ହେଭିୱେଟଙ୍କ ମୁଣି ଖାଲି ! କାମ କଲାନି ପଦ, ପଦବୀ ଓ ପତିଆରା

46

କନକ ବ୍ୟୁରୋ : କାମ କଲାନି ପଦ, ପଦବୀ ଓ ପତିଆରା । ନିଜ ଅଂଚଳରେ ପ୍ରତ୍ୟାଖ୍ୟାତ ହେଲେ ହେଭିୱେଟ ନେତା । ଚଳିତ ପଂଚାୟତ ନିର୍ବାଚନରେ ଗାଁରୁ ଆସିଛି ଏମିତି ଫଳାଫଳ । ଯାହା ସମସ୍ତ ରାଜନୈତିକ ଦଳର ତୁଙ୍ଗ ନେତାଙ୍କୁ ଦୋହଲାଇ ଦେଇଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କଠୁ ଆରମ୍ଭ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ନିଜ ନିର୍ବାଚନ କ୍ଷେତ୍ରରେ ଧୂଳି ଚାଟିଛନ୍ତି । ଦାମ, ନିରଞ୍ଜନ ଓ ଆଚାର୍ଯ୍ୟ ପରିବାରର ଗଡରେ ବି ଫୁଟିଛି ପଦ୍ମ । ଗ୍ରାମାଂଚଳ ମତଦାତା ରାଜ୍ୟରେ ନୂଆ ରାଜନୈତିକ ସମୀକରଣର ସଂକେତ ଦେଇଛନ୍ତି ।

ପ୍ରସାଦ ହରିଚନ୍ଦନ
୨୦୧୪ ନିର୍ବାଚନରେ ଭୋଟରଙ୍କ ଦ୍ୱାରା ହୋଇଥିଲେ ପ୍ରତ୍ୟାଖ୍ୟାତ । ତଥାପି ପ୍ରସାଦଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ କଂଗ୍ରେସ ହାଇକମାଣ୍ଡ । ଆଉ ଧରାଇ ଦେଇଥିଲେ ଓଡିଶା ପ୍ରଦେଶ କଂଗ୍ରେସର ମଙ୍ଗ । ହେଲେ ନିଜ ନିର୍ବାଚନ କ୍ଷେତ୍ରରେ ବି ଚିତପଟାଙ୍ଗ ମାରିଛନ୍ତି ପ୍ରସାଦ । ଆଉ ତୃତୀୟ ପର୍ଯ୍ୟାୟରେ ପଂଚାୟତ ଭୋଟକୁ ଯାଇଥିବା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସମସ୍ତ ୬ଟି ଜିଲ୍ଲାପରିଷଦ ଜୋନକୁ ଦଖଲ କରିଛି ବିଜେଡି । ନିଜ ଗଡରେ ପିସିସି ସଭାପତିଙ୍କ ଶୋଚନୀୟ ପରାଜୟ ଆଗାମୀ ଦିନରେ ତାଙ୍କ ନେତୃତ୍ୱକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ନିଜ ତୃଟି ଯୋଗୁ କଣାସ ବ୍ଲକରେ ଭୋଟ୍ ବି ଦେଇ ପାରି ନଥିଲେ ପ୍ରସାଦ ।

ବସନ୍ତ ପଣ୍ଡା
ସାରା ରାଜ୍ୟରେ ବିଜେପି ହାୱା ବହୁଥିବା ବେଳେ ନିଜ ଗଡରକ୍ଷା କରିପାରି ନାହାଁନ୍ତି ଦଳର ରାଜ୍ୟ ସଭାପତି । ନୂଆପଡା ଆସନରେ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କୁ ହରାଇ ବିଧାୟକ ପଦ ହାତେଇଥିଲେ । ରାଜ୍ୟ ବିଜେପିର ପରିଚାଳନା ଡୋର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧରିବା ପରେ ତାଙ୍କୁ ରାଜ୍ୟ ସଭାପତି ଆସନରେ ବି ବସାଇଲେ । ହେଲେ ଗାଁରେ ଭୋଟ ପାଉନାହାନ୍ତି ବିଜେପି ସଭାପତି । ତାଙ୍କ ନିର୍ବାଚନ ମଣ୍ଡଳୀର ୬ଟି ଜିଲ୍ଲାପରିଷଦ ଜୋନରୁ ୫ଟିରେ ଭୋଟ ପଡିଥିବାବେଳେ ୪ଟି ବିଜେଡି ଓ ଗୋଟିଏ କଂଗ୍ରେସ ଖାତାକୁ ଯାଇଛି ।

