ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ:ଚତୁର୍ଥ ଦିନରେ ୮୩ ହଜାର ୯୮୩ ପ୍ରାର୍ଥୀପତ୍ର ଦାଖଲ

29

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ୧୧ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା । ତେବେ ଗତକାଲି ଚତୁର୍ଥ ଦିନରେ ରାଜ୍ୟରେ ବିଭିନ୍ନ ପଦବୀ ପାଇଁ ମୋଟରେ ୮୩ହଜାର ୯୮୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପଂଚାୟତ ୱାର୍ଡମେମ୍ବର ପାଇଁ ୫୭ହଜାର ୩୫୧ଜଣ, ସରପଂଚ ପାଇଁ ୧୩ହଜାର ୬୧୦ଜଣ, ସମିତି ସଭ୍ୟ ପାଇଁ ୧୧ହଜାର ୨୩୭ଜଣ ଓ ଜିଲ୍ଲାପରିଷଦ ୧୭୮୫ଜଣ ପ୍ରାଥୀପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ବୌଦ୍ଧ ଜିଲ୍ଲାରେ ବିଜେଡି ,ବିଜେପି ଓ ସିପିଆଇ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ୯ଟି ଜିଲ୍ଲାପରିଷଦ ଜୋନ ପାଇଁ ପ୍ରାର୍ଥୀ ଦେଇଥିବାବେଳେ ସିପିଆଇ କେବଳ ୮ ଓ ୯ ନମ୍ବର ଜୋନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛି । ତେବେ ନବୀନ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ତଥା ଜନ ହିତକର ଯୋଜନାକୁ ପାଥେୟ କରି ଜିଲ୍ଲା ପରିଷଦ ହାତେଇବାକୁ ବିଜେଡି ଆଶା ରଖିଛି ।

ପଂଚାୟତ ନିର୍ବାଚନକୁ ନେଇ ପାରାଦୀପ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ । କୁଜଙ୍ଗ ବ୍ଲକର ୨୮ଟି ପଂଚାୟତରେ ଦେଖିବାକୁ ମିଳିଛି ନିର୍ବାଚନୀ ଉଷ୍ଣତା । ବିଭିନ୍ନ ଦଳର ସମର୍ଥୀତ ପାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ଆସି ପାର୍ଥୀପତ୍ର ଦାଖଲ କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡା ବ୍ଲକରେ ପଂଚାୟତ ନିିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥୀତ ପାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।

ଗରଦପୁର ବ୍ଲକର ୧୮ଟି ପଂଚାୟତ ଓ ୩ଟି ଜିଲ୍ଲାପରିଷଦ ଜୋନ୍, ମାର୍ଶାଘାଇ ବ୍ଲକର ୨୪ଟି ପଂଚାୟତ ଓ ୩ଟି ଜିଲ୍ଲାପରିଷଦ ଜୋନ୍, ଏବଂ ମହାକାଳପଡା ବ୍ଲକର ୩୧ଟି ପଂଚାୟତର ୫ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ପ୍ରମୁଖ ୩ଟି ଦଳର ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରଛନ୍ତି ।

ସେପଟେ ମାଲକାନଗିରି ବିଛିନ୍ନାଂଚଳରେ ନିର୍ବାଚନ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ମାଓବାଦୀଙ୍କ ଭୟରେ ଗତକାଲି ବିଛିନ୍ନାଂଚଳକୁ କେହି ନିର୍ବାଚନ ଅଧିକାରୀ ଯାଇନାହାଁନ୍ତି । ଅନ୍ୟପଟେ ସମ୍ପୃକ୍ତ ଜୋନ୍ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଖବର ମିଳିଛି ।

ଜଣେ ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ୍ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଖବର ମିଳିଛି । ମାଓବାଦୀଙ୍କ ଧମକ ପରେ ସମ୍ପୃକ୍ତ ପଂଚାୟତ ଗୁଡିକରେ ନିର୍ବାଚନ ପାଇଁ ସାନି ତାରିଖ ଧାର୍ଯ୍ୟ ଲାଗି ପ୍ରଶାସନ ଆଗ୍ରହ ଦେଖାଇଛି । ପଂଚାୟତ କାର୍ଯ୍ୟାଳୟ ବଦଳରେ ବ୍ଲକ୍ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ବ୍ୟବସ୍ଥା କରିବା ଲାଗି ପ୍ରଶାସନ କମିଶନଙ୍କୁ ସୁପାରୀଶ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।