କନକ ବ୍ୟୁରୋ : ଜଣେ ପ୍ରଖ୍ୟାତ ସାହିତ୍ୟିକ ହରପ୍ରସାଦ ଦାସ ଓ ଅନ୍ୟଜଣେ ଓଡିଆ ଅଧ୍ୟାପିକା ତଥା ଲେଖିକା ପଲ୍ଲିଶ୍ରୀ ପଟ୍ଟନାୟକ । ଫିଲ୍ମ ଜଗତ ଭଳି କାଉଚର ଅଭିଯୋଗ ଆଣି ଓଡିଶା ସାହିତ୍ୟ ଜଗତରେ ଝଡ ସୃଷ୍ଟି କରିଛନ୍ତି ପଲ୍ଲିଶ୍ରୀ ପଟ୍ଟନାୟକ । ହରପ୍ରସାଦ ଦାସଙ୍କ ଫେସବୁକ ଆକାଉଂଟରୁ ତାଙ୍କ ନିକଟକୁ ଅଶ୍ଳୀଳ ମେସେଜ ଆସିଥିବା ଅଭିଯୋଗ ଆଣି ସେହି ସୋସିଆଲ ମିଡିଆରେ ସାହିତ୍ୟିକଙ୍କୁ କାଠଗଡାରେ ଛିଡା କରାଇଥିବା ପଲ୍ଲିଶ୍ରୀ ପଟ୍ଟନାୟକ ଆଜି ଥାନାରେ ବିଧିବଦ୍ଧ ଏତଲା ଦେଇଛନ୍ତି । ଭବାନୀପାଟଣା ଟାଉନ ଥାନାରେ ଏତଲା ଦେବାସହ ହରପ୍ରସାଦ ଦାସ ନିଜେ ନା ତାଙ୍କ ନାଁରେ ଆଉକେହି ଅଶ୍ଳୀଳ ମେସେଜ ପଠାଇଛନ୍ତି ତାର ଛାନଭିନ୍ କରିବାକୁ ଦାବି କରିଛନ୍ତି । ଏପରିକି ସେ କୋର୍ଟରେ ମଧ୍ୟ ମାମଲା କରିବେ ବୋଲି କହିଛନ୍ତି ।

ସାହିତ୍ୟିକ ହରପ୍ରସାଦ ଦାସ ତାଙ୍କ ନାଁରେ ଗଣମାଧ୍ୟମରେ ଅପପ୍ରଚାର କରିଛନ୍ତି । ଯାହାଦ୍ୱାରା ତାଙ୍କର ସାମାଜିକ ଓ ପାରିବାରିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛନ୍ତି ପଲ୍ଲିଶ୍ରୀ ପଟ୍ଟନାୟକ । ତେବେ ସୋସିଆଲ ମିଡିଆରେ ହରପ୍ରସାଦଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଗତ ୫ ତାରିଖରେ ପଲ୍ଲିଶ୍ରୀ ଓ ଅନ୍ୟ ୭ଜଣଙ୍କ ବିରୋଧରେ କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ ସାହିତ୍ୟିକ ହରପ୍ରସାଦ ଦାସ ।

ହେଲେ ପଲ୍ଲିଶ୍ରୀଙ୍କ ଅଭିଯୋଗ ଅନୁଯାୟୀ ସାହିତ୍ୟିକ ହରପ୍ରସାଦ ଦାସଙ୍କ ଫେସବୁକ ମେସେଞ୍ଜର ଆକାଉଂଟରୁ ତାଙ୍କୁ ଅଶ୍ଳୀଳ ମେସେଜ ଆସୁଥିଲା । ଏପରିକି ହରପ୍ରସାଦଙ୍କ ଫେସବୁକ ଆକାଉଂଟରୁ ଆସିଥିବା କିଛି ବ୍ୟକ୍ତିଗତ କଥାବାର୍ତାର ଫଟୋକୁ ମଧ୍ୟ ସେହି ଫେସବୁକରେ ପୋଷ୍ଟ କରିଥିଲେ । ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ବିରୋଧରେ ଆଉଜଣେ ଲେଖିକାଙ୍କ ଅଭିଯୋଗ ପୁରା ଓଡିଶା ସାହିତ୍ୟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି ।