୁ । ସେପଟେ ଜେଲ୍ ଆଗରେ ଆଜି ବି ଲାଗିଥିଲା ଭିଡ ।

ସକାଳ ପାହିବା ପରେ ପପୁ ଉଠି ବ୍ରେକଫାଷ୍ଟ କରିଥିଲେ । ରୁଟି ,ଘୁଗୁନି ଓ ଉପମା । ଆଉ ଶୁକ୍ରବାରର ଲଂଚ ଖାଇଥିଲେ ଚିକେନ୍ । ଦିନ ତମାମ୍ ପପୁଙ୍କୁ ପାଖରେ ଦେଖିବାକୁ ଓ ପପୁଙ୍କ ମୁହଁରୁ ହସକଥା ଶୁଣିବାକୁ କଏଦୀ ତ କଏଦୀ ଏପରିକି ଜେଲ୍ କର୍ମଚାରୀ ବି ଲସରପସର ହେଉଥିଲେ । ଆଉ ଅପରାହ୍ନରେ ବଦଳିଯାଇଥିଲା ଜେଲ୍ ଭିତରେ ପପୁଙ୍କ ଠିକଣା । ୧୧ ନମ୍ବର ୱାର୍ଡରୁ ୩ ନମ୍ବର ବ୍ଲକର ୧୮ ନମ୍ବର ୱାର୍ଡକୁ ନିଆଯାଇଥିଲା ତାଙ୍କୁ । ଯେଉଁଠି ଏବେ ପପୁଙ୍କ ସାଥୀ ଚିଟଫଣ୍ଡ ଦଲାଲଙ୍କ ଠାରୁ ହତ୍ୟାକାରୀ ଓ ବଳାତ୍କାରୀ । ଏବେ ପ୍ରଶ୍ନ ଉଠୁଛି ଜେଲ ଯିବା ପରେ ବି କେମିତି ହସି ପାରୁଥିଲେ ପପୁ । ମାନସିକ ଚାପ ନିୟନ୍ତ୍ରଣ ପାଇଁ କୋହକୁ ଲୁଚାଇ ହସିବାର ଅଭିନୟ କରୁଛନ୍ତି କି ପପୁ । ସତରେ କଣ ନିଜ ଜୀବନର ମସ୍ତବଡ ଭୂଲ୍ ପାଇଁ କଣ ଅନୁତପ୍ତ ନୁହଁନ୍ତି ଏହି କଳାକାର ।