କିଏ ଆଣୁଛି କରୋନା ଭୂତାଣୁ ? ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ, ମାରାତ୍ମକ ଭୂତାଣୁର ବାହକ ହୋଇପାରେ ବଜ୍ରକାପ୍ତା ।

537

କନକ ବ୍ୟୁରୋ : ଚୀନରେ କାହିଁକି ମହାମାରୀର ରୂପନେଲା ମାରାତ୍ମକ କରୋନା ଭୂତାଣୁ ? ଏ ନେଇ ଗବେଷଣା ଚାଲିଛି, ଭିନ୍ନଭିନ୍ନ କାରଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବାଦୁଡ଼ି, କରୋନା ଭୂତାଣୁର ବାହକ ବୋଲି ସନ୍ଦେହ କରାଯାଉଛି । ଚୀନବାସୀ ବହୁଳ ଭାବେ ବାଦୁଡି ମାଂସ ଖାଉଥିବାରୁ ଏହି ଭୂତାଣୁ ବ୍ୟାପି ଥାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା ସନ୍ଦେହ ଘେରକୁ ଆସିଛି । ଚୀନରେ ମୃତ୍ୟୁ ସଂଖ୍ୟା ୭୨୨ ଓ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଟପିବା ପରେ ସାରା ବିଶ୍ୱର ଚିନ୍ତା ବଢିଯାଇଛି । ତେଣୁ ଏହାର କାରଣ ଓ ନିରାକରଣ ପାଇଁ ସବୁ ସ୍ତରରେ ଚାଲିଛି ଗବେଷଣା ।

ବାଦୁଡି ପରେ ବଜ୍ରକାପ୍ତା । କରୋନା ଭୂତାଣୁ ପଛରେ କିଏ ? ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ନଭେଲ କରୋନା ଭୂତାଣୁ । ଏପରି ସ୍ଥିତିରେ ବୈଜ୍ଞାନିକମାନେ ଏହି କରୋନା ଭୂତାଣୁ ପଛର କାରଣ ଖୋଜିବାରେ ଲାଗି ପଡିଛନ୍ତି । ଦକ୍ଷିଣ ଚୀନ କୃଷି ବିଶ୍ୱବିଦ୍ୟାଳୟର ଏକ ବିଶେଷଜ୍ଞ ଦଳର ଅନୁସନ୍ଧାନରୁ ଜଣାପଡିଛି କରୋନା ଭୂତାଣୁୁ ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥାଇପାରେ । ତେବେ ଏ ସଂପର୍କରେ କୌଣସି ନିଷ୍କର୍ଷରେ ପହଁଚିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି । ଚୀନରେ ବହୁ ପରିମାଣରେ ବଜ୍ରକାପ୍ତା ମାଂସ ବ୍ୟବହାର ହେଉଥିବାରୁ ଏହାକୁ ନଭେଲ କରୋନା ଭୂତାଣୁର କାରଣ ବୋଲି କୁହାଯାଉଛି ।

ବଜ୍ରକାପ୍ତା ଏକ ସ୍ତନ୍ୟପାୟୀ ପ୍ରାଣୀ । ବିଶ୍ୱରେ ସବୁଠାରୁ ଅଧିକ ଚୋରା ଚାଲାଣ ବଜ୍ରକାପ୍ତାର ହୋଇଥାଏ । ଆଉ ଚୀନ ଭଳି କିଛି ଦେଶରେ ବଜ୍ରକାପ୍ତା ମାଂସକୁ ଖାଦ୍ୟ ରୂପେ ବହୁଳ ବ୍ୟବହାର କରାଯାଇଥାଏ ।

ଚୀନ କୃଷି ବିଶ୍ୱବିଦ୍ୟାଳୟର ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବଜ୍ରକାପ୍ତାରେ ମିଳୁଥିବା ଭୂତାଣୁ ଓ କରୋନା ଆକ୍ରାନ୍ତଙ୍କ ଦେହରେ ମିଳୁଥିବା ଭୂତାଣୁ ମଧ୍ୟରେ ୯୯ ପ୍ରତିଶତର ସମାନତା ରହିଛି । ପ୍ରାୟ ହଜାରେ ଜଣ କରୋନା ଆକ୍ରାନ୍ତଙ୍କ ରକ୍ତ ନମୂନା ପରୀକ୍ଷା ପରେ ଏଭଳି ଏକ ସମ୍ଭାବନା ସାମ୍ନାକୁ ଆସିଛି । ପୂର୍ବରୁ ବାଦୁଡି ମାଂସ ଏବଂ ସାପ ମାଂସ କରୋନା ଭୂତାଣୁ ସଂକ୍ରମଣ ପଛରେ କାରଣ ବୋଲି କୁହାଯାଉଥିଲା । ଏଦିଗରେ ବୈଜ୍ଞାନିକମାନେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ।

ବଜ୍ରକାପ୍ତା ମାଂସରୁ କରୋନା ଭୂତାଣୁ ବ୍ୟାପିଛି କି ନାହିଁ ସେ ନେଇ ବିଶେଷଜ୍ଞଙ୍କ ଅନୁସନ୍ଧାନ ଜାରି ରହିଛି । ତେବେ ଓଡିଶାରୁ ବହୁ ପରିମାଣରେ ବଜ୍ରକାପ୍ତା ଚୀନକୁ ଚୋରାଚାଲାଣ ହେଉଥିବା ନେଇ ଖବର ଏବେ ଚିନ୍ତା ବଢ଼ାଇଛି ।