ରମଣଙ୍କୁ ନେଇ ରାଜନୀତି ! ବିଜେପିର ଷ୍ଟାର ପ୍ରଚାରକ ଭାବେ ୯ ଓ ୧୧ରେ କରିବେ ନିର୍ବାଚନ ପ୍ରଚାର

31

କନକ ବ୍ୟୁରୋ: ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ନେଇ ତେଜୁଛି ରାଜନୀତି । ବିଜେପିର ଷ୍ଟାର ପ୍ରଚାରକ ଭାବେ ପଂଚାୟତ ନିର୍ବାଚନ ପାଇଁ ଓଡିଶା ଆସିବେ । ତାଙ୍କର ପ୍ରଚାର ତାରିଖ ମଧ୍ୟ ଚୂଡାନ୍ତ ହୋଇଛି । ଆସନ୍ତା ୯ ଓ ୧୧ ତାରିଖରେ ୩ଟି ଜିଲ୍ଲାରେ ମାରାଥନ ପ୍ରଚାର କରିବେ । ବଲାଙ୍ଗୀର, ସୁନ୍ଦରଗଡ ଓ ଝାରସୁଗୁଡାରେ ବିଜେପି ପାଇଁ ପ୍ରଚାର କରି ଭୋଟ୍ ମାଗିବେ ରମଣ । ଅନ୍ୟପଟେ ରମଣଙ୍କ ଗସ୍ତ ସୂଚୀ ପ୍ରକାଶ ପରେ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇଛି । ମହାନଦୀ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ରମଣଙ୍କୁ ବିରୋଧ କରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ।

ଗତକାଲି କଂଗ୍ରେସ ରମଣ ସିଂଙ୍କୁ ବିରୋଧ କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ବିଜେଡି କଣ କରିବ ସେ ନେଇ ସ୍ପଷ୍ଟ କରିନଥିଲେ ବି ରମଣଙ୍କୁ ଓଡିଶାବାସୀଙ୍କ ଆଗରେ ଖଳନାୟକ ଭାବେ ଉପସ୍ଥାପନ କରିବ । ସେହିପରି ଅନ୍ୟ ଛୋଟ ଛୋଟ ଦଳ ମଧ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବେ ବୋଲି ସୂଚନା ମିଳିଛି । ଏହା ଭିତରେ ରମଣ ସିଂ ନିରାପତା ଅଧିକାରୀ ମାନେ ଓଡିଶା ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ଭେଟି ରମଣଙ୍କ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । ମହାନଦୀ ପ୍ରସଙ୍ଗରେ ଓଡିଶା, ଛତିଶଗଡ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ରମଣ ସିଂଙ୍କ ପ୍ରଚାର ବିଜେପି ପାଇଁ କେତେ ଲାଭବାନ ହେବ ସେ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଅଙ୍କ କଷା ଚାଲିଛି ।