ବିଜେଡି କ୍ୟାମ୍ପରେ କଂପନ ! ପଂଚାୟତ ପରୀକ୍ଷାର ପ୍ରଥମ ଫଳକୁ ନେଇ ଛାନିଆ ଦଳର ଛାମୁଆ ନେତା

44

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟୟ ପଂଚାୟତ ନିର୍ବାଚନରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ଦଶନ୍ଧି ଧରି ବିଜେଡିର ଗଡ ଭାବେ ଗଣାଯାଉଥିବା ଅଂଚଳରେ ଧସେଇ ପଶିଛି ବିଜେପି । ଏପରିକି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଫଳାଫଳକୁ ଦେଖି ଛାନିଆ ଦଳର ଛାମୁଆ ନେତା । ଆଗକୁ ଆହୁରି ୪ଟି ପର୍ଯ୍ୟାୟ ବାକି ଥିଲେ ବି ଆରମ୍ଭ ହେଲାଣି ସମୀକ୍ଷା । ପ୍ରଶ୍ନ ଉଠୁଛି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନାଇବାରେ ବିଫଳ ହେଲା କି ଦଳ ?

ଅନ୍ୟପକ୍ଷରେ ତିନି ନମ୍ବରରୁ ଦୁଇ ନମ୍ବର ମାନ୍ୟତା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି ଭାରତୀୟ ଜନତା ପାର୍ଟି । ପଡୋଶୀ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ହେଲେ ଗାଁ ଭୋଟରଙ୍କୁ ନିଜର କରିବାକୁ କେବଳ ଷ୍ଟାର ପ୍ରଚାରକଙ୍କୁ ପଠାଇ ଦେଇ ଚୁପ ବସିପଡିଛନ୍ତି ବିଜେଡି ସୁପରଷ୍ଟାର । ଶେଷ ବେଳକୁ ଗଞ୍ଜାମରେ ଗଡରକ୍ଷା କରିବାକୁ ବାହାରିଥିଲେ ନବୀନ । ହେଲେ ବାହାରୀ ନେତାଙ୍କ ହାୱାରେ ଭୁଷୁଡି ପଡିଛି ବିଜେଡି ଦୁର୍ଗ ।

କଳା ଟଙ୍କା ବିରୋଧରେ ବିଜେପି ସରକାରଙ୍କ ବିମୁଦ୍ରାୟନକୁ ସମର୍ଥନ କରିଥିବା ବିଜେଡି ଏବେ ସେହି ବିଜେପି ବିରୋଧରେ ଲଗାଇଛି କଳାଟଙ୍କା ପ୍ରୟୋଗର ଆରୋପ । ସେପଟେ ପରଷ୍ପର ବିରୋଧୀ ଆଦର୍ଶର ଦୁଇଟି ଦଳ କଂଗ୍ରେସ ଓ ବିଜେପି ଏକାଠି ବିଜେଡିକୁ ଆକ୍ରମଣ କରିବା ବିଜେପିକୁ ଫାଇଦା ଦେଇଥିବା ସଫେଇ ରଖିଛି ।

ପଂଚାୟତ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ କାହିଁକି ଫେଲ ମାରିଲା ବିଜେଡି ? ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ମନାଇବାରେ ବିଫଳ ହେଲା କି ଶାସକ ଦଳ? ନିର୍ବାଚନ ପରିଚାଳନାରେ ପ୍ୟାରୀ ମହାପାତ୍ର ଏବଂ କଳ୍ପତରୁ ଦାସଙ୍କ ଭଳି ନେତାଙ୍କ ଅନୁପସ୍ଥିତିକୁ ଅନୁଭବ କଲା କି ବିଜେଡି? ବିଜେପି ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ କେବଳ ଗଂଜାମ ଜିଲ୍ଲାରେ ସୀମିତ ରଖିବା ରଣନୀତି ମହଙ୍ଗା ପଡ଼ିଲା କି?