ଆଜିଠାରୁ ଆରମ୍ଭ ପଂଚୁକ ବ୍ରତ : ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳିଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା

47

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ପଂଚୁକ ବ୍ରତଧାରୀଙ୍କ ଭିଡ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀଜୀଉଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପଂଚୁକ ବ୍ରତରେ ବ୍ରତଧାରୀମାନେ ନିଷ୍ଠାର ସହ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ ଓ ମହୋଦଧୀରେ ସ୍ନାନ କରି ଉପବାସ ରହି ୫ଦିନ ଲକ୍ଷ୍ମୀନାରାୟଣ ଉପାସନା କରୁଛନ୍ତି । ତେବେ ଏହି ତିଥିରେ ଶୁଭକାଳ ଆରମ୍ଭ ହେଉଥିବାରୁ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରକୃଷ୍ଠ ସମୟ ବୋଲି ଗବେଷକ ମତ ଦିଅନ୍ତି ।

ପଂଚୁକ ପାଇଁ ପ୍ରତିଦିନ ଅବକାଶ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାର ସହିତ ବିଭିନ୍ନ ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ପୁଲିସ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା ସହିତ ନୀତି ଶୃଙ୍ଖଳିତ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଏଥିପାଇଁ ୩୩ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।

ସେପଟେ ଯାଜପୁର ପୂଣ୍ୟତୋୟା ବୈତରଣୀ ନଦୀ କୂଳ ଜଗନ୍ନାଥ ମନ୍ଦିର ପରିସରରେ ଶତାଧିକ ହବିଷ୍ୟାଳି ପଂଚୁକ ବ୍ରତ ପାଳନ କରିଛନ୍ତି । ବଢ଼ି ଭୋରରୁ ହବିଷ୍ୟାଳିମାନେ ସ୍ନାନ କରି ବିଭିନ୍ନ ଦେବାଳୟ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପରେ ରାଇ ଦାମୋଦର ବେଶ ଧାରଣ କରି ଲକ୍ଷ୍ମୀନାରାୟଣଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ହବିଷ୍ୟାଳିମାନେ ଅଁଳା ନବମୀ ଠାରୁ ଏହି ବ୍ରତ କରି ବଡ ଓଷା ଦିନ ବ୍ରତ ଶେଷ କରିଥାନ୍ତି । ବଡିଭୋରରୁ ବୃନ୍ଦାବତୀଙ୍କ ନିକଟରେ ମୁରୁଜ ପକାଇଥାନ୍ତି ମହିଳା ।