ଆଚରଣ ଆଦେଶ ! ଗାଁକୁ ଚାଲିବେ ନେତା, ଆରମ୍ଭ ହେଲା ପଂଚାୟତ ନିର୍ବାଚନ

33

କନକ ବ୍ୟୁରୋ : ଘୋଷଣା ହେଲା ପଂଚାୟତ ନିର୍ବାଚନ ତାରିଖ । ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ଫେବ୍ରୁଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ହେବ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ଭୋଟରଙ୍କୁ ପ୍ରଭାବିତ କଲା ଭଳି କୌଣସି ଭୁଲ୍ କାମ ନ କରିବାକୁ କମିଶନ ଆଦେଶନାମା ଜାରି କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ଭୋଟ୍ ଦଳୀୟ ଭିତିରେ ହେଉଥିବାରୁ ଏଥିପାଇଁ ଅଲଗା ବାଲଟ୍ ବକ୍ସ ରଖିବାକୁ ଦାବି କରିଛି ବିଜେପି । ମାତ୍ର ସେହି ପୁରୁଣା ପଦ୍ଧତିରେ ନିର୍ବାଚନ ଜାରି ରହିବ ବୋଲି କମିିଶନ ସ୍ପଷ୍ଟ କରିଦେଇଛନ୍ତି । ଆଉ ସବୁ ଦଳ ଏବେ ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ତୟାର ହୋଇଗଲେଣି ।

ପାଂଚଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୩, ୧୫, ୧୭, ୧୯, ୨୧ରେ ଅଛି ଅଗ୍ନିପରୀକ୍ଷା । ସକାଳ ୭ରୁ ୧୨ଟା ଯାଏଁ ଭୋଟ୍ ଆଉ ସନ୍ଧ୍ୟା ସୁଦ୍ଧା ଫଳ ଘୋଷଣା ।

ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଛନ୍ତି ରୋଡମ୍ୟାପ୍ । ପ୍ରାର୍ଥୀମାନେ ଜାନୁଆରୀ ୧୧ରୁ ୧୭ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବେ । ୧୮ ତାରିଖରେ ନାମାଙ୍କନ ଯାଂଚ୍ । ୨୧ରେ ନାମାଙ୍କନପତ୍ର ପ୍ରତ୍ୟାହାର ପରେ ଅପରାହ୍ର ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ।

ନିର୍ବାଚନ ତାରିଖ ଘୋଷଣା ସହ ଲାଗିୁ ହୋଇଛି ଆଦର୍ଶ ଆଚରଣ ବିଦ୍ଧି । ନଭେମ୍ବର ୨୭ରୁ ଫେବ୍ରୁଆରୀ ୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ

• କୌଣସି ନୂଆ ଘୋଷଣା ବା ନୂଆ କାର୍ଯ୍ୟ କରାଯାଇପାରିବ ନାହିଁ
• ଭୋଟରଙ୍କୁ କୌଣସି ଉପାୟରେ ପ୍ରଲୋଭିତ କରିବା ଦଣ୍ଡନୀୟ
• ନିର୍ଦ୍ଦଳୀୟ ଭିତ୍ତିରେ ହେଉଥିବା ନିର୍ବାଚନରେ ଦଳୀୟ ଚିହ୍ନ ବ୍ୟବହାର ମନା
• ଭୋଟଗ୍ରହଣ ଦିନ ଓ ତାର ୨୪ ଘଂଟା ପୂର୍ବରୁ କର୍ମୀଙ୍କୁ ମଦ/ନିଶାଦ୍ରବ୍ୟ ଦିଆଯିବ ନାହିଁ
• ସରକାରୀ ଯାନବାହନ/ସର୍କିଟ୍ ହାଉସ୍କୁ ନିର୍ବାଚନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ

ଅନ୍ୟପଟରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅଲଗା ବାଲଟ୍ ବକ୍ସ ରଖିବାକୁ ଦାବି କରିଛି ବିଜେପି । ଅଲଗା ବାକ୍ସରେ ଭୋଟିଂ ନ ହେଲେ ଗଣତି ପୂର୍ବରୁ ହିଁ ବିଜୟୀ ପ୍ରାର୍ଥୀର ସୂଚନା ମିଳିବାର ଆଶଙ୍କା ରହିଛି । ଭୋଟ୍ ଗଣତି ଗୋଟିଏ ଦିନରେ କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଅନ୍ୟପଟରେ ପଂଚାୟତ ନିର୍ବାଚନ ପାଇଁ ସବୁ ଦଳ ତାଙ୍କର ରଣକୌଶଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ପଂଚାୟତ ନିର୍ବାଚନରେ ଭୋଟର କାହା ଆଡକୁ ଢ଼ଳୁଛନ୍ତି- କେଉଁଭଳି ପ୍ରାର୍ଥୀମାନଙ୍କୁ ବାଛୁଛନ୍ତି ତାକୁ ରହିଛି ଅପେକ୍ଷା ।