ବଦଳିଲା ୪୦୦ ବର୍ଷର ଇତିହାସ ! ପ୍ରଥମ ଥର ପାଇଁ ମା’ ପଞ୍ଚୁବରାହୀଙ୍କ ମୂର୍ତ୍ତିକୁ ସ୍ପର୍ଶ କଲେ ଗାଁର ପୁରୁଷ, ସମୁଦ୍ର ଗର୍ଭରେ ଲୀନ ହେବା ପୂର୍ବରୁ ମା’ଙ୍କୁ କରାଗଲା ସ୍ଥାନାନ୍ତର

79

କନକ ବ୍ୟୁରୋ : ବଦଳିଲା ୪୦୦ ବର୍ଷର ଇତିହାସ । ପ୍ରଥମ ଥର ପାଇଁ ମା’ଙ୍କ ମୂର୍ତିକୁ ସ୍ପର୍ଶ କଲେ ଗାଁର ପୁରୁଷମାନେ । ଆଉ ଏହା ପଛରେ ରହିଛି ମାଆଙ୍କ ମୂର୍ତି ସ୍ଥାନାନ୍ତର । ସମୁଦ୍ରଗର୍ଭରେ ଲୀନ ହେବା ଆଶଙ୍କାରେ ସାତଭାୟା ପଂଚୁବରାହୀ ମନ୍ଦିରର ପ୍ରତିମୂର୍ତିକୁ ଆଜି ବଗପଟିଆ ସ୍ଥ୍ାନାନ୍ତର କରାଯାଇଥିଲା । ଏହାପୂର୍ବରୁ କେନ୍ଦ୍ରାପଡ଼ା ସାତଭାୟାର ପାଖାପାଖି ୫୭୧ ପରିବାରକୁ ବଗପଟିଆ ଗାଁକୁ ସ୍ଥାନାନ୍ତର କରାଯାଇଥିଲା ।

ମଝି ସମୁଦ୍ରରେ ମା’ ପଂଚୁବରାହୀଙ୍କ ପ୍ରତିମୂର୍ତିର ସ୍ଥାନାନ୍ତର । ବଗପଟିଆ ଗାଁକୁ ଗଲା ମା’ଙ୍କ ପ୍ରତିମୂର୍ତି । ସମୁଦ୍ର କ୍ରମେ ମାଡ଼ିଆସୁଥିବାରୁ ମା’ଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆ ଯାଉଛି । ୨ଟି ବଡ଼ ଡଙ୍ଗା ଓ ଗୋଟିଏ ଗାଡ଼ି ସହାୟତାରେ ହେଲା ପୂରା ସ୍ଥାନାନ୍ତର ପ୍ରକ୍ରିୟା । ଏଥି ପାଇଁ ପ୍ରଥମେ ମା’ଙ୍କ ସ୍ନାନ, ମାର୍ଜନା ସହ ନୂଆ ବସ୍ତ୍ର ପିନ୍ଧାଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ସାତଭାୟାରୁ ବାଉଁଶଗଡ଼ ଓ ତା ପରେ ଡଙ୍ଗାରେ ମା’ଙ୍କୁ ଓକିଲପାଳ ଛକ ଯାଏଁ ନିଆ ଯାଇଥିଲା । ମଧ୍ୟାହ୍ନ ଧୂପ ଓ ଭୋଗଲାଗି ପରେ ମା’ଙ୍କ ପ୍ରତିମୂର୍ତି ପହଂଚିଥିଲା ବଗପଟିଆ । ମୂଳ ସ୍ଥାନ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି ।

ମା’ ପଂଚୁବରାହୀଙ୍କ ମନ୍ଦିର ନେଇ ଅନେକ ରୋଚକ ତଥ୍ୟ ରହିଛି ।
୧. ମନ୍ଦିରର ୪୦୦ ବର୍ଷ ଇତିହାସରେ ପୁରୁଷ ମା’ଙ୍କ ମୂର୍ତିକୁ ସ୍ପର୍ଶ କରିନଥିଲେ ।
୨. ମତ୍ସ୍ୟଜୀବି ସମ୍ପ୍ରଦାୟର ମହିଳା କେବଳ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି ।
୩. ମନ୍ଦିରର ଦୁଇପାଶ୍ୱର୍କୁ ସମୁଦ୍ର ଗିଳିସାରିଥିବା ସତ୍ୱେ ମନ୍ଦିରକୁ ଛୁଇଁପାରିନଥିଲା ।
୪. ପ୍ରତିଦିନ ସମୁଦ୍ରକୁ ଶାନ୍ତ କରିବାକୁ ମା’ଙ୍କ ପାଖରେ ପ୍ରାର୍ଥନା କରାଯାଇଥାଏ ।

ଦୁଇ ପାଖ ସମୁଦ୍ର, ମଝିରେ ପଂଚୁବରାହୀ ମନ୍ଦିର । ପୂରା ଅଞ୍ଚଳକୁ ସମୁଦ୍ର ଗିଳି ସାରିଥିବା ବେଳେ ମା’ଙ୍କ ମନ୍ଦିର ସ୍ପର୍ଶ କରିନଥିଲା । କିନ୍ତୁ ଆଜି ନହେଲେ କାଲି ହୁଏତ ମନ୍ଦିର ଲୀନ ହେବ ସମୁଦ୍ରଗର୍ଭରେ । ତେବେ ତା’ ପୂର୍ବରୁ ରାଜକନିକା ରାଜା ନିର୍ମାଣ କରିଥିବା ମନ୍ଦିରରୁ ୧.୫ ଟନ ଓଜନ ବିଶିଷ୍ଟ ମା’ଙ୍କ ମୂର୍ତିକୁ ବଗପଟିଆ ଗାଁକୁ ନିଆଯାଇଛି । ଶୋଧନ ପରେ ମୂର୍ତିର ସ୍ଥାପନା ଓ ପରେ ପୂର୍ବ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ।