ଉପ-ନିର୍ବାଚନରେ ପଡିବ କି ପଂଚାୟତ ଭୋଟର ପ୍ରଭାବ । ଜାଣନ୍ତୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କାହାର କିଭଳି ଥିଲା ପ୍ରଦର୍ଶନ ।

48

କନକ ବ୍ୟୁରୋ :  ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପରେ ରାଜ୍ୟ ରାଜନୀତି କଡ ଲେଉଟାଉଥିବାର ଚର୍ଚ୍ଚା ହେଲା । ଜିଲ୍ଲା ପରିଷଦ ଲଢେଇରେ ଶାସକ ବିଜୁ ଜନତା ଦଳକୁ କଡା ଟକ୍କର ଦେଇଥିଲା ଭାରତୀୟ ଜନତା ପାର୍ଟି । ଦଳୀୟ ଚିହ୍ନରେ ହୋଇଥିବା ଏହି ଲଢେଇରେ ବିଜେଡି ୨୦୧୨ ତୁଳନାରେ ଖରାପ ପ୍ରଦର୍ଶନ କରିଥିବା ବେଳେ ବିଜେପି ଯଥେଷ୍ଟ ଅଧିକ ସଫଳତା ହାସଲ କରିଥିଲା । ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ୨ ନମ୍ବର ଦଳ ହୋଇଥିବା ବିଜେପି ନେତା ଦାବି କରିଥିଲେ । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ଖସି ଆସିଥିଲା ୩ ନମ୍ବରକୁ । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ସ୍ଥାନରେ ଯଦିଓ ବିଜେଡି ରହିଥିଲା, ତେବେ ୨୦୧୨ ତୁଳନାରେ ଦଳ ୨୫% ଆସନ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କରିଥିଲା ବିଜେପି, ୨୦୧୨ ତୁଳନାରେ ଦଳ ପାଖାପାଖି ୯ ଗୁଣା ଅଧିକ ଆସନ ପାଇଥିଲା । ତେବେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ମାତ୍ର ୬୦ ଆସନରେ ଜିତିଥିଲା କଂଗ୍ରେସ । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ଉତ୍ତର ଓ ପଶ୍ଚିମ ଓଡିଶାରେ ବିଜେଡିର ଚିତ୍ର ଥିଲା ଚିନ୍ତାଜନକ । ଏହି ସବୁ ଅଂଚଳରେ ବିଜେଡି ଗଡରେ ବିଜେପି ଧସେଇ ପଶୁଥିବାର କୁହାଗଲା ।


