ପାକିସ୍ତାନରେ ପୁଣି ଇତିହାସର ହେବ କି ପୁନରାବୃତ୍ତି? କ’ଣ ପୁଣି ୫ ବର୍ଷ ପୂର୍ବରୁ ବିଦାହେବେ ପ୍ରଧାନମନ୍ତ୍ରୀ? ଇମ୍ରାନଙ୍କଠୁ ଶାସନ ଛଡାଇ ନେଇପାରେ ସେନା ।

762

କନକ ବ୍ୟୁରୋ : ପାକିସ୍ତାନରେ ପୁଣି ଇତିହାସର ହେବ କି ପୁନରାବୃତ୍ତି ? କ’ଣ ପୁଣି ୫ ବର୍ଷ ପୂର୍ବରୁ ବିଦାହେବେ ପ୍ରଧାନମନ୍ତ୍ରୀ ? ପଡୋଶୀ ଦେଶରେ ପୁଣି ହେବ କି କ୍ଷମତା ପରିବର୍ତ୍ତନ ? ପାକିସ୍ତାନରେ ଏସବୁ ପ୍ରଶ୍ନର ଉତ୍ତର ହଁ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନରେ ପ୍ରତିପକ୍ଷ ଦଳ ଆରମ୍ଭରୁ ହିଁ ଇମ୍ରାନ ଖାନଙ୍କୁ ପରିବର୍ତନ ସପକ୍ଷରେ ଯୁକ୍ତି ବାଢି ଆସୁଛନ୍ତି । ଆଉ ଏବେ ଯେତେବେଳେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କ୍ୱାମର ବାଜୱା ସେନା ପୋଷାକ ଓହ୍ଲାଇ ସୁଟ ବୁଟ ପିନ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନଜର ଆସିଲେ, ସେତେବେଳେ ଚର୍ଚ୍ଚା ହେଉଥିବା ଏସବୁ ତମାମ ପ୍ରସଙ୍ଗକୁ ବଳ ମିଳିଯାଇଛି ।

ବିପଦରେ ଇମ୍ରାନଙ୍କ ଆସନ ?
ପାକିସ୍ତାନ ସେନା ମୁଖ୍ୟାଳୟରେ ଏହି ବୈଠକ ବସିଲା । ଯାହାକୁ ଦେଖି ଅନୁମାନ କରାଯାଉଛି ଯେ, ପାକିସ୍ତାନରେ ପଟ୍ଟ ପରିବର୍ତନ ହୋଇସାରିଛି ଏବଂ କେବଳ ଔପଚାରିକ ଭାବେ କ୍ଷମତାରେ ପରିବର୍ତନ ହେବାକୁ ଅପେକ୍ଷା କରାଯାଇଛି । କୁହାଯାଉଛି ଏହି ବୈଠକ ହିଁ ପାକିସ୍ତାନରେ ଇମ୍ରାନ ଖାନଙ୍କ ଆସନ ପ୍ରତି ବଡ ବିପଦ ସୃଷ୍ଟି କରିଛି । ଯାହାର ଟ୍ରେଲର ଦେଖିବାକୁ ମିଳିଛି । କାରଣ କରାଚିରେ ଆୟୋଜିତ ଏହା କୌଣସି ସାଧାରଣ ବୈଠକ ନଥିଲା । ବରଂ ଦେଶରୁ ଇମ୍ରାନଙ୍କୁ ତଡିପାର କରିବାର ବଡ ସନ୍ଦେଶ ଥିଲା । ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ଆସନରୁ ଦୂରେଇ ଦେବାର ଥିଲା କାଉଂଟଡାଉନ୍ । ସେନା ପୋଷାକ ଓହ୍ଲାଇ ପ୍ୟାଂଟ, ସାର୍ଟ ଓ ସୁଟ ବୁଟରେ ଜେନେରାଲ ବାଜୱାଙ୍କ ଏହି ନୂଆ କଳେବର ସହ ତାଙ୍କ ଅନ୍ଦାଜ ବି ବଦଳି ଯାଇଥିଲା ।

ଇସଲାମାବାଦ ପରିବର୍ତେ କରାଚିରେ ହେଲା ବ୍ୟବସାୟୀଙ୍କ ବୈଠକ । ଦେଶର ପ୍ରମୁଖ ଭାବରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ରାଇଡର ସିଟରେ ବସିଲେ ସେନାମୁଖ୍ୟ । ଅର୍ଥାତ ଦେଶର ଶାସନ ଡୋର ଏବେ ସେନାମୁଖ୍ୟ ଜେନେରାଲ ବାଜୱାଙ୍କ ହାତରେ । କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ।

ଶାସନ ଛଡାଇ ନେବ କି ସେନା ?
ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ସେନା ଓ ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସଆଇର ସକ୍ଷୀ କଣ୍ଢେଇ ବୋଲି କୁହାଯାଉଛି । ୨୨ ବର୍ଷର ରାଜନୈତିକ ସଂଘର୍ଷ ପରେ କ୍ରିକେଟର ଇମ୍ରାନ ଖାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପଛରେ ସେନାର ହାତ ରହିଥିବା ଅଭିଯୋଗ ହୋଇଆସୁଛି । ଏପରିକି ତାଙ୍କ ମୁହଁରେ ସବୁବେଳେ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସ୍କ୍ରିପ୍ଟ ଥାଏ ବୋଲି ଚର୍ଚ୍ଚା ହେଉଛି । ସ୍ଥାନୀୟ ସଭା ସମିତିଠୁ ଆରମ୍ଭ କରି ବିଶ୍ୱ ମଂଚରେ କେତେବେଳେ, କେଉଁଠି ଓ କଣ କହିବେ ତାହା ସେନାମୁଖ୍ୟ ହିଁ ସ୍ଥିର କରିଥାନ୍ତି । ଆଉ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଣଦେଖା କରି ଦେଶ ବିଦେଶର ବଛାବଛା ବ୍ୟବସାୟୀଙ୍କ ସହ ପାକିସ୍ତାନର ଅର୍ଥନୀତି ସୁଧାର ପାଇଁ ଜେନେରାଲ ବାଜୱା ନେଇଥିବା ପଦକ୍ଷେପ ସ୍ପଷ୍ଟ ସଂକେତ ଦେଉଛି ଯେ, ଜେନେରାଲ ବାଜୱା ଏବେ ନିଜ ହାତକୁ କ୍ଷମତା ନେବାକୁ ଚାହୁଁଛନ୍ତି ।
ପାକିସ୍ତାନରେ ଗୋଟିଏ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ଶାସନ କ୍ଷମତା ନିଜ ନିୟନ୍ତ୍ରଣକୁ ନେବା କିଛି ନୂଆକଥା ନୁହେଁ । ପାକିସ୍ତାନ ଇତିହାସରେ ଖୁବ କମ୍ ପ୍ରଧାନମନ୍ତ୍ରୀ ନିଜର ୫ବର୍ଷ କାର୍ଯ୍ୟକାଳ ଶେଷ କରିପାରିଛନ୍ତି ।

ଶକ୍ତି ଦେଖାଇଲେ ପାକ୍ ସେନାମୁଖ୍ୟ ?
କରାଚି ଓ ରାୱଲପିଣ୍ଡି ପାକିସ୍ତାନ ସେନା କାର୍ଯ୍ୟାଳୟରେ ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି ପାକିସ୍ତାନ ସେନା ମୁଖ୍ୟ । ପୂର୍ବରୁ ଗୁପ୍ତରେ ଦୁଇଥର ବୈଠକ କରିଥିବାବେଳେ ଏଥର ଔପଚାରିକ ଭାବେ ସୂଚନା ଦିଆଯାଇଛି । କୁହାଯାଉଛି ଇମ୍ରାନଙ୍କ ନିଷ୍ପତିରେ ଖୁସି ନୁହନ୍ତି ପାକିସ୍ତାନର ବ୍ୟବସାୟୀ । ୧୦ ବର୍ଷରେ ପ୍ରଥମଥର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରାଯାଇନଥିବାରୁ ସେନା ମଧ୍ୟ ଅସନ୍ତୁଷ୍ଟ ଅଛି । କୁହାଯାଉଛି ପାକିସ୍ତାନରେ ସେନା ମଧ୍ୟ ଅନେକ ବଡ ବ୍ୟବସାୟିକ କାର୍ଯ୍ୟ ଚଳାଇଛି । ଆଉ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବାଦ୍ ଦେଇ ସେନାମୁଖ୍ୟ କରିଥିବା ଏହି ବୈଠକ ପାକିସ୍ତାନରେ କ୍ଷମତା ପରିବର୍ତ୍ତନର ଏକ ପ୍ରକ୍ରିୟା ବୋଲି ବିଚାର କରାଯାଉଛି ।