କିପରି ପାଳନ ହୁଏ ପଣାସଂକ୍ରାନ୍ତି ? ଆପଣ ଚଳିତ ଥର କିପରି ପାଳୁଛନ୍ତି ଓଡ଼ିଆ ନବବର୍ଷ ?

379

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ ।

ସାଧାରଣତଃ ଅପ୍ରେଲ ୧୪ ତାରିଖରେ ପଡ଼େ ପଣାସଂକ୍ରାନ୍ତି ତଥା ବିଷୁବସଂକ୍ରାନ୍ତି । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ଏହିଦିନ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ ଛୋଟ କଣାରୁ ଧିରେ ଧିରେ ପାଣି ଝରେ, ଯାହା ବର୍ଷାକୁ ସୂଚାଇଥାଏ । ତେବେ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଦନ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ ।

ଚଣ୍ଡି, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ଏହି ଦିନ ମାସେ ଧରି ଚାଲିଥିବା ଦଣ୍ଡ ନାଟର ଶେଷ ହୁଏ ଯାହାକି ମେରୁ ଯାତ ଭାବରେ ପାଳନ କରାଯାଏ । ବେଲ ପଣା ଓ ଛତୁଆ ସହ ଓଡ଼ିଆମାନେଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ପର୍ବକୁ ଚଡ଼କପର୍ବ ଭାବେ ପାଳନ କରିଥାନ୍ତି ।