ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଧାରଣା ଚାଲିଥିବାବେଳେ କାର ଯିବାକୁ ନେଇ ଗାଳିଗୁଲଜ ଓ ଧସ୍ତାଧସ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା

26

କନକ ବ୍ୟୁରୋ: ବାଣୀବିହାରର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ୍ । ବିଭିନ୍ନ ଦାବି ନେଇ ଫାର୍ମାସୀ ବିଭାଗର ଛାତ୍ର ଗେଟ୍ ବନ୍ଦ କରି ଧାରଣା ଦେଇଥିବା ବେଳେ ହୋଇଛି ଗଣ୍ଡଗୋଳ । କିଛି ଛାତ୍ର ଧାରଣା ଦେଇଥିବା ସମୟରେ କେତେକ ଅଣଛାତ୍ରଙ୍କ ସମେତ କିଛି ଛାତ୍ର ଗୋଟିଏ କାରରେ ସେହି ବାଟରେ ଯିବାକୁ ଜିଦ୍ ଧରିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଗାଳିଗୁଲଜ ଓ ଧସ୍ତାଧସ୍ତି ହୋଇଥିଲା । ଏହାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀ ମଧ୍ୟରେ ମାଡପିଟ୍ ଲାଗିଥିଲା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତେଜନା ଲାଗିରହିଛି ।

ସୂଚନା ଅନୁଯାୟୀ ଫାର୍ମାସି ବିଭାଗ ଅଧ୍ୟାପକଙ୍କୁ ନିୟମିତ କରିବା, ଭିତ୍ତିଭୂମି ସୁଦୃଢ଼ କରିବା ପରି ବିଭିନ୍ନ ଦାବିରେ ବିଭାଗ ଛାତ୍ରଛାତ୍ରୀ ୭ ଦିନ ତଳେ  କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେତେବେଳେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଥିଲେ, ଯେ ୩ରୁ ୪ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ। ହେଲେ ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଛାତ୍ରଛାତ୍ରୀ ଗତକାଲି ଆନ୍ଦୋଳନକୁ ଓହ୍ଲାଇଥିଲେ। ପ୍ରଥମେ ବିଭାଗ ସମ୍ମୁଖରେ ଧାରଣା ଦେବା ସହ ଟାୟର ଜାଳିଥିଲେ। ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର କୌଣସି ଅଧିକାରୀ ହସ୍ତକ୍ଷେପ କରି ନ ଥିଲେ।

ଯେଉଁଥିପାଇଁ ପରବର୍ତୀ ସମୟରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି  ଧାରଣାରେ ବସିଥିଲେ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅପରାଗତାକୁ ନେଇ ସ୍ୱର ଉଠାଇଥିଲେ। ହୋହଲ୍ଲା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ସେମାନେ ଧାରଣାରେ ବସିଥିଲେ ମଧ୍ୟ କୁଳପତି, କୁଳସଚିବ କିମ୍ବା ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଦେଖା ମିଳି ନଥିଲା। ସମସ୍ତେ ସବୁ ଜାଣିଥିଲେ ମଧ୍ୟ କେହି ହସ୍ତକ୍ଷେପ କରିବାକୁ ଆସିଲେ ନାହିଁ। ବରଂ ଛାତ୍ରଛାତ୍ରୀଙ୍କ ଧାରଣାକୁ ବିରୋଧ କରି ଏକ ନିର୍ଦିଷ୍ଟ ରାଜନୈତିକ  ଛାତ୍ରଗୋଷ୍ଠୀର କେତେଜଣ ଛାତ୍ର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ମାରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଘଟଣା ନିୟନ୍ତ୍ରଣ ବାହାରକୁ ଯାଇଥିଲେ ମଧ୍ୟ ବିଶ୍ୱବିିଦ୍ୟାଳୟ କର୍ତୃପକ୍ଷଙ୍କ ଦେଖା ମିଳି ନଥିଲା। ବରଂ ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ଫାଟକ ନିକଟରୁ ଘଉଡ଼ାଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ପୁଲିସ ମୁତୟନ ଅଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତେଜନା । ମଦ ଆଣିବାକୁ ମନା କରିବାରୁ ଛାତ୍ରକୁ ଅଧ୍ୟାପକଙ୍କ ମାଡ ଅଭିଯୋଗ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଅଣଛାତ୍ରଙ୍କ ସହ ମିଶି ଅଧ୍ୟାପକ ରଜତ କୁଜୁର ଜଣେ ଛାତ୍ରଙ୍କୁ ମାଡ ମାରିଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଛି । ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ ବିଶ୍ୱରଂଜନ ଜେନା ନାମକ ଜଣେ ଏମ୍ଫିଲ୍ ଛାତ୍ରଙ୍କୁ ଅଧ୍ୟାପକ ମଦ କିଣି ଆଣି ଏକାଠି ବସି ପିଇବାକୁ କହିଥିଲେ । କିନ୍ତୁ ଛାତ୍ର ଜଣକ ମନା କରିବା ପରେ କିଛି ଅଣଛାତ୍ରଙ୍କ ସହ ମିଶି ଅଧ୍ୟାପକ କୁଜୁର ଛାତ୍ରଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିଥିଲେ । ଏଥିରେ ଛାତ୍ରଜଣକ ଆହତ ହୋଇଥିଲେ । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଅନ୍ୟପଟେ ସଂପୃକ୍ତ ଅଧ୍ୟାପକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଛାତ୍ରମାନେ ତାଙ୍କୁ ଗାଳିଗୁଲଜ କରି ମାଡ ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ।

ରମାଦେବୀ ପାଇଁ ଛାତ୍ର ବିଜେଡିର ପ୍ରାର୍ଥୀ ଘୋଷଣା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଛାତ୍ର ବିଜେଡି। ଛାତ୍ର ବିଜେଡି ଆଗୁଆ ପ୍ରାର୍ଥୀ ଚୟନ କରି ଏବିଭିପି ଓ ଛାତ୍ର କଂଗ୍ରେସକୁ ଚେକ୍‌ ଦେବାକୁ ଉଦ୍ୟମ କରିଛି। ଏଥର ଛାତ୍ର ବିଜେଡି ଉଭୟ ପିଜି ଓ ୟୁଜି ଛାତ୍ରୀଙ୍କୁ ଦୁଇ ପ୍ରମୁଖ ପଦ ପାଇଁ ଚୟନ କରି ଭୋଟ୍‌ ହାତେଇବାକୁ ଉଦ୍ୟମ କରିଛି। ଯୁକ୍ତ୩ ଛାତ୍ରୀ ସ୍ୱୀକୃତି ମିଶ୍ରଙ୍କୁ ସଭାପତି ପ୍ରାର୍ଥୀ କରାଯାଇଥିବା ବେଳେ ପିଜି ଛାତ୍ରୀ ମଧୁସ୍ମିତା ନାୟକଙ୍କୁ ସାଧାରଣ ସମ୍ପାଦକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବାକି ପଦବି ଲାଗି ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଉଭୟ ପିଜି ଓ ୟୁଜିରେ ସମାନ ସଂଖ୍ୟକ ପ୍ରାର୍ଥୀ ଦେଇ କ୍ୟାମ୍ପସରେ ବିଜୟର ବାନା ଉଡ଼ାଇବା ଲକ୍ଷ୍ୟରେ ରହିଛି ସଙ୍ଗଠନ। ବିଗତବର୍ଷଗୁଡ଼ିକରେ ସଙ୍ଗଠନ ଯେଉଁ ଭୁଲ୍‌ କରିଥିଲା ଏଥର ଯେମିତି ସେଭଳି ନ ହୁଏ ସେଥିପ୍ରତି ନେତାମାନେ ଦୃଷ୍ଟି ଦେଇଛନ୍ତି।

ରାଜଧାନୀ କଲେଜରେ ଛାତ୍ରଙ୍କ ଧାରଣା

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ରାଜଧାନୀ କଲେଜରେ ଅଶାନ୍ତି ଲାଗିରହିଛି। ପୂର୍ବରୁ ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଏକାଧିକ ଥର ଗଣ୍ଡଗୋଳ ହୋଇଥିବା ବେଳେ ଆଜି ଏକ ଛାତ୍ରଗୋଷ୍ଠୀ କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା। ବିଶୃଙ୍ଖଳିତ ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ। ସେମାନେ କହିଥିଲେ ଯେ ଗତ କିଛି ଦିନ ହେଲା କ୍ୟାମ୍ପସ ଅଶାନ୍ତ ହେଉଥିବାରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଅଣଛାତ୍ରମାନେ କ୍ୟାମ୍ପସରେ ପ୍ରବେଶ କରୁଛନ୍ତି। ସେମାନଙ୍କୁ ରୋକାଯାଇପାରୁନି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।