ଇତିହାସ ରଚିଲା ପାକିସ୍ତାନ : ପ୍ରଥମ ଥର ପାଇଁ ଟିଭିରେ ସମ୍ବାଦ ପରିବେଷଣ କଲେ କିନ୍ନର

66

କନକ ବ୍ୟୁରୋ: କିଛି ଦିନ ତଳେ ପାକିସ୍ତାନ ସରକାର କିନ୍ନରମାନଙ୍କ ସମ୍ମାନ,ସୁରକ୍ଷା ଏବଂ ତାଙ୍କୁ ସଶକ୍ତ କରିବା ପାଇଁ ଏକ ବିଲ ପାସ୍ କରିଥିଲେ । ଏହି ବିଲ ପାସ ହେବା ପରେ ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କୁ ସମ୍ବାଦ ପରିବେଷଣ କରିବାର ଅନୁମତି ଦିଆ ଯାଇଛି । ଏହା ପାକିସ୍ତାନ ଇତିହାସରେ ପ୍ରଥମ ବୋଲି ଜଣା ପଡ଼ିଥିବା ବେଳେ ସାରା ବିଶ୍ୱ ଏହି ପଦକ୍ଷେପ ପାଇଁ ପାକିସ୍ତାନକୁ ପ୍ରଶଂସା କରିବା ସହ ଅଭିନନ୍ଦନ ମଧ୍ୟ ଜଣାଇଥିବା ଦେଖିବାକୁ ମିଳିଛି ।

ଏ ନେଇ ସବିଶେଷ ସୂଚନା ମିଳି ନ ଥିବା ବେଳେ ଏହି ଖବରଟିକୁ ଟ୍ଵିଟରରେ ସେୟାର କରି ବିବିସିର ବରିଷ୍ଠ ସାମ୍ବାଦିକ ଶିରାଜ୍ ହସନ୍ ପ୍ରଥମେ ଲୋକଲୋଚନକୁ ଆଣିଥିଲେ । ଏହି ଟ୍ଵିଟରେ ସମ୍ବାଦ ପରିବେଷଣ କରୁଥିବା କିନ୍ନର ମାଭିଆ ମଲ୍ଲିକଙ୍କ ଫଟୋ ଥିବା ବେଳେ ପାକିସ୍ତାନର ପ୍ରଥମ କିନ୍ନର ସମ୍ବାଦ ପରିବେଷକ ବୋଲି ଲେଖି ସେ ଟ୍ଵିଟ୍ କରିଥିଲେ ।

ଶିରାଜଙ୍କ ଟ୍ଵିଟ୍ ପରେ ଟ୍ଵିଟରରେ ହଙ୍ଗମା ହେବା ସହ ଉଭୟ ଭାରତ ଏବଂ ପାକିସ୍ତାନର ଲୋକମାନେ ପାକିସ୍ତାନର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ସମସ୍ତେ ମାଭିଆଙ୍କୁ ଶୁଭକାମନା ଜଣାଇବା ସହ ଏହି ପଦକ୍ଷପ ଅନ୍ୟ ଦେଶକୁ ଅନୁପ୍ରାଣିତ କରିବ ବୋଲି କହିଥିଲେ ।