ନବୀନଙ୍କୁ ଚମକାଇଲେ ଧର୍ମେନ୍ଦ୍ର ! ଓଡିଶାରେ ମହାପରିବର୍ତନର ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ

16

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ଜନ୍ମ ଦେଇଛି । ବିଜେପିର ବାଜିମାତ୍ ଏ ଚର୍ଚ୍ଚାକୁ ଆଗକୁ ବଢ଼ାଇଛି । କୁହାଯାଉଛି ଓଡ଼ିଶାରେ ଆରମ୍ଭ ହେଲା ଧର୍ମେନ୍ଦ୍ର ବନାମ ନବୀନ ଯୁଦ୍ଧ । ଗାଁ ରାଜନୀତିରେ ଶାସକ ଦଳ କାହିଁକି ଦେଖାଇ ପାରିଲାନି ନିଜ ଜଲୱା । ଏ ପ୍ରଶ୍ନର ଉତର ଖୋଜିବା ଅପେକ୍ଷା ରାଜ୍ୟବାସୀଙ୍କ ଆଲୋଚନା ଭିତରକୁ ଧଶେଇ ପଶିଛି ବିଜେପିର ସଫଳତାର ସିକ୍ରେଟ୍ ।

ବିମୁଦ୍ରାକରଣର ପରବର୍ତୀ ପର୍ଯ୍ୟାୟ ଓ ଉଜ୍ଜଳା ଯୋଜନାର ଲୋକପ୍ରିୟତାକୁ ଶ୍ରେୟ ଦିଆଯାଉଥିବା ବେଳେ ରାଜନୈତିକ ଦିଗକୁ ନେଇ ଆରମ୍ଭ ହୋଇଛି ପର୍ଯ୍ୟାଲୋଚନା । ଛତିଶଗଡ ଓ ଝାଡଖଣ୍ଡରେ ଷ୍ଟ୍ରାଟେଜି ତିଆରି କରି ଦଳକୁ ଜିତାଇଥିବା ଯୋଡି ଏବେ ଓଡିଶାରେ କାମ କରୁଛନ୍ତି । ଟାର୍ଗେଟ୍ ୨୦୧୯ । ମିଶନ ମୋଡରେ କାମ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଗଠନର ଯୁଗ୍ମ ସଂପାଦକ ସୌଦାନ ସିଂ । କୁହାଯ।ଉଛି ଏମାନଙ୍କ ରଣନିତୀରେ ରାଜ୍ୟରେ ପୁଣି ପଦ୍ମ ଫୁଟିଛି ।

ବିଜେଡି କେଉଁଠି ଦୁର୍ବଳ । ବିଜେଡିର କେଉଁଠି ଚାଲିଛି ଗୋଷ୍ଠୀ କନ୍ଦଳ । କେଉଁ ଅଂଚଳବାସୀ ଚାହୁଁଛନ୍ତି ପରିବର୍ତ୍ତନ । ଖୁବ୍ ପୂର୍ବରୁ ଏସବୁ ଜଟିଳ ପ୍ରଶ୍ନର ଉତ୍ତର ଖୋଜିଥିଲା ବିଜେପି । ଆଉ ଅତି ଚତୁରାତର ସହ ଏସବୁ ଅଂଚଳରେ ଆରମ୍ଭ କରିଥିଲା ପଂଚାୟତ ଅପରେସନ୍ । ଚାଷୀ ମୃତ୍ୟୁ ଓ ଧାନ ସଂଗ୍ରହକୁ ନେଇ ଘାଂଟି ହେଉଥିବା ପଶ୍ଚିମ ଓଡିଶାକୁ ନେଇଥିଲା ଗୁରୁତ୍ୱର ସହ । ମହାନଦୀ ପ୍ରସଙ୍ଗକୁ ନେଇ ପଂଚାୟତ ନଦୀ ପାର୍ ହେବାକୁ ଲକ୍ଷ ରଖିଥିବା ବିଜେଡିକୁ ମାତ୍ ଦେବାକୁ ଡାକି ଆଣିଥିଲା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ।

ସେହିପରି ମୟୁରଭଂଜରେ ବିଜେଡିର ଗୋଷ୍ଠୀ କନ୍ଦଳରୁ ଫାଇଦା ନେବାକୁ ବିଜେପି ପ୍ରସ୍ତୁତ କରିଥିଲା ଅଦୃଶ୍ୟ ରଣନୀତି । ସୁଦାମ ଓ ସାନନ୍ଦଙ୍କ କଳିକୁ ସୁବର୍ଣ୍ଣ ସୁଯୋଗ ଭାବେ ନେଇଥିଲା । ତେଣୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଡାକି ପ୍ରଚାରରେ ଲଗାଇଥିଲା । କେବଳ ସେତିକି ନୁହେଁ ଦୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରି ବିଜେପି ଖୁବ୍ ପୂର୍ବରୁ କରି ସାରିଥିଲା ମୟୁରଭଂଜ କବଜାର ଗେମ୍ ପ୍ଲାନ୍ ।

ଉପକୂଳ ଓଡିଶାରେ ବି କରିଥିଲା ସମାନ ରଣନୀତି । ଟିମ୍ ନବୀନରେ କେଉଁଠି ଅଛି ଫାଟ । କିଛି ବର୍ଷ ପୂର୍ବରୁ କେଉଁ ଅଂଚଳରେ ଫୁଟୁଥିଲା ପଦ୍ମ । ରାଜ୍ୟ ନେତୃବୃନ୍ଦଙ୍କ ସହ ବସି ଏସବୁର ଅଙ୍କ କଷିଥିଲେ ପୂର୍ବରୁ ଛତିଶଗଡରେ ପଦ୍ମ ଫୁଟାଇଥିବା ସଂଗଠନର ସର୍ବଭାରତୀୟ ଯୁଗ୍ମ ସଂପାଦକ ସୌଦାନ ସିଂ । ପୁରୀ ଗସ୍ତ ବାହାନାରେ ରାଜ୍ୟ ନେତାଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ଆସିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ଯାହାର ପ୍ରମାଣ ମିଳିଥିଲା କଟକ ସଦରର ନରସିଂହପୁର ଅଂଚଳରେ । ମନ୍ତ୍ରୀ ଦେବୀ ମିଶ୍ରଙ୍କ ଏରିଆକୁ ପୋଛି ଆଣିବାରେ ସକ୍ଷମ ହୋଇଛି ବିଜେପି । ତେବେ ଦଳର ବିଫଳତା ନୁହେଁ ବିରୋଧୀଙ୍କ ସଫଳତାକୁ ନେଇ ପୋଷ୍ଟମର୍ଟମ ଆରମ୍ଭ କରିଛି ବିଜେଡି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୦ଗୁଣା ସଫଳତା ରାଜ୍ୟ ବିଜେପିକୁ ଖୁବ୍ ଉତ୍ସାହିତ କରିଛି । ତେବେ କୁହାଯାଉଛି ବିଜେପିକୁ ଚେକ୍ ଦେବାକୁ ଏବେ ବିଜେଡି ଶିବିରରେ ଗୁପ୍ତ ମନ୍ତ୍ରଣା ଚାଲିଛି । ଯାହା ହୁଏତ ବଳକା ୪ ପର୍ଯ୍ୟାୟରେ ବିଜେପି ପାଇଁ ଚ୍ୟାଲେଂଜ୍ ହୋଇପାରେ ।