କନକ ବ୍ୟୁରୋ : ଏଣିକି ପ୍ରତିଦିନ ଚାଲିବ ବାଦିପାଲା । ମୁହାଁମୁହିଁ ହେବେ କେନ୍ଦ୍ର ଓ ରାଜ୍ୟ ସରକାର । ରାଜନୈତିକ ଡ୍ରାମା ଭିତରେ ପାଳି ପାଳି କରି କେନ୍ଦ୍ର ଅବହେଳାକୁ ଟାର୍ଗେଟ କରିବେ ମନ୍ତ୍ରୀ, ଆଉ ଏହାର ଜବାବ ରଖିବାକୁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବ ବିଜେପି । ଆଜି କୃଷି ଅନୁଦାନ କାଟ ଓ କିରୋସିନ କୋଟା ହ୍ରାସ ବିରୋଧରେ କେନ୍ଦ୍ରକୁ ଘେରିବା ପାଳି ଥିଲା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କର ।

ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ତିନୋଟି ପର୍ଯ୍ୟାୟରେ ୧୦,୫୨୪ କିଲୋଲିଟର କିରୋସିନ ହରାଇଛନ୍ତି । ସେପଟେ କୃଷି କ୍ଷେତ୍ରରେ ରାଜ୍ୟ ସରକାର ୧୦୦୦ରୁ ଅଧିକ କୋଟି ଟଙ୍କା ହରାଇଥିବା ହିସାବ ଦେଇଛନ୍ତି କୃଷି ମନ୍ତ୍ରୀ ।

ଏହି ବାଦିପାଲାରେ ବିଜେପି ବି ପଛରେ ପଡିନାହିଁ । ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପାଲଟା ଜବାବ ଦେବାକୁ ତୟାର ହୋଇଛି ବିଜେପି ।

ଗୋଟାଏ ପଟେ ଯେଉଁଠି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ସମୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରନ୍ତି, ସେହି ସମାନ ଫର୍ମୁଲାରେ ନବୀନ ବ୍ରିଗେଡ୍ ବି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଶ୍ନ ଉଠୁଛି, ଏହି ଟଣାଓଟରା ଭିତରେ ରାଜ୍ୟର ପଂଚାୟତ ଦୁର୍ଗ ଦଖଲ କରିବାରେ କିଏ ସଫଳ ହେବ?