ପୁରୀରେ ପାକିସ୍ତାନୀ! ଶ୍ରୀକ୍ଷେତ୍ରକୁ ଆସିଲା ସିନ୍ଧ ପ୍ରଦେଶରୁ ଶାନ୍ତିର ବାର୍ତ୍ତା

40

କନକ ବ୍ୟୁରୋ : ଦୁଇ ଦେଶରେ ଶାନ୍ତି ଫେରିବ । ପରସ୍ପର ପ୍ରତି ରହିବ ନାହିଁ କୌଣସି କ୍ରୋଧ ବା ବିଦ୍ୱେଷ । ଏହି ଆଶା ନେଇ ଶ୍ରୀଜଗନ୍ନାଥଙ୍କ ଆଗରେ ଗୁହାରି କରିଛନ୍ତି ସୁଦୂର ପାକିସ୍ତାନରୁ ଆସିଥିବା ତୀର୍ଥଯାତ୍ରୀ ଦଳ । ଏପରି କି ସେମାନେ ଏଠାରେ ଅନ୍ୟ ଦେଶକୁ ଆସିଥିବା ପରି ମନେ କରୁନଥିବା ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କରି ସେମାନେ ଅଭିଭୂତ ।

ପାକିସ୍ତାନ ସିନ୍ଧପ୍ରଦେଶର ଭୋଡକୀ ଓ ସକର ଜିଲ୍ଲାର ୯୪ ଜଣ ତୀର୍ଥଯାତ୍ରୀ ପହଂଚିଛନ୍ତି ପୁରୀରେ । କୋଣାର୍କ, ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ପରେ ଏହି ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ରହିବା ସହ ଗୁରୁଜୀଙ୍କ ଆଶୀର୍ବାଦ ନେଇଛନ୍ତି । ପାକିସ୍ତାନୀ ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସେମାନେ ଅଭିଭୂତ ହୋଇପଡିଛନ୍ତି । ଭାରତକୁ ଆସି ସେମାନେ କୌଣସି ପ୍ରକାର ଭିନ୍ନତା ଦେଖୁନଥିବା ବେଳେ ଏହା ତାଙ୍କର ନିଜ ଅଂଚଳ ସିନ୍ଧ ପରି ମନେ ହେଉଥିବା କହିଛନ୍ତି ।

ସିନ୍ଧି ସଂପ୍ରଦାୟର ପ୍ରମୁଖ ପୀଠ ଶଦାନୀ ଦରବାର ଛତିଶଗଡ ରାୟପୁରରେ ରହିଛି । ସେହି ପୀଠର ପୀଠାଧୀଶଙ୍କ ନେତୃତ୍ୱରେ ଏହିଯାତ୍ରୀମାନେ ଭାରତରେ ତୀର୍ଥ ଭ୍ରମଣ କରୁଛନ୍ତି । ହରିଦ୍ୱାର, ବାରଣାସୀ ପରେ ସେମାନେ ପୁରୀ ଆସିଛନ୍ତି । ଦୁଇ ଦେଶର ସରକାର ଚାହିଁଲେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ସୁଧୁରିବା ନେଇ ଏହି ତୀର୍ଥଯାତ୍ରା ଆଶାବାଦୀ । ଶାନ୍ତିର ବାର୍ତା ନେଇ ସେମାନେ ଆସିଥିବା ବେଳେ ସେମାନଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସେବାୟତ ।

ସୀମାରେ ଉତେଜନା ଥିବା ବେଳେ ପାକିସ୍ତାନର ସାଧାରଣ ଲୋକ ଯେ ଭାରତ ସହ ସ୍ୱାଭାବିକ ସଂପର୍କ ଚାହେଁ ଏହା ସ୍ପଷ୍ଟ କରୁଛି ଏହି ପାକିସ୍ତାନୀ ତୀର୍ଥଯାତ୍ରୀଙ୍କ ମନୋଭାବ ।