ଚଟପଟା ଗୁପଚୁପ୍ ହିଁ ଜଣ୍ଡିସର କାରଣ ! ବିଏମସି ରିପୋର୍ଟରେ ହେଲା ସ୍ପଷ୍ଟ

74

କନକ ବ୍ୟୁରୋ : ଦ୍ୱୈତ ନଗରୀରେ ଭୟାବହ ହେଉଛି ଜଣ୍ଡିସ । ଭୁବନେଶ୍ୱରରେ ଯେଉଁଠି ୩୯ ଛୁଇଁଛି ଜଣ୍ଡିସ ଆକ୍ରନ୍ତଙ୍କ ସଂଖ୍ୟା, ସେଠାରେ କଟକରେ ଏହି ସଂଖ୍ୟା ୧୦୦ ଟପିଲାଣି । ଆଉ ଏହା ପଛର କାରଣ ଜାଣିଲେ ଆପଣ ଆଚମ୍ବିତ ହେବେ । କାରଣ ଆପଣ ରାସ୍ତାକଡରେ ଅତି ଆଗ୍ରହରେ ଛିଡା ହୋଇ ଖାଉଥିବା ଗୁପଚୁପ ଏହି ଭୟାବହ ରୋଗର ମୁଖ୍ୟ କାରଣ ।

ଏଭଳି ରିପୋର୍ଟ ଆସିବା ପରେ କଡା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ସହରର ଅଧିକାଂଶ ସ୍ଥାନକୁ ଗୁପଚୁପ୍ ଯୋଗାଉଥିବା ନୀଳକଂଠନଗରରେ ବେପାରୀଙ୍କ ଉପରେ ଲଗାଯାଇଛି କଟକଣା । ଜଣ୍ଡିିସ୍ କିଭଳି ଆଉ ନବ୍ୟାପିବ ସେଥିପାଇଁ ପଦକ୍ଷେପ ନେଇଛି ବିଏମସି । ସହର ସଂପୂର୍ଣ୍ଣ ଜଣ୍ଡିିସମୁକ୍ତ ନହେବା ଯାଏଁ ଗୁପଚୁପ ବିକି ପାରିବେନି ଏହି ବସ୍ତିର ଗୁପଚୁପ ବେପାରୀ ।

ସେପଟେ କଟକ ସହରରେ ବି କଟକଣା । ଫୁଡ ଇନସ୍ପେକ୍ସନ ଟିମର ଅଚାନକ ଚଢାଉ ହୋଇଛି । ବିଭିନ୍ନ ଉଠା ଜଳଖିଆ ଓ ପାନୀୟ ଦୋକାନରେ ଯାଂଚ । ଦୀର୍ଘଦିନଧରି କଟକ ସହରରେ ଜଣ୍ଡିସ ରୋଗ ବ୍ୟାପୁଥିବାରୁ ପ୍ରଶାସନର ତନାଘନା । ବିଶେଷ କରି ବାସି ଖାଦ୍ୟ ଓ ଅପରିଷ୍କାର ପାଣିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଉପରେ କଟକଣା ଲଗାଇଛି ଫୁଡ ଇନସ୍ପେକ୍ସନ ଟିମ୍ । ଗୁପଚୁପ, ଦହିବରା ଓ ଜଳଖିଆ ଦୋକାନ ସମେତ ସରବତ ବିକ୍ରି କରୁଥିବା ଉଠା ଦୋକାନଗୁଡିକୁ କଡା ତାଗିଦ କରାଯାଇଛି । ଆଗକୁ ସତର୍କତା ଅବଲମ୍ବନ ନକଲେ ବିକ୍ରି ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା ।

ଅପରିଷ୍କାର ପାଣି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଦୈତନଗରୀରେ ବ୍ୟାପୁଛି କାମଳ ରୋଗ । ତେଣୁ ପ୍ରାଶସିନକ କଟକଣା ସହ ଲୋକେ ସଚେତନ ହେଲେ ଏହି ଭୟାବହ ରୋଗରୁ ମୁକ୍ତି ମିଳିପାରିବ ।