ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛୁଛି ପାକିସ୍ତାନ : ସେନା ଓ ଆଇଏସଆଇର ସମର୍ଥନ ଥିବାରୁ ଇମ୍ରାନ ଖାନଙ୍କ ସପକ୍ଷରେ ଯାଇପାରେ ଜନମତ

46

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛୁଛି ପାକିସ୍ତାନ । ପାକ ଇତିହାସରେ ଏହା ଦ୍ୱିତୀୟ ଘଟଣା, ଯେତେବେଳେ ଗୋଟିଏ ନିର୍ବାଚିତ ସରକାର ହାତରୁ ଆଉ ଗୋଟିଏ ନିର୍ବାଚିତ ସରକାର କ୍ଷମତା ନେବ । ଯଦି ଆକଳନ ଠିକ ରୁହେ ତେବେ କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ ଖାନ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । କାରଣ ଚର୍ଚ୍ଚା ଅନୁସାରେ ପାକ ସେନା ଓ ଆଇଏସଆଇର ସମର୍ଥନ ତାଙ୍କ ପଛରେ ରହିଛି । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ସପକ୍ଷରେ ସମବେଦନାର ଭୋଟ ବି ରହିଛି ।

pakistan voting

 

ପାକିସ୍ତାନ ଇତିହାସରେ ଦ୍ୱିତୀୟଥର ଲାଗି ଲୋକଙ୍କ ଦ୍ୱାରା ନିର୍ବାଚିତ ଏକ ସରକାର ହାତରୁ ପୁଣି ସେହି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ହାତକୁ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି । କାରଣ ପଡୋଶୀ ଦେଶରେ ଅନେକ ସମୟରେ ନିର୍ବାଚିତ ସରକାର ହାତରୁ ସେନା କ୍ଷମତା ଛଡାଇ ନେବାର ନଜିର ରହିଛି । ଯେଉଁଥିପାଇଁ ଏହି କଥାର ବିଶେଷ ଗୁରୁତ୍ୱ ରହିଛି । ପାକ ସଂସଦର ମୋଟ ୨୭୨ ଆସନ ଲାଗି ଛୋଟବଡ ପ୍ରାୟ ୧୦୦ଟି ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବି ଲଢେଇ ମୁଖ୍ୟତଃ- ଇମରାନ ଖାନଙ୍କ ପାର୍ଟି ପାକିସ୍ତାନ-ତେହରିକ-ଏ-ଇନସାଫ ବା ପିଟିଆଇ, ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ ଏନ ବା ପିଏମଏଲଏନ ଓ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ବା ପିପିପି ମଧ୍ୟରେ ହେଉଛି ।

ପାକିସ୍ତାନ ସଂସଦର ୬୦ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି
୧୦ ପ୍ରତିଶତ ଆସନ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ
୨୭୨ ଆସନରେ ପ୍ରତିଦ୍ୱିନ୍ଦ୍ୱିତା କରୁଛନ୍ତି ୩ ହଜାର ୫୪୯ ଜଣ ପ୍ରାର୍ଥୀ
୮୫ହଜାର ପୋଲିଂ ଷ୍ଟେସନରେ ସକାଳ ୮ଟାରୁ ସଂଧ୍ୟା ୬ଯାଏଁ ଭୋଟିଂ
ପ୍ରାୟ ୮ ଲକ୍ଷ ପୋଲିସ ଓ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ମୁତୟନ

ଚର୍ଚ୍ଚା ଅନୁସାରେ ସେନା, ଗୁଇନ୍ଦା ଓ ଅଦାଲତକୁ ନିଜ ପକ୍ଷରେ ନେଇ ଏହି ଗଣତାନ୍ତ୍ରିକ ନିର୍ବଚନକୁ ଜିତିବା ପାଇଁ ସବୁ ଜୋର ଲଗାଇ ଦେଇଛି କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ ଖାନଙ୍କ ତେହରିକ-ଏ-ଇନସାଫ ପାର୍ଟି ।

ସେପଟେ ଆଜି ଭୋଟିଂ ବେଳେ ଦକ୍ଷିଣ-ପଶ୍ଚିିମ ପାକିସ୍ତାନର କ୍ୱେଟା ସହରରେ ହୋଇଛି ଭୟାବହ ବିସ୍ଫୋରଣ । ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜିରା ରିପୋର୍ଟ ଅନୁସାରେ କ୍ୱେଟାରେ ଏକ ପୋଲିଂ ଷ୍ଟେସନ ନିକଟରେ ପୋଲିସ ଭ୍ୟାନକୁ ଲକ୍ଷ୍ୟ କରି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏକ ୱେବସାଇଟ ଜରିଆରେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ ।

ପିଏମଏଲଏନ ନେତା ନୱାଜ ସରିଫ ପାନାମା ପେପର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଛନ୍ତି । ଆଉ ନିର୍ବାଚନ ପୂର୍ବରୁ ବିଦେଶରୁ ଫେରିଆସିବା ଦଳ ପାଇଁ ଲାଭଦାୟକ ହେବ ବୋଲି ରାଜନୀତି ସମୀକ୍ଷକମାନେ ଅଂକ କଷୁଛନ୍ତି । କାରଣ ସମର୍ଥକଙ୍କ ଭିତରେ ଦଳ ଧରାଣା ତିଆରି କରିଛି ଯେ, ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ସରିଫ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ନିଜ ଝିଅ, ଜ୍ୱାଇଁଙ୍କ ସହ ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି । ଆଉ ଭାଇ ସେହବାଜ ସରିଫ ତାଙ୍କ ନାଁରେ ସିମ୍ପାଥି ଭୋଟ ଗୋଟାଇବା ଲକ୍ଷ୍ୟରେ ଅଛନ୍ତି । ହେଲେ ସେନା ଓ ଆଇଏସଆଇର ପୂର୍ଣ୍ଣ ସହଯୋଗ ଥିବା ତେହରିକ-ଏ-ଇନସାଫ ମୁଖ୍ୟ ଇମ୍ରାନ ଖାନ, ପାରମ୍ପରିକ ରାଜନୈତିକ ପାର୍ଟିଗୁଡିକୁ ମାତ ଦେଇ ଦେଶର ପରବର୍ତି ପ୍ରଧାନମନ୍ତ୍ରୀ ହେବେ ବୋଲି ଦାବି କରିଛନ୍ତି ।