ଶଙ୍ଖ ପଦ୍ମ ଗୋଡାଗୋଡି ! ଚତୁର୍ଥ ପର୍ଯ୍ୟାୟରେ ବି ବିଜେପିର ବିଜୟ ଧାରା ଜାରି

54

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଭାରତୀୟ ଜନତା ପାର୍ଟି-ବିଜେପି ଆହୁରି ଭଲ ପ୍ରଦର୍ଶନ କରିଛି । ଶେଷ ଖବର ସୁଧା ୪ର୍ଥ ପର୍ଯ୍ୟାୟର ୧୬୧ଟି ଆସନରୁ ବିଜେପି ୬୨ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି । ବିଜେଡି ୮୫ଟି ଆସନ ରକ୍ଷା କରିପାରିଛି । ସେପଟେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଦଳ ମାତ୍ର ୯ଟି ଆସନ ପାଇଛି । ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇଥିବା ସୂଚନା ମିଳିଛି ।

ଏହାରି ଭିତରେ କେତେକ ଜିଲ୍ଲାରେ ଜିଲ୍ଲା ପରିଷଦ କିଏ ଗଢିବ ତାହା ଧିରେ ଧିରେ ସ୍ପଷ୍ଟ ହେଉଛି । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୧୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଛି । ୧୦ଟି ବିଜେଡି, ୭ଟିରେ ବିଜେପି ଏବଂ ଗୋଟିଏରେ କଂଗ୍ରେସ ଜିଲ୍ଲା ପରିଷଦ ଗଢିବା ଆପତଃ ସ୍ପଷ୍ଟ ହୋଇଛି । କୋରାପୁଟ, ଗଂଜାମ, ଭଦ୍ରକ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ଅନୁଗୁଳରେ ବିଜେଡି ଜିଲ୍ଲା ପରିଷଦ ଗଢିବ । ସେହିପରି ମାଲକାନଗିରି, ମୟୂରଭଂଜ, ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ, କଳାହାଣ୍ଡିରେ ବିଜେପି ଗଢିବ ଜିଲ୍ଲା ପରିଷଦ । କଂଗ୍ରେସ ଝାରସୁଗୁଡାରେ ଜିଲ୍ଲା ପରିଷଦ ଗଢିବ ।