ପଂଚାୟତ ଦଖଲ ପାଇଁ ଜୋରଦାର ପ୍ରଚାର : ଗାଁ ଗଣ୍ଡାରେ ବୋହିଲାଣି ନିର୍ବାଚନୀ ହାୱା

30

କନକ ବ୍ୟୁରୋ : ପଂଚାୟତ ଦଖଲ ପାଇଁ ଜୋର ଧରିଲାଣି ପ୍ରଚାର । ଭୋଟରଂକୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଦଳ ମଧ୍ୟରେ ଚାଲିଲାଣି ବଳ କଷାକଷି । ଉଠୁଛି ପଡୁଛି ଗାଁ ଗଣ୍ଡା । ପ୍ରଚାରରେ ଫାଟି ପଡୁଛି ଗଳିକନ୍ଦି । ଗାଁ ଗାଁରେ ବୋହିଲାଣି ନିର୍ବାଚନୀ ହାୱା । ପଂଚାୟତ ପାଇଁ ଓଜାଡି ହୋଇପଡୁଛି ପ୍ରତିଶ୍ରୁତିର ସୁଅ । ମାଳ ମାଳ ନେତା , ଗଣ୍ଡା ଗଣ୍ଡା କର୍ମୀ । ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି ।

କିଏ କହୁଛି ଗାଁରେ ପକ୍କା ରାସ୍ତା କରିଦେବ ତ ଆଉ କିଏ ବିଜୁଳି ଓ ପିଇବା ପାଣି । ପୁଣି କିଏ ଦେଖାଉଛି ରାସନକାର୍ଡ ଓ ଇନ୍ଦିରା ଆବାସର ଲୋଭ । ସଭା ସମିତି, ପଦଯାତ୍ରା ଓ ଶୋଭାଯାତ୍ରାରେ ଚାଲିଛି ପ୍ରଚାର । ଦଳ ଦଳ ମଧ୍ୟରେ ଚାଲିଛି ଛକାପଂଝା ।

ସେପଟେ ସୁନ୍ଦରଗଡରେ ଜୋରଧରିଛି ପୋଷ୍ଟର ପଲିଟିକ୍ସ । ନେତାଙ୍କୁ ନେଇ ରାଜନୀତି । ଗାଁ ଦାଣ୍ଡରେ ଲାଗିଛି ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୋଷ୍ଟର । ଲେଖାଯାଇଛି ଓଡିଶା ଚିଟଫଣ୍ଡ ଲୁଟେରା ଏବେ ସୁନ୍ଦରଗଡରେ । ଆଉ ଏହାର ୨୪ ଘଂଟା ନପୁରୁଣୁ ଲାଗିଛି କଂଗ୍ରେସ ବିଧାୟକ ଫ୍ରଫୁଲ୍ଲ ମାଝୀଙ୍କ ଫଟୋ ଥିବା ପୋଷ୍ଟର ।

ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଫଟୋ ସହ ଲେଖାଯାଇଛି ଖଣି ଲୁଟେରା ଓ ଇଟା ମାଫିଆ ପ୍ରତି ସାବଧାନ । ଏବେ ପଂଚାୟତ ନିର୍ବାଚନରେ ବାଜି ମାରିବାକୁ ଲାଗି ପଡିଛନ୍ତି ସବୁ ଦଳର ନେତା । ବରିଷ୍ଠ ନେତା ଓ ମନ୍ତ୍ରୀ ବି ଡେରା ପକାଇଲେଣି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ।