ପାକିସ୍ତାନ ବିଶ୍ୱକୁ ଧୋକା ଦେଉଛି : ହାଫିଜ୍‌ର ମୁକ୍ତି ନେଇ ଭାରତର ଉଦ୍‌ବେଗ

65

ନୂଆଦିଲ୍ଲୀ: ପାକିସ୍ତାନରେ ଗୃହବନ୍ଦୀ ଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦକୁ ମୁକ୍ତି ଦେଇ ପାକିସ୍ତାନ ସମଗ୍ର ବିଶ୍ୱକୁ ଧୋକା ଦେଇଛି। ଆତଙ୍କବାଦକୁ ପ୍ରୋତ୍ସାହନ ଏବଂ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ବ୍ୟକ୍ତିକୁ ଅବାଧ ବିଚରଣ ପାଇଁ ସୁଯୋଗ ଦେଇ ପାକିସ୍ତାନ ତା’ର ବିଧ୍ୱଂସକାରୀ ନୀତିକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ଭାରତ କହିଛ। ଭାରତର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି ଯେ ହାଫିଜକୁ ମୁକ୍ତ କରି ପାକିସ୍ତାନ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହାର ସାମାନ୍ୟତମ ନିଷ୍ଠା ନଥିବା ପୁଣିଥରେ ପ୍ରମାଣ କରିଛି। ଜଣେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀକୁ ଦଣ୍ଡ ଦେବା ବଦଳରେ ତାକୁ ମୁକ୍ତ କରିବା ପାଇଁ ପାକ୍‌ ସରକାର ସମସ୍ତ ପ୍ରୟାସ କରିଥିବାରୁ ଏହା ନିନ୍ଦନୀୟ ବୋଲି ସେ କହିଛନ୍ତି।

ପାକିସ୍ତାନ ସରକାର ହାଫିଜ ବିରୋଧରେ ଅତ୍ୟନ୍ତ ବେପରୁଆ ଭାବେ ଦଲିଲ ଉପସ୍ଥାପନ କରିବା ଏବଂ ବଳିଷ୍ଠ ପ୍ରମାଣ ଦାଖଲ ନ କରିବାରୁ ଗତକାଲି ଲାହୋର ହାଇକୋର୍ଟ ହାଫିଜକୁ ଗୃହବନ୍ଦୀରୁ ମୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନର ପଂଜାବ ପ୍ରଦେଶ ସରକାର ହାଫିଜ୍‌ ବିରୋଧରେ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ତାହା ତାକୁ ଗୃହବନ୍ଦୀ କରି ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ କହିଥିଲେ। ଗତ ଜାନୁଆରି ୩୧ ତାରିଖରେ ହାଫିଜ ଏବଂ ତା’ର ଅନ୍ୟ ୪ ଜଣ ସହଯୋଗୀଙ୍କୁ ପଂଜାବ ସରକାର ଆତଙ୍କବାଦ ନିରୋଧ ଆଇନ-୧୯୯୭ ବଳରେ ଗିରଫ କରିଥିଲେ। ୨୬/୧୧ ଆକ୍ରମଣ ପରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଭାରତର ଦାବି ପ୍ରତି ପାକିସ୍ତାନ ଲଗାତାର ଅଣଦେଖା କରି ଚାଲିଛି ଏବଂ ଭାରତ ଦ୍ୱାରା ଉପସ୍ଥାପନ କରାଯାଇଥିବା ପ୍ରମାଣକୁ ଗୁରୁତ୍ୱ ଦେଇନାହିଁ।

ହାଫିଜ୍‌ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ବଦଳରେ ତାକୁ ମୁକ୍ତି ଦିଆଯାଇଥିବାରୁ ଏଥିରେ ଆମେରିକା କ୍ଷୁବ୍ଧ ହୋଇଛି। ପାକିସ୍ତାନ ଆତଙ୍କବାଦ ପ୍ରସଙ୍ଗରେ ତା’ର ଆଭିମୁଖ୍ୟ ବଦଳାଉ ନଥିବାରୁ ଏହାକୁ ଦିଆଯାଇଥିବା ଅଣ ନାଟୋ ସହଯୋଗୀ ରାଷ୍ଟ୍ର ମାନ୍ୟତା ରଦ୍ଦ କରିବାକୁ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୬/୧୧ ଆକ୍ରମଣର ୯ ବର୍ଷ ପରେ ଏହାର ମୁଖ୍ୟ ଅପରାଧୀକୁ ଏଭଳି ଖଲାସ କରିବା ପାକିସ୍ତାନର ଦୋମୁହାଁ ନୀତିର ପରିଚୟ ଦେଉଛି ବୋଲି ଆମେରିକାର ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ବ୍ରୁସ୍‌ ରିଡେଲ କହିଛନ୍ତି। ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହାଫିଜ୍‌କୁ ମୁକ୍ତି ଦେଇ ପାକିସ୍ତାନ ଜାତିସଂଘର ନୀତିକୁ ମଧ୍ୟ ଉଲ୍ଲଂଘନ କରିଛି ବୋଲି ସେ କହିଛନ୍ତି।

ଗୋଟିଏ ପଟେ ପାକିସ୍ତାନ ନିଜକୁ ଆତଙ୍କବାଦୀ ପୀଡ଼ିତ ରାଷ୍ଟ୍ର ବୋଲି ଦର୍ଶାଇ ଆମେରିକାଠାରୁ ସହାୟତା ପାଉଥିବା ବେଳେ ଅନ୍ୟପଟେ ଆତଙ୍କବାଦୀଙ୍କୁ ସମସ୍ତ ପ୍ରୋତ୍ସାହନ ଦେଇ ହିଂସା ଓ ଅସ୍ଥିରତା ବଢ଼ାଇ ଚାଲିଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଆମେରିକାର ବିଦେଶ ନୀତି ବିଶେଷଜ୍ଞ ଆଲେସା ଏୟର୍ସ କହିଛନ୍ତି।

କଶ୍ମୀର ଛଡ଼ାଇ ନେବାକୁ ଧମକ-

୧୦ ମାସର ଗୃହବନ୍ଦୀ ପରେ ମୁକ୍ତ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ ଭାରତ ବିରୋଧରେ ବିଷୋଦ୍‌ଗାର କରିଛି । ଭାରତ ତା’ର କିଛି ବିଗାଡ଼ି ପାରିବନି ଏବଂ କଶ୍ମୀରକୁ ସେ ଭାରତଠାରୁ ଛଡ଼ାଇ ନେବ ବୋଲି ହାଫିଜ୍‌ କହିଛି । ହାଫିଜକୁ ମୁକ୍ତ କରିବା ପାଇଁ କୋର୍ଟ ରାୟ ପ୍ରକାଶ ପରେ ସେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ାଇବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ କରିଛି। ଅତିଶୀଘ୍ର କାଶ୍ମୀରକୁ ସ୍ୱାଧୀନତା ମିଳିଯିବ ଏବଂ ଭାରତ କେବଳ ଦେଖଣାହାରୀ ହୋଇ ରହିବା ବ୍ୟତୀତ ଅଧିକ କିଛି କରିପାରିବନି ବୋଲି ହାଫିଜ୍‌ ତା’ର ବୟାନରେ କହିଛି। ଭାରତର ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର କହିଛନ୍ତି, ହାଫିଜ୍‌କୁ ମୁକ୍ତ କରିବା ନିଷ୍ପତ୍ତି ପାକିସ୍ତାନର ଏକ ବିରାଟ ଭୁଲ୍‌ ପଦକ୍ଷେପ। ଯେତେବେଳେ ସାରା ବିଶ୍ୱ ଆତଙ୍କବାଦକୁ ନେଇ ଚିନ୍ତିତ ଅଛି ସେ ସମୟରେ ହାଫିଜ୍‌ ଭଳି ଆତଙ୍କବାଦୀକୁ ଖୋଲା ଛାଡିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ପାକିସ୍ତାନ ଜାଣିଶୁଣି ଭାରତ ଉପରେ ଚାପ ପକାଇବାକୁ ହାଫିଜ୍‌କୁ ମୁକ୍ତ କରିଛି ବୋଲି ଅହିର ମତବ୍ୟକ୍ତ କରିଛନ୍ତି। ଗୁରୁବାର ହାଫିଜ୍‌ ମୁକ୍ତ ହେବା ପରେ ତା’ ଓକିଲ କହିଛନ୍ତି ଯେ, ହାଫିଜ୍‌କୁ ପାକିସ୍ତାନ ସରକାର ୨୯୭ ଦିନ ଗୃହବନ୍ଦୀ କରି ରଖିଲେ ମଧ୍ୟ ଦୋଷୀ ସାବ୍ୟସ୍ତ କରିବାରେ ସକ୍ଷମ ହୋଇନାହାନ୍ତି।