ନେତାଙ୍କ ଟାର୍ଗେଟରେ ବାବୁ ! ସଚିବାଳୟରେ ବସି ଷଡଯନ୍ତ୍ର କରୁଛନ୍ତି ଅମଲା

70

କନକ ବ୍ୟୁରୋ : କଣ ଚାହୁଁଛି ଓଡ଼ିଶା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପଚରା ଯାଇଥିବା ଏ ପ୍ରଶ୍ନର ଉତ୍ତର ଧିରେ ଧିରେ ନଷ୍ଟ ହେଉଛି । ଦୁଇଟି ଫେଜ୍‍ର ଫଳାଫଳ କହୁଛି ରାଜ୍ୟର ରାଜନୀତିରେ ମହାପରିବର୍ତ୍ତନର କଥା ।ରାଜନୀତିରେ ମହାବାତ୍ୟା । ଦୋହଲି ଯାଇଛି ୧୭ବର୍ଷର ଦମ୍ଭ । ଶାନ୍ତ ପଡି ଯାଉଛି ଶଙ୍ଖଧ୍ୱନୀ । ବିଜେପିର ବାଜିମାତ୍‍ ଦେଖି ବିଚଳିତ ବିଜେଡି ।

କେଉଁଠି କ୍ଲିନ୍‍ସୁଇପ୍‍ ତ ପୁଣି କେଉଁଠି ଟକ୍‍ରାଟକ୍‍ରି । ପାଖାପାଖି ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । କୁହାଯାଉଛି ଏଇଠୁ ପଡିଲା ଧର୍ମେନ୍ଦ୍ର ବନାମ ନବୀନ ଯୁଦ୍ଧର ମୂଳଦୁଆ । ସେପଟେ ବିଜେଡିକୁ ଘାଇଲା କରି ଘନଘନ କାଉଂଟର୍‍ ଆଟାକ୍‍ କରୁଛନ୍ତି ଧର୍ମେନ୍ଦ୍ର । ଆଜି କହିଛନ୍ତି ରାଜନୀତିରେ ଚାଲିଛି ଅମଲା ଷଡ଼ଯନ୍ତ୍ର ।

ଚର୍ଚ୍ଚା ହୁଏ ଅମଲାଙ୍କ ନିୟନ୍ତ୍ରଣରେ ନବୀନ୍‍ । କୁହାଯାଏ ଏହା ବିଜୁ ଜନତା ଦଳ ନୁହେଁ ବ୍ୟୁରୋକ୍ରାଟ୍‍ ଜନତା ଦଳ । ଅର୍ଥାତ୍‍ କିଛି ପାଵାର୍‍ଫୁଲ୍‍ ବାବୁଙ୍କ ଗୋଟି ଚାଳନାରେ ବିଜେଡି ରାଜନୀତି କରୁଛି । ରାଜନୀତି କରିବାକୁ, ବିରୋଧି ଏଭଳି ମନ୍ତବ୍ୟ ଦେବା କିଛି ଅସ୍ୱାଭାବିକ କଥା ନୁହେଁ । କିନ୍ତୁ ଦଳ ବିପର୍ଯ୍ୟୟକୁ ସାମ୍ନା କରୁଥିବା ବେଳେ ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ଆଣିଛନ୍ତି ଏଭଳି ଅଭିଯୋଗ । ଖାଲି ସେତିକି ନୁହେଁ ନିର୍ବାଚନ ପରେ ସେ ସୁପ୍ରିମୋଙ୍କୁ ମନଖୋଲି ଏ ବାବଦରେ କହିବେ ବୋଲି କହିଛନ୍ତି ।

ବିଜେଡି ଗାଡିର ମାଲିକ କିଏ । କାହା ହାତରେ ଶାସକ ଦଳର ଚାବି । ପଞ୍ଚାୟତ ଭୋଟ୍‍ ଚମକାଇବା ଭଳି ଖବର ଦେବା ପରେ ଖୋଲୁଛି ରାଜନୀତିର ଗୁମର କଥା । ଆଜି ବିଜେପି ପ୍ରେସ୍‍ମିଟ୍‍ କରି କିଛି ସରକାରୀ ବାବୁଙ୍କ ନାଁ ସାମ୍ନାକୁ ଆଣିଛି । ଯେଉଁମାନେ ସଚିବାଳୟର ତୃତୀୟ ମହଲାରେ ବସି ହାର୍‍ଜିତ୍‍ର ହିସାବନିକାଶ କରୁଥିବା ଅଭିଯୋଗ ରହିଛି ।

ସେପଟେ ଲଗାତାର୍‍ ଖରାପ ପ୍ରଦର୍ଶନ ପରେ ଦଳୀୟ ନେତାଙ୍କ ମୁ¨ରେ ଚଡକ୍‍ ପଡିଛି । ସୁପ୍ରିମୋଙ୍କୁ ଉତ୍ତର ଦେବେ ନା ବିରୋଧିଙ୍କ ମୁହଁ ବନ୍ଦ କରିବେ, ସେନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି ।