କେଉଁଠି ଚୁଡାନ୍ତ କେଉଁଠି ଝୁଲା ! ୧୬ଟିରେ ଜିଲ୍ଲା ପରିଷଦ ଗଠନ କରିବ ବିଜେଡି

42

କନକ ବ୍ୟୁରୋ : ୫ମ ପର୍ଯ୍ୟାୟ ପଂଚାୟତ ନିର୍ବାଚନର ଫଳାଫଳ ଆସିବା ପରେ ରାଜ୍ୟର କେଉଁ ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଗଠନ କରୁଛି ତାହା ସ୍ପଷ୍ଟ ହେବାରେ ଲାଗିଛି । ବର୍ତମାନ ସୁଦ୍ଧା ମିିଳିଥିବା ସୂଚନା ଅନୁସାରେ ଶାସକ ବିଜେଡି ଦଳ ରାଜ୍ୟର ୧୬ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି ।

ଆଜି ୫ମ ପର୍ଯ୍ୟାୟ ନିର୍ବାଚନ ପରେ ବାଲେଶ୍ୱର, ନୂଆପଡ଼ା, କେନ୍ଦୁଝର ଏବଂ ଢ଼େଙ୍କାନାଳ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି । ତେବେ ପୂର୍ବରୁ ଅନୁଗୁଳ, ଭଦ୍ରକ, ବୌଦ୍ଧ, କଟକ, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ନେଇ ଚିତ୍ର ସ୍ପଷ୍ଟ ହୋଇଥିଲା ।

ସେହିପରି ୮ଟି ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ ଦଖଲ କରିଛି । ବରଗଡ଼, ବଲାଙ୍ଗିର, ଦେବଗଡ଼, କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, ମୟୁରଭଂଜ ଓ ମାଲକାନଗିରିରେ ବିଜେଡି ଜିଲ୍ଲା ପରିଷଦ ଗଠନ କରୁଛି । କଂଗ୍ରେସ କେବଳ ଗୋଟିଏ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ ।

ତେବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ୪ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ଝୁଲି ରହିଛି । ସୁନ୍ଦରଗଡ଼, ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ । ତେଣୁ ଏହି ଜିଲ୍ଲା ଗୁଡ଼ିକରେ ଝୁଲା ଜିଲ୍ଲା ପରିଷଦ ଗଠନ ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି ।