ବଡ ନେତାଙ୍କୁ ବଡ ଝଟକା ! ମୟୁରଭଂଜ ଜିଲ୍ଲାରେ ବାଜି ମାରିଛି ବିଜେପି

29

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବି ମୟୁରଭଂଜ ଜିଲ୍ଲାରେ ବାଜି ମାରିଛି ବିଜେପି । ବଡ ବଡ ନେତାଙ୍କୁ ମିଳିଛି ଝଟକା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଂଜରେ ଆଜି ହୋଇଥିବା ମୋଟ୍ ୧୨ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ବିଜେଡିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ ହେବାକୁ ପଡିଛି ।

ସେହିପରି ଆଉ ଗୋଟିଏ ଜିଲ୍ଲା ପରିଷଦ ଆସନ ଯାଇଛି ଜେଏମ୍ଏମ୍ ପାଖକୁ । ତେବେ ମୟୁରଭଂଜ ଜିଲ୍ଲାରେ ବିଜେଡିର ଏହି ବିଫଳତା ମନ୍ତ୍ରୀ ସୁଦାମ ମାରଣ୍ଡି ଏବଂ ବରିଷ୍ଠ ବିଜେଡି ନେତା ସାନନ୍ଦ ମାରଣ୍ଡିଙ୍କୁ ବଡ ଧରଣର ଝଟକା ଦେଇଛି । ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେରେ ବି ବିଜେଡିକୁ ନିରାଶ ହେବାକୁ ପଡ଼ିଥିଲା । ମୋଟ୍ ୧୨ଟି ଆସନ ପୋଛି ନେଇଥିଲା ବିଜେପି ।

ସେହିପରି କଳାହାଣ୍ଡିରେ ମଧ୍ୟ ବିଜୁ ଜନତା ଦଳକୁ ମିଳିଛି ବଡ ଧରଣର ଝଟକା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ସବୁ ୯ଟି ଯାକ ଜିଲ୍ଲାପରିଷଦ ଆସନ ପୋଛି ନେଇଛି ଭାରତୀୟ ଜନତା ପାର୍ଟି । ଜୁନାଗଡ ଓ ଗୋଲାମୁଣ୍ଡାରେ ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ରଙ୍କ ଝଟକା ଲାଗିଥିବା ବେଳେ କଲମ୍ପୁରରେ ମାତ ଖାଇଛନ୍ତି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି କଳାହାଣ୍ଡି ଜିଲ୍ଲାରୁ ୯ଟି ଜିଲ୍ଲା ପରିଷଦ ଆସନ ପାଇଥିଲା ।

ସେପଟେ ନରସିଂହପୁର ପରେ ଏବେ ବଡମ୍ବା ଦେଇଛି ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଝଟକା । ବଡମ୍ବା ବ୍ଲକରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନର ୩ଟି ଜୋନ୍ ବିଜେପି ହାତକୁ ଯାଇଥିବା ସୂଚନା ମିଳିଛି ।

ସେହିପରି ନୟାଗଡ଼ରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଏଥର ବିଜେପି ଦେଇଛି ବଡଧରଣର ଚ୍ୟାଲେଂଜ୍ । ଆଜି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବିଜେପି ଖାତକୁ ୩ଟି ଜିଲ୍ଲା ପରିଷଦ ଆସନ ଯାଇଥିବା ବେଳେ ମାତ୍ର ଗୋଟିଏ ଆସନରେ ଶାସକ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।