ଦୀର୍ଘ ବର୍ଷ ପରେ ପୁଣି ସକ୍ରିୟ ରାଜନୀତିକୁ ଫେରିଲେ ପଞ୍ଚାନନ ! ରାହୁଲଙ୍କ ଉପସ୍ଥିତିରେ କଂଗ୍ରେସରେ ହେଲେ ସାମିଲ

414

କନକ ବ୍ୟୁରୋ : ହାତ ଧରିଲେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । କ୍ଷମତା ଅଳିନ୍ଦରୁ ଦୀର୍ଘ ଦିନ ଧରି ଦୂରେଇ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ସିଧାସଳଖ ଭାବେ କହିବାକୁ ଗଲେ ପୁଣିଥରେ ଘରବାହୁଡା କରିଛନ୍ତି ପଞ୍ଚାନନ । ଏହାସହ ପଞ୍ଚାନନ କେଉଁ ଦଳରେ ଯୋଗ ଦେବ ତାହାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।

ସକ୍ରିୟ ରାଜନୀତିରୁ ଦୀର୍ଘ ଦିନ ଦୂରେଇ ରହିଥିବା ପଞ୍ଚାନନଙ୍କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଖାସକରି ଦାମଙ୍କ ସମ୍ଭାବ୍ୟ ଦଳରେ ପଞ୍ଚାନନ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଆଜି ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ହାତ ଧରିଛନ୍ତି ପଞ୍ଚାନନ । ବିଜେଡି ଛାଡିବାର ୧୧ ବର୍ଷ ପରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ପଞ୍ଚାନନ କାନୁନଗୋ ।
ବିଜେଡି ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ପଞ୍ଚାନନ କାନୁନଗୋ ୨୦୦୮ରେ ବିଜେଡି ଛାଡିଥିଲେ । ଆଉ ଏହାପରେ ଦୀର୍ଘ ୧୧ ବର୍ଷ ସକ୍ରିୟ ରାଜନୀତିରୁ ଦୂରେଇ ରହିବା ପରେ ପୁଣିଥରେ ରାଜନୀତି ମୈଦାନକୁ କମବ୍ୟାକ କରିଛନ୍ତି । ୧୯୭୦ ମସିହାରେ କଂଗ୍ରେସରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ପଞ୍ଚାନନ ଏନଏସୟୁଆର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତେବେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯିବାପରେ କଂଗ୍ରେସ ଛାଡିଥିଲେ ପଞ୍ଚାନନ ।

ଜେଲରୁ ଫେରିବା ପରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ପଞ୍ଚାନନ କାନୁନଗୋ । ଜନତା ପାର୍ଟି ଟିକେଟରେ ୧୯୭୭ରେ ଗୋବିନ୍ଦପୁର ଆସନରେ ନିର୍ବାଚନ ଲଢି ବିଜୟ ହୋଇଥିଲେ ପଞ୍ଚାନନ । ଏହାପରେ ଦୀର୍ଘ ବର୍ଷ ଧରି ସେ ଭୋଟ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ତେବେ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପଞ୍ଚାନନ ବିଜୟୀ ହୋଇଥିବା ବେଳେ ୧୯୯୭ରେ ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ୨୦୦୦ ମସିହାରେ ବିଜେଡି ଟିକେଟରେ ବିଜୟୀ ହୋଇ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

ତେବେ ୨୦୦୪ ନିର୍ବାଚନରେ ପରାଜିତ ହେବା ପରେ ଦଳୀୟ ନେତୃତ୍ୱ ସହ ତାଙ୍କର ସର୍ମ୍ପକ ବିଗିଡିଥିଲା । ଏପରିକି ଦଳ ବିରୋଧରେ ମନ୍ତବ୍ୟ ଦେଇ ୨୦୦୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ପଞ୍ଚାନନ । ଏହାପରେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ହେଉଥିବା ହଲଚଲ ଉପରେ ତୀକ୍ଷ୍ମ ନଜର ରଖିଥିଲେ ପଞ୍ଚାନନ । ଆଉ ଯେତେବେଳେ ଜଣକ ପରେ ଜଣେ ନେତା କଂଗ୍ରେସ ଦଳକୁ ବାଏ ବାଏ କରୁଛନ୍ତି ସେତେବେଳେ ପୁରୁଣା ଘରକୁ ବାହୁଡିବେ ପଞ୍ଚାନନ । କେବଳ ଏତିକି ନୁହେଁ ଏହି ଅଭିଜ୍ଞ ସର୍ମ୍ପନ୍ନ ରାଜନେତାଙ୍କ ଅଭିଜ୍ଞତା ମଧ୍ୟ କଂଗ୍ରେସକୁ ୨୦୧୯ ନିର୍ବାଚନରେ ବେଶ ଫାଇଦା ଦେବ ବୋଲି ଆକଳନ କରାଯାଉଛି ।