ଜୟପୁର ଜେଲରେ ପାକିସ୍ତାନୀ କଏଦୀକୁ ହତ୍ୟା : ଟିଭିର ଭଲ୍ୟୁମ ବଢ଼ାଇବାକୁ ନେଇ କଏଦୀଙ୍କ ମଧ୍ୟରେ ହୋଇଥିଲା ଝଗଡା

305

ରାଜସ୍ଥାନର ରାଜଧାନୀ ଜୟପୁରର ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଏକ ପାକିସ୍ତାନୀ କଏଦୀର ହତ୍ୟା ମାମଲା ସାମନାକୁ ଆସିଛି । ଜୟପୁର ପୁଲିସ ଅନୁସାରେ, ଜେଲରେ ଏହି ହତ୍ୟା ପଛର କାରଣ କିଛି କଏଦୀଙ୍କ ମଧ୍ୟରେ ବିବାଦ ପରେ ହୋଇଥିବା ଝଗଡା ଥିଲା । ଜୟପୁର ପୁଲିସର ଅତିରିକ୍ତ କମିଶନର ଲକ୍ଷ୍ମଣ ଗୌଡ଼ କହିଛନ୍ତି କି, ଟିଭି ଦେଖିବା ସମୟରେ ଏହି ଝଗଡା ହୋଇଥିଲା ।

ହତ୍ୟାକୁ ନେଇ ହୋଇଥିବା ପ୍ରାରମ୍ଭିକ ତଦନ୍ତରେ ୪ଜଣ କଏଦୀଙ୍କ ନାମ ସାମନାକୁ ଆସିଛି । ଶକରଉଲ୍ଲାଙ୍କ ସହ ଥିବା ଅନ୍ୟ ପାକିସ୍ତାନୀ କଏଦୀଙ୍କୁ ବି ପଚରାଉଚୁରା କରାଯାଉଛି । ଅତିରିକ୍ତ କମିଶନର କହିନ୍ତି କି, ଜେଲରେ ଟିଭି ଦେଖିବା ବେଳେ ଶବ୍ଦ ବଢ଼ାଇବାକୁ ନେଇ କଏଦୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । କଏଦୀର ଚିହ୍ନଟ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସହିତ ଜଡିତ ଆତଙ୍କବାଦୀ ଶକରଉଲ୍ଲା ଭାବେ ହୋଇଛି । ଶକରଉଲ୍ଲା ସହ ଜୟପୁର ଜେଲରେ ୮ ଆତଙ୍କବାଦୀ ବନ୍ଦ ଥିଲେ । ୩୦ ନଭେମ୍ବର ୨୦୧୭ରେ ଏଡିଜେ କୋର୍ଟ ସମସ୍ତ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲା । ବର୍ଷ ୨୦୧୦ରେ ଏଟିଏସ୍ ଏହି ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଯାହାଙ୍କୁ ପରେ ଆତଙ୍କ ପାଇଁ ଫଣ୍ଡ ଏକତ୍ରିତ କରୁଥିବା ଦୋଷରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ କଏଦୀ ଅର୍ଥାତ୍ ଶକରଉଲ୍ଲାର ଅନ୍ୟ କଏଦୀଙ୍କ ସହ ଝଗଡାରେ ମୃତ୍ୟୁ ହୋଇଥିବା କୁହାଯାଉଛି ।

ପାକିସ୍ତାନୀ କଏଦୀର ମୃତ୍ୟୁ ସୂଚନା ପରେ ପୁଲିସ କମିଶନରେଟ୍ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଡିଜିପି ଏନଆରକେ ରେଡ୍ଡି ଓ ଡିଆଇଜି ଜେଲ୍ ରୁପେନ୍ଦ୍ର ସିଂହଙ୍କ ଅନୁସାରେ, ପାକିସ୍ତାନୀ କଏଦୀର ମୃତ୍ୟୁ ସୂଚନା ତ ମିଳିଛି କିନ୍ତୁ ଏବେ ମୃତ୍ୟୁର କାରଣ ଯାଂଚ କରାଯାଉଛି ।