ନେତା ପାଇଁ ନୁହେଁ ଲଢେଇ ! ନିୟମଗିରିର ଆଦିବାସୀ ଦେଲେ ନେତୃତ୍ୱର ନୂଆ ସଂକେତ

29

କନକ ବ୍ୟୁରୋ : ନିୟମଗିରିରେ ହେବ ନାହିଁ ନିର୍ବାଚନ । ନିଜ ଅଂଚଳର ବିକାଶ ପାଇଁ ନିଜକୁ ଠିଆ ହେବାକୁ ପଡିବ । ବିବାଦରେ ବିକାଶ ହୋଇପାରିବ ନାହିଁ । ଏଭଳି ବାର୍ତା ଦେଇଛନ୍ତି ନିୟମଗିରି ଅଂଚଳର ଡଙ୍ଗରିଆକନ୍ଧ । ଡଙ୍ଗରିଆ କନ୍ଧ ନିଜ ସ୍ୱାର୍ଥ ରକ୍ଷା ପାଇଁ ନିର୍ବାଚନ ନୁହେଁ ମନୋନୟନକୁ କରିଛନ୍ତି ଆୟୂଧ । ଏଥିପାଇଁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ବାସିନ୍ଦା ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ କରିଛନ୍ତି ।

ଏଥିପାଇଁ ପାର୍ସାଲି ପଂଚାୟତର ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ସବୁ ସେମାନେ ମିଳିତ ଭାବେ ନିଷ୍ପତି ନେଇଛନ୍ତି । ୩୬ ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ପୁରୁଷ ମହିଳା ଏକାଠି ହୋଇ ନିଜ ଅଂଚଳ ପାଇଁ ବାଛିଛନ୍ତି ପ୍ରତିନିଧି । ଲାମ୍ବା ଗାଁର ପାଇକ ଶିକକା ସରପଂଚ ଓ ପାର୍ସାଲି ଗାଁର ସନାରି ଶିକକା ସମିତି ସଭ୍ୟା ପଦ ପାଇଁ ମନୋନିତ ହୋଇଛନ୍ତି ।

ଅଂଚଳ ବିକାଶ ନାଁରେ ବହୁ ସରକାରୀ ଯୋଜନା ବାଟମାରଣା ହେଉଛି । ଲୋକଙ୍କ ଅସୁବିଧା କେବେ ସୁଧୁରୁ ନଥିବା ବେଳେ ମନୋନୟନ ମାଧ୍ୟମରେ ପ୍ରାର୍ଥୀ ଦେବାକୁ ସଚେତନତା ଆରମ୍ଭ କରିଥିଲେ ନିୟମିଗିରି ସୁରକ୍ଷା ସମିତି ସଭାପତି । ଲଦ ଶିକକାଙ୍କ ନେତୃତ୍ୱରେ ଏହି ନିଷ୍ପତି ନିଆଯାଇଥିବା ବେଳେ ଡଙ୍ଗରିଆ କନ୍ଧଙ୍କ ବିକାଶ କାର୍ଯ୍ୟକ୍ରମ କିପରି ହେବ ସେନେଇ ମଧ୍ୟ ଗଢା ହୋଇଛି ଏକ କମିଟି । ଅଂଚଳର ସ୍ୱାର୍ଥ ପାଇଁ ନିର୍ବାଚନ ଅପେକ୍ଷା ଭଲ ଲୋକ ସାମ୍ନାକୁ ଆସିବା ଜରୁରୀ ବୋଲି ଲଦ ଶିକକା କହିଛନ୍ତି ।

କେବେ ବେଦାନ୍ତ ତ କେବେ ମାଓବାଦୀ ନେଇ ଚର୍ଚ୍ଚାରେ ଥିବା ନିୟମଗିରି ଅଂଚଳ ବାସିନ୍ଦା ନିଜ ଅଂଚଳର ବିକାଶ ପାଇଁ ଅଂଟା ଭିଡିବା ନିଶ୍ଚୟ ସ୍ୱାଗତଯୋଗ୍ୟ ଘଟଣା । ଗଣତନ୍ତ୍ରରେ ଲୋକଙ୍କ ମତ ପ୍ରକାଶର ଏହି ଧାରା ପଛୁଆ ଅଂଚଳ ପାଇଁ ଏକ ଉଦାହରଣ ।