ନିରଞ୍ଜନ ପୂଜାରୀ
ପହ୍ମ ଝଡରେ ଦୋହଲି ଯାଇଛି ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଆତ୍ମବିଶ୍ୱାସ । ସୋନପୁରରେ ନିରଞ୍ଜନଙ୍କୁ କଡା ଟକ୍କର ଦେଇଛି ଭାରତୀୟ ଜନତା ପାର୍ଟି । ଶୁକ୍ରବାର ଭୋଟକୁ ଯାଇଥିବା ବିନିକା ଓ ସୋନପୁର ବ୍ଲକର ୪ଟି ଜିଲ୍ଲାପରିଷଦ ଆସନକୁ ପୋଛି ନେଇଛି ଦଳ । ଅଧ୍ୟକ୍ଷ ପଦ ହାତେଇବାକୁ ହେଲେ ଏବେ ବାକିଥିବା ୫ଟି ଆସନରୁ ୪ଟିରେ ବିଜେଡିକୁ ଜିତିବାକୁ ପଡିବ ।

ଦାମୋଦର ରାଉତ
ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ଦୁର୍ଗ ଭେଦ କରିଛି ବିଜେପି । ତାଙ୍କ ଅଂଚଳରେ ଗେରୁଆ ଦଳ ପ୍ରବେଶ କରିପାରିବ ନାହିଁ ବୋଲି ଦାମ ବାବୁଙ୍କ ଦମ୍ଭ ଭାଙ୍ଗିଛି । ଶୁକ୍ରବାର ନିର୍ବାଚନର ସାମ୍ନା କରିଥିବା ମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରର କୁଜଙ୍ଗରେ ୨ଟି ଆସନ ହାତେଇନେଇଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶାବାସୀ ପ୍ରତ୍ୟାଖ୍ୟାତ କରିବେ ବୋଲି ସବୁ ସମୟରେ ଦାମ ବାବୁ ଦମ୍ଭ ସ୍ୱରରେ କହନ୍ତି । ହେଲେ ଦାମ ବାବୁଙ୍କ ଗାଁ ମାଟିକୁ ମଥାରେ ମାରି ଯେଉଁଠି ବିଜୟ ତିଳକ ମାରିଛନ୍ତି ଧର୍ମେନ୍ଦ୍ର, ସେଠାରେ ଦାମରେ ତୁଣ୍ଡରେ ତାଲା ।

ପ୍ରସନ୍ନ ଆଚାର୍ଯ୍ୟ
ଦେବେଶ ଆଚାର୍ଯ୍ୟ
ବରଗଡ ଜିଲ୍ଲାରେ ଆଚାର୍ଯ୍ୟ ପରିବାରକୁ ଜୋରଦାର ଝଟକା ଦେଇଛି ପଦ୍ମ ଦଳ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପୁତୁରା ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗ୍ରାମାଂଚଳ ଭୋଟର । ଶୁକ୍ରବାର ଭୋଟ ପଡିଥିବା ୩ଟି ବ୍ଲକରୁ କେବଳ ଭଟଲୀରେ ଗୋଟିଏ ଆସନକୁ ଛାଡିଦେଲେ ଅନ୍ୟ ୭ଟି ଜିଲ୍ଲାପରିଷଦ ଆସନରେ ଉଡିଛି ଗେରୁଆ ବାନା । ଜିଲ୍ଲାପରିଷଦ ଗଠନ କରିବାକୁ ଏଠାରେ ବିଜେପି ଆଉମାତ୍ର ୩ଟି ଆସନ ଦୂରରେ । ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କୁ ଆକମ୍ରଣ କରିଥିଲେ ବିଧାୟକ ଓ ବିଜେଡି କର୍ମୀ । ହେଲେ ପଂଚାୟତ ନିର୍ବାଚନରେ ବିଜେପି ଏପରି ପାଲଟା ଆକ୍ରମଣ କଲା ଯେ ଆଚାର୍ଯ୍ୟ ପରିବାରର ନିଅଁ ଦୋହଲିଗଲା ।

ସ୍ନେହାଙ୍ଗିନୀ ଛୁରିଆ
କଂଗ୍ରେସର ତାଣୁଆ ନେତା ନିହାର ମହାନନ୍ଦାଙ୍କୁ ପରାଜିତ କରି ପ୍ରଥମ ଥର ବିଧାୟିକା ହୋଇଥିବା ସ୍ନେହାଙ୍ଗିନୀ ଛରିଆଙ୍କୁ ଅତାବିରା ସଂଗଠନ ବଢାଇବାପାଇଁ ମନ୍ତ୍ରୀ ପଦ ଦେଇଥିଲେ ନବୀନ । ହେଲେ କଂଗ୍ରେସକୁ ଚେକ୍ ଦେବାରେ ବ୍ୟସ୍ତ ଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଗଡରେ ପଶିଗଲା ବିଜେପି । ଆଉ ପଂଚାୟତ ନିର୍ବାଚନରେ ଏପରି ବିଜୟ ବାନା ଉଡାଇଲା ବିଜେପି ଯେ ଅତାବିରାରେ ୪ଟି ଜିଲ୍ଲାପରିଷଦ ଆସନ ପୋଛି ନେଲା ।