ଜୋର ଧରୁଛି ନିର୍ବାଚନୀ ହିଂସା ! ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ହିଂସା

25

କନକ ବ୍ୟୁରୋ : ଗୋଟିଏ ପଟେ ଜୋରସୋରେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ନିର୍ବାଚନୀ ହିଂସା । ବଲାଙ୍ଗିର ଜିଲ୍ଲା ପଣ୍ଡରାପାଟି ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ହିଂସାକାଣ୍ଡ । ବିଜୟୀ ସରପଂଚ ପ୍ରାର୍ଥୀ ଓ ତାଙ୍କ କିଛି ସମର୍ଥକଙ୍କ ସହିତ ଗାଁ ଲୋକଙ୍କ ମଧ୍ୟ ସଂର୍ଘଷ ଉଗ୍ରରୂପ ନେଇଛି । ଉତ୍ୟକ୍ତ ଗ୍ରାମବାସୀ ବିଜୟୀ ସରପଂଚ ପ୍ରାର୍ଥୀଙ୍କ ଘର, ୫ଟି ବାଇକ୍ ଏବଂ ୨ଟି ଚାରିଚକିଆ ଗାଡ଼ି ପୋଡ଼ି ଦେଇଛନ୍ତି । ଏହି ହିଂସାକାଣ୍ଡ ପରେ ପଣ୍ଡରାପାଟି ଗାଁରେ ଉତେଜନା ପରିସ୍ଥିତି ଲାଗି ରହିଛି ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୁଲିସ ମୁତୟନ ରହିଛନ୍ତି । ବିଜୟୀ ହୋଇଥିବା ସରପଂଚଙ୍କ ଜଣେ ସମର୍ଥିତ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ପରାଜୟକୁ ନେଇ ଏହି ହିଂସାକାଣ୍ଡ ଘଟିଛି । ପରାଜୟ ପରେ ସରପଂଚ ଏବଂ ତାଙ୍କ କିଛି ସମର୍ଥକ ଗାଁର ଏକ ସାହିକୁ ଯାଇ ଭୋଟ୍ ନଦେବାକୁ କେନ୍ଦ୍ରକରି ଗାଳିଗୁଳକ ଏବଂ ପାଟିତୁଣ୍ଡ କରିଥିଲେ ।
ଏଥିରେ ସାହି ସମେତ ଗାଁ ଲୋକ ଉତେଜିତ ହୋଇ ସରପଂଚଙ୍କ ଘର ପୋଡ଼ି ଦେବା ସହ ତାଙ୍କର ୭ଟି ଗାଡ଼ି ପୋଡି ଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଛି ନିଆଁକୁ ଆୟତ କରିଥିବା ବେଳେ ପରିସ୍ଥିତିର ମୁକାବିଲା ପାଇଁ ପୁଲିସ୍ ଗାଁରେ ଜଗି ରହିଛି ।