ଗାଁରୁ ଆସିଲା ପ୍ରଥମ ପର୍ଯ୍ୟାୟ ରାୟ : ଖସିଲା ବିଜେଡି, ହସିଲା ବିଜେପି

52

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ଦଳକୁ ଶକ୍ତ ଧକା । ପ୍ରଥମ ପର୍ଯ୍ୟାୟ ଭୋଟ୍ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦଶନ୍ଧି ଧରି ବିଜେଡିର ଗଡ ଭାବେ ଚିହ୍ନଟ ଅଂଚଳରେ ବିଜେପି ଧସେଇ ପଶିଛି । ଗତ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ତୁଳନାରେ ଏଥର ପାଖାପାଖି ଏକ ତୃତୀୟାଂଶ ଆସନ ବିଜେଡି ହାତରୁ ଖସିଛି ।

ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮୮ଟି ଜିଲ୍ଲା ପରିଷଦ ଆସନରୁ ୧୦୩ଟି ଆସନ ବିଜେଡି ଅକ୍ତିଆର କରିବାକୁ ସକ୍ଷମ ହୋଇଛି । ଗତ ନିର୍ବାଚନରେ ବିଜେଡି ଏହି ୧୮୮ ଆସନରୁ ୧୪୯ ଆସନକୁ ଦଖଲ କରିଥିଲା । ଫଳରେ ଭାଳେଣିରେ ପଡିଛି ଶାସକ ଦଳ । କିଭଳି ବାକି ଥିବା ୪ଟି ପର୍ଯ୍ୟାୟରେ ଅଧିକରୁ ଅଧିକ ଆସନ ଅକ୍ତିଆର କରିବ ସେନେଇ ବିଜେଡି ନେତାମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ବିଜେପିକୁ ଆଶାତୀତ ସଫଳତା ମିଳିଛି । ପଶ୍ଚିମରେ ପୁଣି ଥରେ ପଦ୍ମ ଫୁଟିଛି । ଦକ୍ଷିଣ, ଉତର ଓ ଉପକୂଳ ଓଡିଶାରେ ବି ପୁଣି ଥରେ ମୁଣ୍ଡ ଟେକିଛି ଦଳ । ଗତ ନିର୍ବାଚନରେ ଏହି ୧୮୮ ଆସନ ମଧ୍ୟରୁ ମାତ୍ର ୭ଟି ଆସନ ଦଖଲ କରିଥିଲା ବିଜେପି । ଏଥର ଏହି ସଂଖ୍ୟା ଏକା ଥରକେ ବୃଦ୍ଧି ପାଇ ୭୧ରେ ପହଁଚିଛି । ଏଥିରୁ ଲୋକମାନେ ବିଜେପି ଆଡକୁ ଢ଼ଳୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।