ପୁଲୱାମା ଆକ୍ରମଣର ପ୍ରତିଶୋଧ: ହ୍ୟାକ୍ ହେଲା ପାକିସ୍ତାନର ଶତାଧିକ ସରକାରୀ ୱେବସାଇଟ୍, ହୋମ ପେଜରେ ହ୍ୟାକର ଲେଖିଲେ କିଛି ଏଭଳି

526

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପରେ ପାଖାପାଖି ୨ ଶହ ପାକିସ୍ତାନୀ ୱେବସାଇଟକୁ ହ୍ୟାକ୍ କରିଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ହ୍ୟାକରମାନେ ଏହି ସମସ୍ତ ୱେବସାଇଟକୁ ହ୍ୟାକ୍ କରି ଲେଖିଛନ୍ତି କି ‘ଆମେ ୧୪/୦୨/୨୦୧୯କୁ ଭୁଲି ପାରିବୁ ନାହିଁ । ଏହାର ବଦଲା ନିଶ୍ଚୟ ନିଆଯିବ । ଏହି ହ୍ୟାକିଂ ତାଙ୍କ ଉଦ୍ଦେଶ୍ୟରେ କରାଯାଇଛି , ଯେଉଁମାନେ ପୁଲୱାମା ଆଟାକରେ ସହିଦ ହୋଇଛନ୍ତି ।’

ତେବେ ହ୍ୟାକ୍ କରାଯାଇଥିବା ୱେବସାଇଟ୍ ଗୁଡିକ ମଧ୍ୟରେ ଅଧିକାଂଶ ପାକିସ୍ତାନ ସରକାରଙ୍କର ଆଧିକାରୀକ ୱେବସାଇଟ୍ । ୱେବସାଇଟଗୁଡିକୁ ସଂପୂର୍ଣ୍ଣ ଭାବରେ ହ୍ୟାକ୍ କରାଯାଇ ଏହାର ହୋମ ପେଜରେ ମେସଜ ଲେଖାଯାଇଛି । ଏଥିରେ ଆଇ-କ୍ରିଉ ଟିମ୍ ଲେଖାଯାଇଛି, ଯିଏକି ଏହି ସବୁ ୱେବସାଇଟକୁ ହ୍ୟାକ୍ କରିଥିବା ନେଇ ଦାବି କରିଛି । ହ୍ୟାକ୍ ହୋଇଥିବା ସମସ୍ତ ୱେବସାଇଟ୍ ମଧ୍ୟରୁ କିଛି ଠିକ୍ କରାଯାଇଥିବା ବେଳେ ଅନେକ ୱେବସାଇଟ୍ ବର୍ତ୍ତମାନ ଅଚଳ ହୋଇପଡିଛି ।

ଉଲ୍ଲେଖ ଥାଉ କି, ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରାଦେଶକୁ ଦୋହଲାଇ ଦେଇଛି । ଜାମ୍ମୁରୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଥିଲେ ଆତଙ୍କବାଦୀ । ଏଥିରେ ୪୦ଜଣ ଯବାନ ପ୍ରାଣ ହରାଇବା ସହ ଅନେକ ଯବାନ ଆହତ ହୋଇଛନ୍ତି । ତେବେ ୭୦ଟି ବସ ସିଆରପିଏଫ ଯବାନମାନଙ୍କୁ ନେଇ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା କାର ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା । ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା ।