ରାତି ପାହିଲେ ପାକିସ୍ତାନରେ ସାଧାରଣ ନିର୍ବାଚନ : ନୂଆ ନେତୃତ୍ୱ ପାଇଁ ଜନତା କରିବେ ମତଦାନ

23

କନକ ବ୍ୟୁରୋ : ରାତି ପାହିଲେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ । ପାକିସ୍ତାନର ଜନସାଧାରଣ ସେଠାକାର ନୂଆ ନେତୃତ୍ୱକୁ ବାଛିବା ପାଇଁ କରିବେ ମତଦାନ । ଭାରତ ସମେତ ବିଶ୍ୱର ଅନେକ ଦେଶର ନଜର ଏହି ନିର୍ବାଚନ ଉପରେ ରହିଛି । କ୍ରିକେଟରରୁ ନେତା ବନିଥିବା ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ-ତେହେରିକ୍-ଏ-ଇନସାଫ, ନୱାଜ ସରିଫଙ୍କ ପାର୍ଟି ମଧ୍ୟରେ କଡା ଟକ୍କର ହେବ । ତେବେ ଇମରାନ୍ ଖାନ୍ ଏହି ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ ପାକିସ୍ତାନର ଆଗାମି ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି । ନିର୍ବାଚନ ପ୍ରଚାର ଶେଷ ହେବାର ୧୬ ଘଂଟା ପରେ ସେ ଟୁଇଟ୍ କରି ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି ଆଜି ରାତିରେ ଶିଘ୍ର ଶୋଇଯାଅ ଓ ଆସନ୍ତାକାଲି ସକାଳୁ ଶିଘ୍ର ଉଠି ଭୋଟ ଦେବାକୁ ଯିବ ।

ସମର୍ଥକଙ୍କୁ ସତର୍କ ରହିବାକୁ ମଧ୍ୟ କହିଛନ୍ତି ଇମରାନ୍ । ଏଥିସହ ପାକିସ୍ତାନ ଜନତା ଏହି ଐତିହାସିକ ନିର୍ବାଚନରେ ନିଶ୍ଚିତ ଭାଗ ନେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ୪ଦଶକ ଭିତରେ ପରିବର୍ତନ ପାଇଁ ଏହା ପ୍ରଥମ ସୁଯୋଗ । ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ତେବେ ପାକିସ୍ତାନରେ ଇଲେକ୍ସନ ନୁହେଁ କେବଳ ସିଲେକ୍ସନ ହେଉଛି ବୋଲି କୁହାଯାଉଛି । ଆଗାମି ପ୍ରଧାନମନ୍ତ୍ରୀ ଦେଶର ଜନତା ନୁହେଁ ବରଂ ପାକିସ୍ତାନର ସେନା ଚୟନ କରୁଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ନୂଆ ନେତୃତ୍ୱ ଆସିଲେ ପାକିସ୍ତାନର ଭାରତ ସହ କିପରି ସମ୍ପର୍କ ରହିବ ତାହା ବେଶ୍ ଗୁରୁତ୍ୱ ବହନ କରୁଛି ।