ସାତ ମନ୍ତ୍ରୀଙ୍କୁ ଶନି ଦଶା ! ବିଜେଡି ଶିବିରରେ ଧଶେଇ ପଶିଲା ବିଜେପି

65

କନକ ବ୍ୟୁରୋ : ବିଜେଡି ଗଡରେ ଉଡିଲା ଗେରୁଆ ବାନା । ବାଜିଲାନି ଶଙ୍ଖ, ଫୁଟିଲା ପଦ୍ମ । ବିଜେଡି ଶିବିରରେ ଧଶେଇ ପଶିଛି ବିଜେପି । ପଂଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ମାତ୍ ଖାଇଛନ୍ତି ଅନେକ ବିଜେଡି ହେବିୱେଟ । ନିଜ ଗଡ ରକ୍ଷା କରିବାରେ ହୋଇଛନ୍ତି ବିଫଳ । ଏପରିକି କିଛି ନେତାଙ୍କ ଅମାନତ୍ ବି ଯାଇଛି । ବିଜେଡି ଭୋଟକୁ ପୋଛିନେଇଛି ଭାରତୀୟ ଜନତା ପାର୍ଟି । କାମ କରିନି ଦଳୀୟ ନେତାଙ୍କ ରଣନୀତି । ଏପରିକି ବିଜେଡି ସୁପ୍ରିମୋଙ୍କ ମ୍ୟାଜିକ୍ ବି କାମ କରିନି । ନଜର ପକାନ୍ତୁ କେଉଁ କେଉଁ ନେତାଙ୍କୁ ଲାଗିଛି ଶକ୍ତ ଝଟକା ।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ । କଳାହାଣ୍ଡି ରାଜନୀତିର ପ୍ରଭାବଶାଳୀ ନେତାଙ୍କ ପଂଚାୟତ ଭୋଟରେ ଫୁସକି ଯାଇଛି ପତିିଆରା । କଳାହାଣ୍ଡିରେ ବିଜେଡିର ଗଡରକ୍ଷା କରିବାକୁ ଅସମର୍ଥ ହୋଇଛନ୍ତି ମନ୍ତ୍ରୀ । ସମସ୍ତ ୯ଟିଯାକ ଆସନକୁ ପୋଛି ନେଇଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡିଥିବା କୋକସରା, ଧର୍ମଗଡ ଓ ଜୟପାଟଣାରେ ଶଙ୍ଖ ଫୁଙ୍କି ପାରିନାହିଁ ଶାସକ ଦଳ । ପକେଟ ଭୋଟକୁ ପାଖରେ ରଖିପାରି ନାହାନ୍ତି ପୁଷ୍ପେନ୍ଦ୍ର ।

ଯୋଗେନ୍ଦ୍ର ବେହେରା । ନବୀନ କ୍ୟାମ୍ପର ଆଉଜଣେ ଟାଣୁଆ ମନ୍ତ୍ରୀ ବଲାଙ୍ଗୀରରେ ରଖିପାରିଲେନି ବିଜେଡି ଭୋଟ୍ । ପଶ୍ଚିମାଂଚଳର ଆଉ ଏକ ବିଜେଡି ଗଡ ବଲାଙ୍ଗୀରରେ ବି ଲାଗିଛି ଶାସକ ଦଳକୁ ଝଟକା । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଆଗଲପୁର, ପୁଇଁତଳା ଓ ଲୋଇସିଂହା ବ୍ଲକର ୭ଟା ଜୋନରୁ ୬ଟିକୁ ଦଖଲ କରିନେଇଛି ବିଜେପି ।

ସ୍ନେହାଙ୍ଗିନୀ ଛୁରିଆ । ବରଗଡରେ ମନ୍ତ୍ରୀଙ୍କ ସ୍ଥିତି ଆହୁରି ଗମ୍ଭୀର । ଏଠି ମଧ୍ୟ ୨ରେ ଅଟକି ଯାଇଛି ବିଜେଡି । କାମ କରିନି ନବୀନ ମ୍ୟାଜିକ । ମନ୍ତ୍ରୀଙ୍କ ନିଜ ନିର୍ବାଚନ କ୍ଷେତ୍ର ଅତାବିରାରେ ୪ଟିଯାକ ଜିଲ୍ଲାପରିଷଦ ଜୋନ ପୋଛି ନେଇଛି ବିଜେପି । ସେହିପରି ଭେଡେନ ବ୍ଲକରେ ମଧ୍ୟ ଗୋଟିଏ ସିଟ୍ ବିଜେପି ଖାତାକୁ ଯାଇଛି । ପ୍ରଥମ ପର୍ଯ୍ୟାୟରେ ୭ଟି ଜୋନରୁ ୫ଟିରେ ଉଡିଛି ଗେରୁଆ ବାନା ।

ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ନବୀନଙ୍କ କ୍ୟାବିନେଟର ପ୍ରଭାବଶାଳୀ ନେତା ଦେବୀ ମିଶ୍ରଙ୍କ ଗଡରେ ଧସେଇ ପଶିଛି ବିଜେପି । ସୋମବାର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ କଟକ ଜିଲ୍ଲାର ୩ଟି ବ୍ଲକ ପାଇଁ ଭୋଟ୍ ପଡିଥିବାବେଳେ ମନ୍ତ୍ରୀ ଦେବୀମିଶ୍ରଙ୍କ ଗଡରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ନରସିଂହପୁରର ୪ଟିଯାକ ଜିଲ୍ଲାପରିଷଦ ଜୋନକୁ ପୋଛି ନେଇଛି ବିଜେପି । ଔପଚାରିକ ଫଳଫଳ ଘୋଷଣା ହୋଇନଥିଲେ ମଧ୍ୟ ପଦ୍ମଫୁଲିଆ ଦଳର ଏହି ସଫଳତା ଶାସକ ଦଳକୁ ଚମକାଇ ଦେଇଛି ।

କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି । ମୟୁରଭଞ୍ଜରେ ପ୍ରଭାବହୀନ ମନ୍ତ୍ରୀଙ୍କ ମ୍ୟାଜିକ ମନ୍ତ୍ରୀଙ୍କଠୁ ମୁହଁ ଫେରାଇନେଲେ ଗାଁ ଭୋଟର । ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ବ୍ଲକରେ ଭୋଟ ପଡୁଥିବା ଏହି ଜିଲ୍ଲାରେ ମାତ ଖାଇଛି ବିଜେଡି । ମୋଟ ୧୫ଟି ଜୋନରୁ ୧୨ଟି ଯାଇଛି ବିଜେପି ସପକ୍ଷରେ । ପଡୋଶୀ ମୁଖ୍ୟମନ୍ତ୍ରୀଙ୍କୁ ଆଣି ମୟୁରଭଞ୍ଜରେ ମନ୍ତ୍ରୀଙ୍କୁ ମାତ ଦେଇଛି ବିଜେପି ।

ଅରୁଣ ଓ ଅଶୋକ ବି ଅଡୁଆ । ଅଂଚଳରେ ଆରମ୍ଭରୁ ଝଟକା । ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକରେ ବି ପତିଆରା ଦେଖାଇଛି ବିଜେପି । ମନ୍ତ୍ରୀଙ୍କ ପ୍ରଭାବକୁ ପଛରେ ପକାଇ ବିଜେଡି ହାତରୁ ଛଡାଇ ନେଇଛି ୩ ଆସନ । ଠିକ ସେହିପରି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଭୋଟକୁ ଯାଇଥିବା ଭୁବନେଶ୍ୱର ବ୍ଲକରେ ଗୋଟିଏ ଜୋନକୁ ଦଖଲ କରିଛି ବିଜେପି । ଆଉ ଆଗକୁ ଲଢେଇ ଘମାଘୋଟ ହେବ ବୋଲି ସଂକେତ ଦେଇଛି ।

ପଶ୍ଚିମ ରୁ ଉପକୂଳକୁ ବୋହିଥିବା ମହାନଦୀ ପ୍ରସଙ୍ଗକୁ ଚଳିତ ପଂଚାୟତ ନିର୍ବାଚନରେ ବୁଡିବାକୁ ଦେଇନଥିବା ବିଜେଡିର ଡଙ୍ଗା ବୁଡିଯାଇଛି । ବୋଧହୁଏ ରାଜ୍ୟ ସରକାରଙ୍କ ମିଛକୁ ଧରାପକାଇବାରେ ସଫଳ ହୋଇଛି ବିଜେପି । ନଚେତ ରାଜନୈତିକ ଅତିରଞ୍ଜନରେ ଅତିଷ୍ଠ ହୋଇପଡିଛନ୍ତି ଗାଁ ଭୋଟର ।