ପ୍ୟାରୀଙ୍କ ବିନା ପଂଚାୟତ ! ନିର୍ବାଚନରେ କାହିଁକି କାମ କଲାନି ନବୀନଙ୍କ ଯାଦୁ

39

କନକ ବ୍ୟୁରୋ : ରାଜ୍ୟରେ ବିଜେଡି ଦୁର୍ଗ ଭୁଶୁଡୁଛି । ପଂଚାୟତ ନିର୍ବାଚନରେ କାମ କରୁନି ଦଳର କରିସ୍ମା । ୧୭ ବର୍ଷ ଧରି ନିର୍ବାଚନରେ ପରାଜୟ ସ୍ୱାଦ ପାଇନଥିବା ନବୀନଙ୍କ ଆଖି ସାମ୍ନାରେ ବିଜୁ ଜନତା ଦଳର ଗଡ ଭୁଷୁଡୁଛି । ପଂଚାୟତରେ ଦଳର ପତିଅରା କମୁଛି । ଲୋକେ ଶଙ୍ଖ ଫୁଙ୍କିବା ବଦଳରେ ପଦ୍ମ ଫୁଟାଉଛନ୍ତି । କଡ ଲେଉଟାଉଥିବା ରାଜ୍ୟ ରାଜନୀତିକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ପ୍ୟାରୀ ବାବୁଙ୍କ ଚେହେରା । ଗତ ପଂଚାୟତ ନିର୍ବାଚନରେ ଦଳର ସର୍ବକାଳୀନ ସଫଳତା ପଛରେ ଥିଲା ପ୍ୟାରୀଙ୍କ ଅବଦାନ । ତୃଣମୂଳ ସ୍ତରରେ ପ୍ୟାରୀଙ୍କ ଗୋଟି ଚାଳନା ପାଇଁ ବିଜେଡିରେ ବିଦ୍ରୋହ, ଅର୍ନ୍ତଦ୍ୱନ୍ଦ୍ୱ ପ୍ରଶମିତ ହେଉଥିଲା । ନତୋଙ୍କୁ ସନ୍ତୁଷ୍ଟ କରିବାର କଳା ବେଶ ଜଣାଥିଲା ଏହି ଚାଣକ୍ୟଙ୍କୁ । ତାଙ୍କ ମୁହଁରେ ଥିଲା ବ୍ଲକ ଆଉ ପଂଚାୟତ ସ୍ତରର ନେତାଙ୍କ ନାଁ । ଯାହା ଦଳ ପାଇଁ ବେଶ ସହାୟକ ହେଉଥିଲା ।

ହେଲେ ଏବେ ସ୍ଥିତି ଅଲଗା । ପ୍ୟାରୀଙ୍କ ବିନା ପ୍ରଥମ ପଂଚାୟତ ନିର୍ବାଚନକୁ ଦଳ ସାମ୍ନା କରିଥିବା ବେଳେ ସ୍ଥିତି ବେହାଲ । ନା ନବୀନ ନା ଅମଲା କାହାର ମନ୍ତ୍ର ଗାଁ ଲୋକଙ୍କୁ ପସନ୍ଦ ଆସୁନି । ବିଜେପିର ଅଭ୍ୟୁଦୟ ଶାସକ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ୟାରୀଙ୍କ ପରେ ପ୍ରଥମ ପଂଚାୟତ ନିର୍ବାଚନ ଲଢୁଥିବା ବିଜେଡିକୁ ଏହି ସବୁ ସମସ୍ୟା ଘେରିଛି । ଆଉ ଗାଁ ଗାଁରେ କମିଲା ଦଳର ପତିଆରା ।

ମୁମ୍ବାଇର ଘରୋଇ ହସ୍ପିଟାଲରେ ଶଯ୍ୟାଶାୟୀ ପ୍ୟାରୀ ବାବୁ । ସୂଚନା ଅନୁସାରେ, ଅସୁସ୍ଥ ପ୍ୟାରୀ ବାବୁଙ୍କୁ ଗୋପନରେ କିଛି ବିଜେଡିି ନେତା ଆଉ ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ଭେଟିଛନ୍ତି । ଏକଦା ବିଜେଡି ରାଜନୀତିରେ ପ୍ରଭାବଶାଳୀ ଥିବା ପ୍ୟାରୀ ୨୦୦୦ରୁ ୨୦୧୨ ଯାଏ ବିଜେଡିକୁ ବିଜୟର ସ୍ୱାଦ ଚଖାଉଥିଲେ ।

ଶହୀଦନଗର ସ୍ଥିତ ତାଙ୍କ ଘର ପାଲଟିଥିଲା ଦଳ ରାଜନୀତିର କ୍ଷମତା କେନ୍ଦ୍ର । ବିଜେଡି ନେତା ଓ କର୍ମୀଙ୍କ ସୁଅ ଛୁଟୁଥିଲା ତାଙ୍କ ପାଖକୁ । ହେଲେ ମେ ୨୯, ୨୦୧୨ରେ କ୍ଷମତା ଅପହରଣ ଷଡଯନ୍ତ୍ର ଅଭିଯୋଗରେ ବିଜେଡିରୁ ବିଦା ହେଲେ ପ୍ୟାରୀ । ହେଲେ ଶାସକ ଦଳ ପ୍ୟାରୀଙ୍କୁ ଶ୍ରେୟ ଦେବା ପରିବର୍ତେ ଦଳ କାହା ପାଇଁ ଅଟକେ ନାହିଁ ବୋଲି ଯୁକ୍ତି ବାଢିଛି ।

“ମୁଁ ସଚିବାଳୟ ଜଗୁଛି, ତମେ ପଂଚାୟତ ସମ୍ଭାଳ”।କ୍ଷମତାକୁ ପ୍ରଥମ ଥର ଆସି କର୍ମୀଙ୍କୁ ଏହି ଆହ୍ୱାନ ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ସେହି ସ୍ଥିତିରେ ଗାଁ ଗାଁ ବୁଲି ତୃଣମୂଳ ସ୍ତରରେ କର୍ମୀ ସଂଗଠିତ କରିଥିଲେ ପ୍ୟାରୀ । ହୁଏତ ପ୍ୟାରୀଙ୍କ ଅନୁପସ୍ଥିତିରେ ବି ୨୦୧୪ ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲ ବିଜେଡି । ହେଲେ ଯେଉଁଠି ତୃଣମୂଳ ସ୍ତରର ନେତା, କର୍ମୀ ଓ ସଂଗଠନର କଥା ଆସେ, ପ୍ୟାରୀ କରୁଥିଲେ ଗୋଟି ଚାଳନା । ସ୍ଥିତି ବଦଳିବା ସହ ଫଳ ବଦଳିଛି, କାରଣ ନିର୍ବାଚନ ପରିଚାଳନା ପାଇଁ ଦଳରେ ଅଭିଜ୍ଞ ନେତାଙ୍କ ଅଭାବ ନବୀନ ଅନୁଭବ କରିଛନ୍ତି ।