ଗଧଙ୍କର ଦେଶ ପାକିସ୍ତାନ! ଜାଣନ୍ତୁ କାହିଁକି ସୋସିଆଲ ମିଡିଆରେ ଏଭଳି କରାଗଲା ବ୍ୟଙ୍ଗ

272

ଗଧଙ୍କର ଦେଶ ପାକିସ୍ତାନ । ଜିଓ ନ୍ୟୁଜ୍ ଅନୁଯାୟୀ ଗଧସଂଖ୍ୟା ପ୍ରତି ଦୃଷ୍ଟି ଦେଲେ ପାକିସ୍ତାନ ୩ୟ ସ୍ଥାନରେ ରହିବ ସାରା ବିଶ୍ୱରେ । ଆଉ ଗଧକଥା ଚର୍ଚ୍ଚା ଚାଲିଥିବା ବେଳେ ଗଧ ପିଠିରେ ବସି ରିପୋର୍ଟିଙ୍ଗ୍ କରୁଥିବା ଜିଓ ନ୍ୟୁଜ୍ ରିପୋର୍ଟର ଜଣକ ତଳକୁ ଖସିପଡ଼ିଛନ୍ତି, ଯାହାର ଭିଡ଼ିଓ ଭାଇରାଲ୍ ହୋଇଛି । ଅନ୍ୟପଟେ ଏନେଇ ସୋସିଆଲ୍ ମିଡ଼ିଆରେ ପାକିସ୍ତାନର ଅଭିବୃଦ୍ଧି ଏବେ ଗଧ ଭରସାରେ ଥିବା ବ୍ୟଙ୍ଗ କରାଯାଇଛି ।

ପାକିସ୍ତାନର ସେହି ଦୃଶ୍ୟ ଯେଉଁଠି ଗଧପିଠିରେ ବସି ସାମ୍ବାଦିକ ଜଣକ ଦେଉଥିଲେ ବିବରଣୀ । ଆଉ ରିପୋର୍ଟିଂ କରୁଥିବା ବେଳେ ହଠାତ ତଳକୁ ଖସିପଡୁଛନ୍ତି ସାମ୍ବାଦିକ ଜଣକ । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହୋଇଥିବା ବେଳେ ପାକିସ୍ତାନର ଜିଡ଼ିପି ଏବେ ଗଧ ଭରସାରେ ଥିବା କଟାକ୍ଷ କରାଯାଉଛି । ଲାହୋରରେ ଗଧମାନଙ୍କୁ ନିଶୁଳ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଖୋଲିବା ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

ଦେଖିବା ପାକିସ୍ତାନ ଗଧବଜାରର କାହାଣୀ
– ୨୦୧୫-୧୬ରେ ପାକିସ୍ତାନରେ ଗଧଙ୍କ ସଂଖ୍ୟା ଥିଲା ୫୧ ଲକ୍ଷ ଓ ୨୦୧୭-୧୮ରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୩ ଲକ୍ଷରେ ପହଁଚିଛି, ଅର୍ଥାତ୍ ବର୍ଷକୁ ଗଧସଂଖ୍ୟା ୧ ଲକ୍ଷ ବୃଦ୍ଧି ପାଉଛି ।
– ପାକିସ୍ତାନରେ ଗୋଟିଏ ଗଧର ଦାମ୍ ୩୫ରୁ ୫୫ ହଜାର ଟଙ୍କାରେ ମିଳୁଥିବା ବେଳେ ଏହା ମାଲିକକୁ ଦୈନିକ ୧ ହଜାର ଟଙ୍କା ରୋଜଗାର ଦେବାରେ ସକ୍ଷମ ହେଉଛି ।
– ଜିଲେଟିନ୍ ପ୍ରସ୍ତୁତରେ ଗଧ ଚମଡ଼ାର ଆବଶ୍ୟକତା ଥିବାରୁ ଚୀନ ପାକିସ୍ତାନଠାରୁ ସବୁଠାରୁ ଅଧିକ ଗଧ କିଣିଥାଏ, ଯେଉଁ କାରଣରୁ ପାକିସ୍ତାନରେ ଗଧ ସଂଖ୍ୟା ବଢ଼ିବାରେ ଲାଗିଛି ।

ଆତଙ୍କବାଦ ଭଳି ଗମ୍ଭୀର ପ୍ରସଙ୍ଗ ଯୋଗୁ ସବୁବେଳେ ବିବାଦରେ ରହୁଥିବା ପାକିସ୍ତାନ ଏବେ ଗଧ ସଂଖ୍ୟାକୁ ନେଇ ରହିଛି ଚର୍ଚ୍ଚାରେ । ଦିନକୁ ୧ ହଜାର ଟଙ୍କା ରୋଜଗାରର ସ୍ୱପ୍ନ ଦେଖୁଥିବା ପାକିସ୍ତାନୀଙ୍କ ପାଇଁ ଗଧ ପାଲଟିଛି ରୋଜଗାରର ମୁଖ୍ୟ ମାଧ୍ୟମ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୨୦୧୭ରେ ପାକିସ୍ତାନ କୋଟି କୋଟି ଟଙ୍କା ବ୍ୟୟରେ ଗଧବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏବେ ଜିଓ ନ୍ୟୁଜ୍ ସାମ୍ବାଦିକଙ୍କ ଗଧପିଠିର ରିପୋର୍ଟିଂ ଭାଇରାଲ୍ ହେବା ପରେ ପାକିସ୍ତାନ ହୋଇଛି ପରିହାସର ପାତ୍ର ।