ପଂଚାନନଙ୍କ ପେନସନ ଥିଓରୀ ! ଅଧା କେନ୍ଦ୍ର ଏବଂ ବାକି ଅଧା ବହନ କରିବେ ରାଜ୍ୟ ସରକାର

97

କନକ ବ୍ୟୁରୋ: ତୀବ୍ର ହେବାରେ ଲାଗିଛି ଚାଷୀଙ୍କୁ ପେନସନ ଦେବା ଦାବି । ନବ ନିର୍ମାଣ କୃଷକ ସଂଗଠନ ଚାଷୀଙ୍କୁ ପେନସନ ଦେବା ନେଇ ଦାବି କରିଆସୁଛି । ଜଗତସିଂହପୁରରେ ହୋଇଥିବା ବିଶାଳ ସମାବେଶରେ ଯୋଗ ଦେଇ ଏହି ଦାବିକୁ ଜୋରଦାର କରିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ଏହାପରେ ଚାଷୀଙ୍କୁ ପେନସନ ଦେବା କେତେ ଯୁକ୍ତିଯୁକ୍ତ ଏବଂ ଏହା କିପରି ସମ୍ଭବ ଏ ନେଇ ସୂତ୍ର ବତାଇଛନ୍ତି ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ।

ଚାଷୀଙ୍କୁ ପେନସନ କିପରି ଦେବା ସମ୍ଭବ, ଏ ନେଇ ତର୍କ ଚାଲିଥିବା ବେଳେ ଏହାର ସରଳ ଫର୍ମୂଲା ବତାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । କିପରି ବଜେଟ ଉପରେ ଅଧିକ ଚାପ ନପକାଇ ବି ସରକାର ମାସକୁ ଜଣେ ଚାଷୀଙ୍କୁ ଅତି କମରେ ୨ ହଜାର ଟଙ୍କା ଦେଇପାରିବେ, ତାହାର ଏକ ଚିତ୍ର ଦେଇଛନ୍ତି ପଂଚାନନ । ପଂଚାନନଙ୍କ ପେନସନ ଥିଓରୀ ଅନୁଯାୟୀ ୨୦୧୧ ଜନଗଣନାରେ ରାଜ୍ୟରେ ରହୁଛନ୍ତି ୯୬ ଲକ୍ଷ ପରିବାର । ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ରୁ ୬୦ ଲକ୍ଷ ପରିବାର ହେଉଛନ୍ତି ଚାଷୀ ଓ କୃଷି ମୂଲିଆଙ୍କ ପରିବାର । ଅର୍ଥାତ ଏତିକି ସଂଖ୍ୟକ ଚାଷୀ ଓ କୃଷି ଶ୍ରମିକ ୬୦ ବର୍ଷ ବୟସ ଟପିଗଲା ପରେ ଅତି ଦୟନୀୟ ଭାବେ ଜୀବନ ଯାପନ କରନ୍ତି ।

ପଂଚାନନଙ୍କ ଫର୍ମୂଲା କହୁଛି, ଯଦି ୫୦ ଲକ୍ଷ ଲୋକଙ୍କୁ ସରକାର ୨୦୦୦ ଟଙ୍କା ଲେଖାଏଁ ପେନସନ ଦେବେ, ତେବେ ଖର୍ଚ୍ଚ ହେବ ବାର୍ଷିକ ୧୨ ହଜାର କୋଟି ଟଙ୍କା । ଏହି ଟଙ୍କାର ଅଧା କେନ୍ଦ୍ର ଏବଂ ବାକି ଅଧା ରାଜ୍ୟ ବହନ କରିବେ । ଯେହେତୁ କେନ୍ଦ୍ର ଓ ରାଜ୍ୟ ୫୦ ଅନୁପାତ ୫୦ ହାରରେ ଟିକସ ନେଉଛନ୍ତି, ତେଣୁ ଏକ୍ଷେତ୍ରରେ ଉଭୟଙ୍କର ଦାୟିତ୍ୱ ରହିଛି । ଏହି ହିସାବ ଅନୁସାରେ ପେନସନ ବାବଦରେ ଆବଶ୍ୟକ ହେଉଥିବା ୧୨ ହଜାର କୋଟି ଟଙ୍କାର ଅଧା ଅର୍ଥାତ ୬୦୦୦ କୋଟି ଟଙ୍କା ଓଡ଼ିଶା ଖର୍ଚ୍ଚ କରିବେ ।

ତେବେ ପେନସନ ପାଇଁ ୬ ହଜାର କୋଟି ଟଙ୍କା କେଉଁଠୁ ଆଣିବ ରାଜ୍ୟ । ଏହାର ମଧ୍ୟ ସରଳ ଉପାୟ ବତାଇ ଦେଇଛନ୍ତି ପଂଚାନନ । କେନ୍ଦୁପତ୍ରରୁ ମିଳୁଥିବା ରାଜସ୍ୱ, ଜିଲ୍ଲା ଖଣି ପାଣ୍ଠି, ନିର୍ମାଣ ଶ୍ରମିକ ପାଣ୍ଠିରୁ କିଛି ଅଂଶ ଏ ବାବଦରେ ଖର୍ଚ୍ଚ କରିହେବ । କଂପାନୀ ସାମାଜିକ ଦାୟିତ୍ୱ ପାଣ୍ଠିରୁ ମଧ୍ୟ କିଛି ଭାଗ ଏଥିପାଇଁ ବ୍ୟବହାର କରିହେବ । ସେହିପରି ମଧୁବାବୁ ପେନସନ ଭଳି ବିଭିନ୍ନ ପେନସନ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା ଏବଂ ଉଚ୍ଚ ଆୟକାରୀଙ୍କଠାରୁ ସେସ ଆଦାୟ କରି ବାକି ଅର୍ଥ ଭରଣା କରାଯାଇପାରିବ । ଆଉ ଚାଷୀ ପେନସନ ପାଇଲେ ଗ୍ରାମୀଣ ଅର୍ଥନୀତି ଚଳଚଂଚଳ ହେବା ସହ ଆର୍ôଥକ ବୈଷମ୍ୟ ହ୍ରାସ ପାଇବ ବୋଲି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