ଦିଲ୍ଲୀ ଗଲେ ପଲ୍ଲୀ ହାରିଲେ ! ଶୋଚନୀୟ ପରାଜୟ ପରେ କାଠଗଡାରେ ପ୍ରସାଦଙ୍କ ନେତୃତ୍ୱ

26

କନକ ବ୍ୟୁରୋ : ଦିଲ୍ଲୀ ଦୌଡ଼ି ଦୌଡ଼ି ପଲ୍ଲୀରେ ହରାଇଲେ ସତା । କଂଗ୍ରେସ ଏଥର ଦ୍ୱିତୀୟ ସ୍ଥାନରୁ ଖସି ଆସଛି ତୃତୀୟକୁ  । ପ୍ରଥମ ପଯ୍ୟାୟ ଫଳ ଆସିବା ପରେ ରାଜ୍ୟ କଂଗ୍ରେସରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି । ପରିସ୍ଥିତି ଏମିତି ହୋଇଛି ଯେ, ବର୍ଷ ବର୍ଷ ଧରି ପାରମ୍ପରିକ ଭୋଟ୍ ବ୍ୟାଙ୍କରେ ବି ଡ଼ିପୋଜିଟ ନିଲ୍ । ପରାଜୟ ସହ ଆଉ ଏକ ଚିତ୍ର ବି ସାମ୍ନାକୁ  ଆସିଛି । ନେତା ସହ ଲଢ଼ୁଥିବା ନେତା ନିଜ ଅଂଚଳରେ ଧୂଳି ଚାଟିଛନ୍ତି । କାହିଁକି ହାରର ମୁହଁକୁ ଦେଖିଲା କଂଗ୍ରେସ । ଆରମ୍ଭ ହୋଇଛି ପୋଷ୍ଟମର୍ଟମ୍ ।

କାହିଁକି ଉଠିଲାନି ହାତ । କାହିଁକି ଦୁର୍ବଳ ହୋଇଗଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟ ରାୟ ଗାଁରୁ ଆସିବା ପରେ ଏସବୁ ପ୍ରଶ୍ନର ଉତ୍ତର ଖୋଜା ଆରମ୍ଭ ହୋଇଯାଇଛି । ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କଂଗ୍ରେସର ଚର୍ଚ୍ଚତ ପ୍ରସଙ୍ଗ-ନେତା ବନାମ ନେତା । ବିଜେଡି ପରେ ଦ୍ୱିତୀୟ ସ୍ଥାନରେ ରହିଗଲା କଂଗ୍ରେସ ।

ହେଲେ ପ୍ରଦେଶ କଂଗ୍ରେସର ମଙ୍ଗ ପ୍ରସାଦ ହରିଚନ୍ଦନ ଧରିବା ପରେ ଦଳରେ ଆରମ୍ଭ ହୋଇଗଲା ଗୋଷ୍ଠୀ କନ୍ଦଳ । ଫଳସ୍ୱରୂପ ପଞ୍ଚାୟତ ଭୋଟରେ ଲଢିିବାକୁ ଏକାଠି ହୋଇ ପାରିଲେନି କଂଗ୍ରେସର ହେଭିୱେଟ । ଘରକଳି ହାଟରେ ପଡି ବାଟରେ ଗଡିଲା । ଆଉ ଏବେ ନେଡି ଗୁଡ କହୁଣୀକୁ ବୋହିଯିବା ପରେ ମୁଖିଆ କହୁଛନ୍ତି ପରାଜୟର ସମୀକ୍ଷା ହେବ ।

ଗୋଷ୍ଠୀ କନ୍ଦଳରେ ଯେଉଁ ନେତାଙ୍କ ଭାଗିଦାରୀ ଯେତେ ଅଧିକ ଥିଲା ସେଇଠି ଦଳର ସ୍ଥିତି ସଙ୍ଗୀନ ହେଲା । ବଲାଙ୍ଗିରରେ ନରସିଂହ, ଜଗତସିଂହପୁରରେ ଚିରଞ୍ଜୀବି ଓକୋରାପୁଟରେ ତାରା ବାହିନୀପତି । କଥା କଥାକେ ଦଳୀୟ କନ୍ଦଳକୁ ଦେଇ ବିବୃତି ଦେଇ ଆସୁଥିବା ନେତାଙ୍କ ନିଜ ଅଞ୍ଚଳରେ ସ୍ଥିତି ଦୋହଲି ଯାଇଛି । ଏପରିକି ଅନେକ ଜିଲ୍ଲାରେ ପାରମ୍ପରିକ ଭୋଟ ବ୍ୟାଙ୍କୁ ବଂଚେଇ ପାରିନି ଦଳ ।

କେବଳ ସେତିକି ନୁହେଁ ଗାଁ କବଜା କରିବାକୁ ବିଜେଡି ଓ ବିଜେପିି ପ୍ରଚାରକୁ ଗୁରୁତ୍ୱ ଦେଇଥିବା ବେଳେ କଂଗ୍ରେସ ନେତାଙ୍କ ଦେଖା ମଳିନଥିଲା । ସମନ୍ୱୟର ଅଭାବ ଜଳଜଳ ହୋଇ ଦେଖାଗଲା । ବି.କେ ହରିପ୍ରସାଦ ଓ ଶୁଭଙ୍କର ସରକାରଙ୍କ ଭଳି ଷ୍ଟାର କ୍ୟାମ୍ପେନର କେବଳ ତାଲିକାରେ ସୀମିତ ରହିଗଲେ । ହେଲେ ପରାଜୟ ପରେ ଆତ୍ମ ସମୀକ୍ଷା କରିବା ପରିବର୍ତ୍ତେ ବିରୋଧୀଙ୍କୁ ସମାଲୋଚନା କରିବାରେ ମାତିଛନ୍ତି ନେତା । ଗତବର୍ଷ ମୋଟ ୧୨୮ ଟି ଆସନରେ ଜିତି ଦଳ ରହିଥିଲା ଦ୍ୱିତୀୟ ସ୍ଥାନରେ । ଏଥର ଅପେକ୍ଷା ଶେଷ ରିପୋର୍ଟକୁ ।