ଓଡିଶାର ବଜ୍ରକାପ୍ତା ଚମଡାରୁ ଚୀନ ତିଆରି କରୁଛି ବୁଲେଟ ପ୍ରୁଫ୍ ଜ୍ୟାକେଟ ଓ ଔଷଧ! ଓଡିଶାରୁ ଚୀନ ଭାୟା ମିଆଁମାର ଯାଏଁ ଲମ୍ବିଛି ବଜ୍ରକାପ୍ତା ଚୋରାଚାଲାଣର ଚେର ।

389

କନକ ବ୍ୟୁରୋ : ଓଡିଶାରୁ ମିଆଁମାର , ଆଉ ଚେର ଲମ୍ବିଛି ଚୀନକୁ । ବିରଳ ଜୀବ ବଜ୍ରକାପ୍ତାର ଏକ ଅନ୍ତର୍ଜାତୀୟ ଚୋରା ଚାଲାଣ ରାକେଟକୁ ଧରିଛି ଏସଟିଏଫ୍ । ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡାରୁ ବଜ୍ରକାପ୍ତା ଧରାଯାଇ ତାର ଚୋରା ଚାଲାଣ କରାଯାଉଛି । ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଗୋଟିଏ ବଜ୍ରକାପ୍ତା । ଏହି ବିରଳ ଜଙ୍ଗଲୀ ଜନ୍ତୁର କାତି ଓ ଚମଡାରୁ ଔଷଧ ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି ହେଉଥିବାରୁ ଦିନକୁ ଦିନ ଏହାର ଶୀକାର ବଢିଛି ।

ସାରା ବିଶ୍ୱରେ ବିଲୁପ୍ତପ୍ରାୟ ବିରଳ ଜୀବ ବଜ୍ରକାପ୍ତା ଚୋରା ଚାଲାଣର ଏକ ବଡ ରାକେଟ ଧରାପଡିଛି । ଓଡିଶାରୁ ବଜ୍ରକାପ୍ତା ଯାଉଛି ମିଆଁମାର, ଆଉ ସେଠାରୁ ଚୀନ୍ । ଏସଟିଏଫ୍ ହାତରେ ଲାଗିଛି ଏହି ଅନ୍ତରାଷ୍ଟ୍ରୀୟ ଚୋରା ଚାଲାଣ ଗ୍ୟାଙ୍ଗର ନେଟୱର୍କ । ଦଶପଲ୍ଲା ଜଙ୍ଗଲରୁ ଗିରଫ ସାମସୁଦ୍ଦିନ ଖାନ୍, ପୋଲିସ ଆଗରେ ଖୋଲିଛି, ବଜ୍ରକାପ୍ତା ଚୋରା ଚାଲାଣର ଅନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ନେଟୱର୍କ ।

ଓଡିଶାରୁ ଚୀନକୁ ଲମ୍ବିଛି ବଜ୍ରକାପ୍ତା ଚୋରା ଚାଲାଣର ଚେର । ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ରାୟଗଡା, ଛତିଶଗଡର କାଙ୍କେର, ଧମତାରି, ବସ୍ତର, ମଧ୍ୟପ୍ରଦେଶର ବାଲାଘାଟ, ସିଓନି, ଛିନ୍ଦୱାରା ଏବଂ ମହାରାଷ୍ଟ୍ରର ଗନ୍ଦିଆ, ଚନ୍ଦ୍ରପୁର ଓ ଗଡଚିରୋଲିରେ ବଜ୍ରକାପ୍ତା ମିଳିଥାଏ । ବଜ୍ରକାପ୍ତା କାତି ସଂଗ୍ରହ ପରେ ଟ୍ରେନ୍ ଓ ଟ୍ରକରେ ତାକୁ ଆସାମର ଗୁଆହାଟୀ ପଠାଯାଏ । ଆସାମ ସିଲଚରର ଆମିର ହୁସେନ ଏହି ଚୋରା ଚାଲାଣର ମାଷ୍ଟର ମାଇଣ୍ଡ । ଯାହାର ମିଆଁମାର ସହ ସିଧାସଳଖ ସଂପର୍କ ରହିଛି । ମିଜୋରମ ଓ ମଣିପୁର ଦେଇ ଅନ୍ତରାଷ୍ଟ୍ରୀୟ ସୀମା ପାର୍ କରାଯାଏ । ବିଶେଷ କରି ମିଆଁମାର ଓ ଭିଏତନାମ ଦେଇ ଚୀନକୁ ଯାଏ ଏହି ବିରଳ ବଜ୍ରକାପ୍ତା ।

ବଜ୍ରକାପ୍ତା ଏକ ବିରଳ ପ୍ରାଣୀ । ଏହାର ୮ଟି ପ୍ରଜାତି ରହିଛନ୍ତି । ଚୀନର ପାରମ୍ପରିକ ଔଷଧ ତିଆରି ପାଇଁ ବିରଳ ବଜ୍ରକାପ୍ତାର ବ୍ୟବହାର ହୁଏ । ଏଥିସହ ବଜ୍ରକାପ୍ତା ଚମଡା ଓ କାତିରୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଶକ୍ତିବର୍ଦ୍ଧକ ଔଷଧ, ଦାମୀ ମେଡିସିନ୍ ଓ କପଡା ତିଆରି ହୁଏ । ଗୋଟିଏ ବଜ୍ରକାପ୍ତାର ଦାମ୍ ବାହାର ଦେଶରେ ପ୍ରାୟ ୭ ରୁ ୧୦ ଲକ୍ଷ ଟଙ୍କା । ୨୦୧୫ର ଏକ ରିପୋର୍ଟ ଅନୁଯାୟୀ, ବଜ୍ରକାପ୍ତା କାତିର ମୂଲ୍ୟ ୧ କିଲୋଗ୍ରାମକୁ ୨ ଲକ୍ଷରୁ ଅଧିକ ଟଙ୍କା । ବଜ୍ରକାପ୍ତା ମାଂସର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୨୧ ହଜାରରୁ ଅଧିକ ।