ତେବେ ପଂଚାୟତ ନିର୍ବାଚନର ଆଉ ଏକ ବଡ ଦିଗ ମଧ୍ୟ ସାମ୍ନାକୁ ଆସିଥିଲା । କେବଳ ଜିଲ୍ଲା ପରିଷଦ ଆସନକୁ ଛାଡିଦେଲେ ବିଜେପି ପଂଚାୟତ ସ୍ତରରେ ନିଜର ଦବଦବା ଜାହିର କରିବାରେ ବିଫଳ ହୋଇଥିଲା । ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ୨୧୮ ବ୍ଲକ ଦଖଲ କରିଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ୨୯ ବ୍ଲକ ଦଖଲ କରିବାରେ ସକ୍ଷମ ହୋଇଥିଲା । ଏହି ଲଢେଇରେ କିନ୍ତୁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିବାରେ ସକ୍ଷମ ହୋଇଥିଲେ । ଏହାକୁ ଅନୁଶୀଳନ କଲେ ସ୍ପଷ୍ଟ ଜଣାପଡିବ, ତୃଣମୁଳ ସ୍ତରରେ ବିଜେପି ନିଜର ଛାପ ଛାଡିବାରେ ସକ୍ଷମ ହୋଇନାହିଁ । ଖାଲି ଦଳୀୟ ଚିହ୍ନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀ ବାଜିମାତ କରିଥିଲେ, ହେଲେ ସଂଗଠନର ଯେଉଁଠି ଶକ୍ତି ବା ସାମର୍ଥ୍ୟ ଜଣାପଡେ ସେହି ସ୍ଥାନରେ ବିଜେପି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେପି ବେଶ ଚାଲାକିର ସହିତ ଜିଲ୍ଲା ପରିଷଦ ନିର୍ବାଚନ ଲଢିଥିଲା । ଦଳୀୟ ଚିହ୍ନରେ ହେଉଥିବା ଲଢେଇରେ ବାଜିମାତ କରିବାକୁ ଦଳ ଗୋଟିଚାଳନା କରି ରାଜ୍ୟ ରାଜନୀତିରେ ଛାପ ଛାଡିବାକୁ ସକ୍ଷମ ହୋଇଥିଲା । ନଚେତ, ଓଡିଶାର ଗ୍ରାମାଂଚଳର ଭୋଟ ଭିନ୍ନ ଭିନ୍ନ ଆସନ ପାଇଁ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କୁ ବାଛି ଭୋଟ ଦେବାର ନଜିର କେବେ ନଥିଲା । ଅର୍ଥାତ୍, ବିଜପେିର କେବଳ ଲକ୍ଷ ରହିଥିଲା, ଜିଲ୍ଲା ପରିଷଦ ଆସନରେ ଜିତି ନିଜଦର ଦବଦବା ଜାହିର କରିବାକୁ ସକ୍ଷମ ହୋଇଥିଲା ।


ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରେ ପଂଚାୟତ ନିର୍ବାଚନରେ ପଡିଥିବା ଭୋଟକୁ ବିଶ୍ଳେଷଣ କଲେ ଗୋଟିଏ ଚିତ୍ର ସାମ୍ନାକୁ ଆସିବ, ଏଠି ବିଜେପିର ଶକ୍ତି ବିଜେଡି ଠାରୁ ଦୁଇଗୁଣ । ପଂଚାୟତ ନିର୍ବାଚନର ଭୋଟରୁ ଏକଥା ସାମ୍ନାକୁ ଆସୁଛି । ବିଜେଡି ଏହି ଅଂଚଳରେ ୩୮ ହଜାର ୯୨୫ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା ୭୯ ହଜାର ୯୪୫ ଭୋଟ । ଯାହା ପାଖାପାଖି ବିଜୁ ଜନତା ଦଳ ପାଇଥିବା ଭୋଟ ତୁଳନାରେ ଦୁଇଗୁଣ । କଂଗ୍ରେସ ଏହି ଅଂଚଳରେ ପାଇଥିଲା ୨୫ ହଜାର ୩୪୯ ଭୋଟ । ଜିଲ୍ଲା ପରିଷଦକୁ ଦଖଲ କରିଥିଲା ବିଜେପି । ପଂଚାୟତ ନିର୍ବାଚନରେ ଏହି ଅଂଚଳରେ ସଫଳତା ପାଇଥିବାରୁ ଭାରତୀୟ ଜନତା ପାର୍ଟି ଏହି ଅଂଚଳରେ ନିଜର ଦବଦବାକୁ ଜାହିର କରିପାରୁଛି ନା ନାହିଁ, ତାର ଏସିଡ ଟେଷ୍ଟ ହେବ ବିଜେପୁର ଲଢେଇ । ସେହିଭଳି ବିଜେଡି ମଧ୍ୟ ବାତାବରଣ ନିଜ ବିପକ୍ଷରେ ଦେବାକୁ ଚାହିଁବନି । ଆଉ କଂଗ୍ରେସ ବିଜେପୁରକୁ ଶକ୍ତି ପ୍ରଦର୍ଶନର ପ୍ରୟୋଗଶାଳା କରିବ ବୋଲି ଚର୍ଚ୍ଚା ହେଉଛି ।