କମଳା ପୂଜାରୀଙ୍କ ଉପରେ ପଡିଲା ସରକାରଙ୍କ ଶୁଭ ଦୃଷ୍ଟି ! ମିଳିଲା ସରକାରୀ ଘର ଓ ବାର୍ଦ୍ଧକ୍ୟଭତା, ବିଲୁପ୍ତପ୍ରାୟ ଧାନ ବିହନ ସଂରକ୍ଷଣ କରି ଦକ୍ଷିଣ ଆଫ୍ରିକାରେ ପାଇଥିଲେ ପୁରସ୍କାର

34

କନକ ବ୍ୟୁରୋ : ଶେଷରେ ଯୋଜନା ବୋର୍ଡ ସଦସ୍ୟାଙ୍କୁ ମିଳିଲା ସରକାରୀ ଘର । କୋରାପୁଟର କମଳା ପୂଜାରୀ ଯିଏ ଲୋପ ପାଇଥିବା ଅନେକ ଦେଶୀ ଧାନ ବିହନ ସଂରକ୍ଷଣ କରି ପାଇଥିଲେ ଅନ୍ତର୍ଜାତୀୟ ପୁରସ୍କାର, ତାଙ୍କ ଉପରେ ପଡ଼ିଛି ରାଜ୍ୟ ସରକାରଙ୍କର କୃପାଦୃଷ୍ଟି । ବିଳମ୍ବରେ ହେଲେ ବି ମିଳିଛି ଖଣ୍ଡିଏ ଘର ।

ବିଲୁପ୍ତ ଦେଶୀ ବିହନକୁ ସରଂକ୍ଷଣ କରି ଦେଶ ବିଦେଶରେ ପୁରସ୍କାର ପାଇଥିବା କମଳା ପୂଜାରୀଙ୍କ ଉପରେ ଶେଷକୁ ଦୃଷ୍ଟି ପଡ଼ିଛି ସରକାରଙ୍କର । ରାଜ୍ୟ ସରକାରଙ୍କ ତରଫରୁ କମଳାଙ୍କୁ ଦିଆଯାଇଛି ଇନ୍ଦିରା ଆବାସ୍ ଘର ଓ ମାସିକ ୫ଶହ ଟଙ୍କାର ବାର୍ଦ୍ଧକ୍ୟ ଭତା । ବିଳମ୍ବରେ ହେଉ ପଛେ ସରକାରଙ୍କ ନଜର ପଡ଼ିଥିବାରୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ । ଏବେ ଆଗକୁ ଏହି ପରିଣତ ବୟସରେ ମଧ୍ୟ ଲୋକଙ୍କୁ ବିହନ ସାଇତି ରଖିବାର ପ୍ରଣାଳୀ ଶିଖାଇବେ ବୋଲି କହିଛନ୍ତି କମଳା ।

କୋରାପୁଟ ଜିଲ୍ଳା ପାତ୍ରପୁଟ୍ ଗାଁର କମଳା । ଯାହାଙ୍କ ପାଖରେ ଥିଲା ଲୋପ ପାଇଯାଇଥିବା ଅନେକ ଦେଶୀ କିସମର ଧାନର ବିହନର ଭଣ୍ଡାର । କମଳା ନିଜ ଉଦ୍ୟମରେ ସାଇତି ରଖିଥିଲେ କଳାଜିରା, ଉମୁରିଆ ଚୁଡ଼ି, ବାୟାଗୁଣ୍ଡା, ନିକିଟିମଛି ଭଳି ଅନେକ ପ୍ରକାରର ଦେଶୀ ବିହନ । କମଳାଙ୍କ ଏଭଳି ନିଆରା ଚେଷ୍ଟାର କଥା ଓଡ଼ିଶା ଡେଇଁ ସୁଦୁର ଦକ୍ଷିଣ ଆଫ୍ରିକା ଯାଏଁ ପହଂଚିଥିଲା ଓ ତାଙ୍କୁ ମିଳିଥିଲା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରସ୍କୃତ କରିଥିଲେ କମଳା ପୂଜାରୀଙ୍କୁ । ତେବେ ପକ୍କା ଘରଟେ ଗଢ଼ିବାକୁ ତାଙ୍କ ପାଖରେ ନଥିଲା ସମ୍ବଳ, ଯାହାକୁ ନେଇ ଗଣମାଧ୍ୟମରେ ହୋଇଥିଲା ଚର୍ଚ୍ଚା । ଆଉ ଏବେ ସରକାରଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ପଡିଥିବାରୁ ହସି ହସି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କମଳା । ଆଉ ପରିଣତ ବୟସରେ ମୁଣ୍ଡ ଉପରେ ଖଣ୍ଡିଏ ଛାତ ପାଇଥିବାରୁ ବେଶ ଖୁସି ଅଛନ୍ତି କମଳା ।